ବିଜେପି ନେତାଙ୍କୁ ଲହୁଲୁହାଣ କରି ହତ୍ୟା...

କାରରେ ଆସିଥିଲେ ଅଜ୍ଞାତ ଅପରାଧୀ...

ମୃତ୍ୟୁର କାରଣ ଖୋଜୁଛି ପୋଲିସ...

ନୂଆଦିଲ୍ଲୀ : ଛତିଶଗଡ଼ର କୋରବା ଜିଲ୍ଲାରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅଜ୍ଞାତ ଆକ୍ରମଣକାରୀ ମାନେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ଏହି ବିଜେପି ନେତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ତେବେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ମୃତ୍ୟୁ ପରେ, ପରିବାର ସଦସ୍ୟ ଏବଂ ସମର୍ଥକ ମାନେ ଡାକ୍ତରଖାନା ବାହାରେ ଭିଡ ଜମାଇ ଥିଲେ।

କେମିତି କରିଥିଲେ ହତ୍ୟା ?

ଘଟଣାକୁ ନେଇ ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ, ସମଗ୍ର ଘଟଣା କଟଘୋରା ଥାନା ଅଞ୍ଚଳରେ ଘଟିଛି। କରଖାନା ମୋହଲ୍ଲାର ବାସିନ୍ଦା ବିଜେପି ନେତା ଏବଂ ଠିକାଦାର ଅକ୍ଷୟ ଗର୍ଗଙ୍କୁ ଅଜ୍ଞାତ ଆକ୍ରମଣକାରୀ ମାନେ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି। ପୋଲିସ ଅନୁଯାୟୀ, ଆଜି ସକାଳ ୯ ରୁ ୧୦ ଟା ମଧ୍ୟରେ ଏହି ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଅଧୀନରେ ରାସ୍ତା ନିର୍ମାଣ କାର୍ଯ୍ୟ ଯାଞ୍ଚ କରିବା ପାଇଁ ଅକ୍ଷୟ ଗର୍ଗ କେଶଲପୁର ଗାଁକୁ ଆସିଥିଲେ। ଏହି ସମୟରେ, ତିନି ଜଣ ମୁଖାପିନ୍ଧା ଅପରାଧୀ ଏକ କଳା କାରରେ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୋଲିସ ଘଟଣାର ତଦନ୍ତ କରୁଛି...

ଘଟଣା ପରେ ପରିବାର ସଦସ୍ୟ ଏବଂ ସମର୍ଥକଙ୍କ ଭିଡ଼ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ମାନେ ମଧ୍ୟ ପହଞ୍ଚିଥିଲେ। କୋରବା ଜିଲ୍ଲା ପୋଲିସ ଅଧିକ୍ଷକ ସିଦ୍ଧାର୍ଥ ତିୱାରୀ କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳ ଯାଞ୍ଚ କରିଛନ୍ତି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ପୋଲିସ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ନାକାବନ୍ଦୀ ଲଗାଇଛି ଏବଂ ମାମଲା ତଦନ୍ତାଧୀନ ଅଛି। ଅଧିକାରୀ କହିଛନ୍ତି ଯେ ଆକ୍ରମଣକାରୀଙ୍କ ପରିଚୟ ଏବଂ ହତ୍ୟାର ଉଦ୍ଦେଶ୍ୟ ଜଣା ପଡିନାହିଁ ।