ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ସରକାରକୁ ଆସିଲେ ପଟ୍ଟା, ଘର, ରୋଜଗାର

ଭୁବନେଶ୍ୱର,୯ା୨(ବ୍ୟୁରୋ): “ଆମେ ସରକାରକୁ ଆସିଲେ ଗରିବଙ୍କୁ ଜମି ପଟ୍ଟା ଦେବୁ । ପକ୍କା ଘର ଦେବୁ । ଖାଲି ସେତିକି ନୁହେଁ, ବେରୋଜଗାର ଯୁବକ ଯୁବତୀଙ୍କୁ ନିଶ୍ଚିତ ରୋଜଗାର ଦେବୁ ” । ୨୦୧୯ ନିର୍ବାଚନ ପାଇଁ ଆଜି ଏମିତି ପ୍ରତିଶ୍ରୁତିର ଭଣ୍ଡାର ଖୋଲିଛି ବିଜେପି । ଖାଲି ପ୍ରତିଶ୍ରୁତି ନୁହେଁ, ଆହୁରି ପାଦେ ଆଗେଇ ବିଜେପି ଜାରି କରିଛି ପ୍ରତିଶ୍ରୁତି ଆବେଦନ ଫର୍ମ ।
ରାଜଧାନୀରେ ଆଜି ବିଜେପି ଆୟୋଜନ କରିଥିଲା ପ୍ରତିଶ୍ରୁତି ସମାବେଶ । ଏହି ଅବସରରେ ସ୍ଥାୟୀ ପଟ୍ଟା, ପକ୍କା ଘର ଓ ରୋଜଗାର ଆବେଦନ ଫର୍ମର ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ରାଜ୍ୟରେ ବିଜେପି ସରକାରକୁ ଆସିଲେ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ମିଳିବ । ବେରୋଜଗାରଙ୍କୁ ନିଶ୍ଚିତ ରୋଜଗାର ଦିଆଯିବ । ୨୦୨୨ ସୁଦ୍ଧା ଓଡ଼ିଶାରେ ଏମିତି ଜଣେ ଗରିବ ଲୋକ ରହିବେ ନାହିଁ, ଯାହାର ସ୍ଥାୟୀ ପଟ୍ଟା କିମ୍ବା ପକ୍କା ଘର ନ ଥିବ । ସବୁ ବେରୋଜଗାରୀଙ୍କୁ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ଦେବା ପାଇଁ ବିଜେପି ପ୍ରତିଶ୍ରୁତି ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବ୍ୟବସ୍ଥା କରୁଛନ୍ତି । ମୋଦି ସରକାରକୁ ଓଡ଼ିଶାକୁ ଆଣିବା ଦରକାର । ଓଡ଼ିଶାରେ ବିଜେପି ଶାସନକୁ ଆସିଲେ କେବଳ ଘର ନୁହେଁ, ସବୁ ଘରକୁ ବିଜୁଳି ବି ଯିବ, ପାଇଖାନା ହେବ । ପ୍ରତି ଘରେ ଗ୍ୟାସ୍‌ ପହଞ୍ଚିବ । ପିଇବା ପାଣି ପାଇପ୍‌ରେ ଯୋଗାଇ ଦିଆଯିବ । ଏଥିପାଇଁ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ପଡ଼ିବ । ସାଢ଼େ ୪ କୋଟି ଓଡ଼ିଶା ଆଗାମୀ ନିର୍ବାଚନରେ ମୋଦି ଓ ବିଜେପିକୁ ଆଶୀର୍ବାଦ କରିବାକୁ ସେ ଅନୁରୋଧ କରିଥିଲେ । ପ୍ରତିଶ୍ରୁତି ସମାବେଶରେ ବିଜେପି ପକ୍ଷରୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଓ ବେରୋଜଗାରକୁ ରୋଜଗାର ଶିରୋନାମାରେ ଦୁଇଟି ଆବେଦନ ଫର୍ମ ଜାରି କରାଯାଇଛି । ଏହି ଫର୍ମଗୁଡ଼ିକ ପୂରଣ କରି ୟୁନିକ୍‌ ଆଇଡି ଥିବା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦସ୍ତଖତ ସହ କାଗଜ ସଂଗ୍ରହ କରିବାକୁ ବିଜେପି ଆହ୍ୱାନ କରିଛି ।
ଏହାର ଉନ୍ମୋଚନ ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଏ ଅଭିଯାନ ଆଗାମୀ ୩ ମାସରେ ଘରେ ଘରେ ପହଞ୍ଚିବ । ଭୁବନେଶ୍ୱରରୁ ବାହାରି ରାଜ୍ୟର ୫୦ ହଜାର ଗାଁରେ ପହଞ୍ଚିବ । ଏହାଦ୍ୱାରା ନୂଆ ଓଡ଼ିଶା ଓ ନୂଆ ଭାରତର କଳ୍ପନା ହେବ ।
ଧର୍ମେନ୍ଦ୍ର କହିଛନ୍ତି, ଗାଁ ହେଉ କି ସହର, ସ୍ଥାୟୀ ପଟ୍ଟା ସହ ପକ୍କା ଘର ଓ ବେରୋଜଗାର ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଲୋକଙ୍କୁ ଋଣ ମିଳୁନାହିଁ । ସରକାରୀ ସୁବିଧା ମିଳୁନି । ତେବେ ପ୍ରଧାନମନ୍ତ୍ରୀ ମୋଦି ସାଢ଼େ ୪ ବର୍ଷରେ ଦେଶରେ ଅଭୂତପୂର୍ବ କାମ କରି ଦେଖାଇଛନ୍ତି । ରୋଜଗାର, ସ୍ୱରୋଜଗାର, ରେଳ, ରାସ୍ତା ଆଦି କ୍ଷେତ୍ରରେ ଭଲ ବ୍ୟବସ୍ଥା କରିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଆମର ଦାୟିତ୍ୱ ଆସନ୍ତା ନିର୍ବାଚନରେ ଓଡ଼ିଶାରେ ବିଜେପି ଓ ଦିଲ୍ଲୀରେ ମୋଦିଙ୍କ ହାତମୁଠାକୁ ଟାଣ କରିବା । ଏଠାରୁ ଅଧିକ ସାଂସଦ ଜିତାଇଲେ ମୋଦି ଓଡ଼ିଶାକୁ ଅଧିକ ଅନୁଦାନ ଯୋଗାଇ ଦେବେ । ସେହିପରି ରାଜ୍ୟରେ ଅଧିକରୁ ଅଧିକ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଜିତାଇ ଓଡ଼ିଶାରେ ବିଜେପି ସରକାର ଆଣିବାକୁ ହେବ ।
ଧର୍ମେନ୍ଦ୍ର କହିଛନ୍ତି, ଏହି ପ୍ରତିଶ୍ରୁତି ପାଇଁ ବିଜେପି ରାଜ୍ୟର ଗାଁ ଗଣ୍ଡାରେ ଲୋକଙ୍କୁ ଭେଟି ପରାମର୍ଶ ଓ ଆବଶ୍ୟକତା ବୁଝିଥିଲା । ୫୦ ହଜାରରୁ ଅଧିକ ଗାଁରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ‘ଜବାବ ମାଗୁଛି ଓଡ଼ିଶା ଅଭିଯାନ’ରେ ଗରିବ ଲୋକର ଆବଶ୍ୟକତା କ’ଣ ରହିଛି, ତା’ର ସମୀକ୍ଷା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ୧ କୋଟି ୧୦ ଲକ୍ଷ ଘର ପରିବାର ରହିଛି । ହେଲେ ପ୍ରତି ଘରକୁ ଏଯାଏଁ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚିନାହିଁ । ଗତ ଡିସେମ୍ବର ୨୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୨୭ ଲକ୍ଷ ୪୮ ହଜାର ପରିବାରର ମୁଣ୍ଡ ଉପରେ ଛାତ ନାହିଁ । ଆଜି ବି ୨୦ରୁ ୨୫ ଲକ୍ଷ ଲୋକଙ୍କ ଘର ଡିହ, ପଟ୍ଟା ନାହିଁ ।
ଧର୍ମେନ୍ଦ୍ର କହିଛନ୍ତି, ଗୋଟିଏ ପଟେ ୧୯ ବର୍ଷର ସରକାର ଆଉ ଅନ୍ୟ ପଟେ ସାଢ଼େ ୪ ବର୍ଷର ସରକାର । ଏପଟେ ୧୯ବର୍ଷ ଧରି କ୍ଷମତା ଭୋଗ କରୁଥିବା ନବୀନ ପଟ୍ଟନାୟକଙ୍କ ସରକାର ଆଉ ଗୋଟିଏ ପଟେ ଲୋକଙ୍କ ସେବା କରୁଥିବା ନରେନ୍ଦ୍ର ମୋଦିଙ୍କ ସରକାର । ୧୯ ବର୍ଷ ଶାସନ ସତ୍ତେ୍ୱ ୨୦ ଲକ୍ଷ ଲୋକଙ୍କର ପଟ୍ଟା ନାହିଁ । ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ । ରାଜ୍ୟ ସରକାର ଜାଗା ଯୋଜନା ଆରମ୍ଭ କରିଥିଲେ । ଏହାକୁ ପୃଥିବୀର ସବୁଠୁ ବଡ଼ ଯୋଜନା ବୋଲି କହିଲେ । ହେଲେ ଏଯାଏଁ ଲୋକଙ୍କୁ ଜାଗା ଯୋଜନାରେ ପଟ୍ଟା ମିଳିନାହିଁ ।
ସେ ଆହୁରି କହିଛନ୍ତି, ୨୦୧୪ରେ ବିଜେଡି ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିଲା-ସଭିଙ୍କ ପାଇଁ ଘର, ଗରିବଙ୍କ ସ୍ୱପ୍ନ ହେବ ସାକାର । ମାତ୍ର ଏବେ ବି ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ପକ୍କା ଘର ନାହିଁ । ୨୦ ଲୋକଙ୍କ ପାଖରେ ପଟ୍ଟା ନାହିଁ । ବିଧାନସଭାରେ ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।
ଧର୍ମେନ୍ଦ୍ର କହିଛନ୍ତି, ୨୦୦୯ରୁ ୨୦୧୪ ଯାଏଁ କଂଗ୍ରେସ ଦେଶରେ ୨୫ ଲକ୍ଷ ୫୭ ହଜାର ଘର ବାଣ୍ଟିଥିଲା । ମାତ୍ର ମୋଦି ସରକାରର ୫ ବର୍ଷ ପୂରିନଥିବାବେଳେ ୧ କୋଟି ୪୦ ଲକ୍ଷ ଘର ଦିଆଯାଇଛି । ଘର ପିଛା ଦେଢ଼ ଲକ୍ଷ ଟଙ୍କା ଦିଆଯାଉଛି ।
ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଦୁଇଦିନ ତଳେ ବିଜେପି ଯୁବ ମୋର୍ଚ୍ଚା ଓଡ଼ିଆ ଯୁବକର ହକ୍‌ ପାଇଁ ଆନ୍ଦୋଳନ କରିଥିଲା । ଓଡ଼ିଶାରେ ୨୬ ଲକ୍ଷ ଯୁବକ ଯୁବତୀ ଚାକିରି ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ସରକାର ମାତ୍ରେ ୨୬ ହଜାରଙ୍କୁ ଚାକିରି ଦେଇଥିବା କହିଛନ୍ତି । ଅନ୍ୟପଟେ ଡାକ୍ତର, ଶିକ୍ଷକ ସମେତ ବହୁ ପଦବୀ ଖାଲି ପଡ଼ିଛି । ରାଜ୍ୟର ଏକ ତୃତୀୟାଂଶ ଲୋକେ ବୁଢ଼ା ବାପା, ମା’ଙ୍କୁ ଛାଡ଼ି ବାହାର ରାଜ୍ୟରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ୧୯ ବର୍ଷର ବିଜେଡି ସରକାର ରୋଜଗାର ଦେଇପାରିନାହିଁ । ଏ ଚିତ୍ରକୁ ବଦଳାଇବା ଦରକାର । ଏ ବିଷୟରେ ବିଜେପିକୁ ପଚାରିଲେ ସେମାନେ ମୋଦିଙ୍କ ରୋଜଗାର କଥା କହୁଛନ୍ତି । ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ୨୦ କୋଟିରୁ ଅଧିକ ରୋଜଗାରର ହିସାବ ସଂସଦରେ ଦେଇଛନ୍ତି । ନବୀନ ବାବୁ ତରବରିଆ ଭାବେ ବିଧାନସଭାକୁ ବନ୍ଦ କରିଦେଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଡାକି ଏଭଳି ପ୍ରତିଶ୍ରୁତି ଓ ଦାୟିତ୍ୱ ବ୍ୟବସ୍ଥା କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କର ସତ୍‌ସାହସ ଥିଲେ ୧୯ ବର୍ଷରେ ଓଡ଼ିଆ ଯୁବକ ଯୁବତୀଙ୍କ ରୋଜଗାର ପାଇଁ କ’ଣ କରିଛନ୍ତି, ତାହାର ଉତ୍ତର ଦିଅନ୍ତୁ ।
ଏହି ସମାବେଶରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଅପରାଜିତା ଷଡ଼ଙ୍ଗୀ, ଟଙ୍କଧର ତ୍ରିପାଠି, ସମୀର ମହାନ୍ତି, ଗୋଲକ ମହାପାତ୍ର, ଦିଲ୍ଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ, ଅମୀୟ ଦାଶ, ହରେକୃଷ୍ଣ ଖୁଣ୍ଟିଆ, ବିଶ୍ୱରଂଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Copyright © 2022 - Summa Real Media Private Limited. All Rights Reserved.