ନୂଆଦିଲ୍ଲୀ,୨୨/୦୪: ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ବ୍ୟାଗକୁ ନେଇ ଚର୍ଚ୍ଚା ହୋଇଛି । ଆଜି ୱାନ୍ ନେସନ ୱାନ୍ ଇଲେକ୍ସନ ଜେପିସି ବୈଠକରେ ସାମିଲ ହେବାକୁ ସଂସଦରେ ପହଞ୍ଚିଥିଲେ ସାଂସଦ ବାଂଶୁରୀ ସ୍ୱରାଜ । ଏହି ସମୟରେ ସେ ପକାଇଥିବା କଳା ବ୍ୟାଗ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେଥିରେ ଏମିତି କିଛି ଲେଖା ଥିଲା ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଜେପିସି ବୈଠକରେ ସାମିଲ ହେବାକୁ ସାଂସଦରେ ପହଞ୍ଚିଥିଲେ ସାଂସଦ ବାଂଶୁରୀ ସ୍ୱରାଜ । ଏହି ସମୟରେ ସେ ଏକ କଳା ରଙ୍ଗର ହ୍ୟାଣ୍ଡବ୍ୟାଗ୍‌ ପକାଇଥିଲେ । ଯେଉଁଥିରେ ଲାଲ ଅକ୍ଷରରେ ଲେଖାଥିଲା 'ନ୍ୟାସନାଲ ହେରାଲ୍ଡ କି ଲୁଟ' । ଯାହାର କନେକ୍ସନ ଗାନ୍ଧୀ ପରିବାର ସହିତ ରହିଛି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ଷ୍ଟାଇଲରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ବାଂଶୁରୀ । ପୂର୍ବରୁ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ପକାଇ ସଂସଦ ଆସିଥିଲେ ପ୍ରିୟଙ୍କା ଗାନ୍ଧୀ ।

ବ୍ୟାଗକୁ ନେଇ ଚର୍ଚ୍ଚା ହେବା ପରେ ବାଂଶୁରୀ କହିଛନ୍ତି, ପ୍ରଥମ ଥର ଏମିତି ହୋଇଛି ଗଣତନ୍ତ୍ର ଚତୁର୍ଥ ସ୍ତମ୍ଭ ଅର୍ଥାତ ମିଡିଆକୁ ନେଇ ଦୁର୍ନୀତି ହୋଇଛି । ନିକଟରେ ଇଡ଼ି ଦାଖଲ କରିଥିବା ଚାର୍ଜସିଟରେ ଏହା ଏକ ଗମ୍ଭୀର ଉଦାହରଣର ପ୍ରମାଣ ଦେଇଛି କି, ଯେଉଁଠି କଂଗ୍ରେସର ପୁରୁଣା କାର୍ଯ୍ୟଶୈଳୀ ଓ ବିଚାରଧାରା ସାମ୍ନାକୁ ଆସିଛି । ସେ ସେବା ଆଳରେ ସାର୍ବଜନୀକ ସଂସ୍ଥାକୁ ବ୍ୟକ୍ତଗତ କାମ ପାଇଁ ବ୍ୟବହାର କରିଛନ୍ତି । ୨ ହଜାର କୋଟି ସମ୍ପତ୍ତିକୁ ମାତ୍ର ୫୦ଲକ୍ଷରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ କମ୍ପାନୀ ହଡପ କରିଥିଲା । ଗାନ୍ଧୀ ପରିବାର ଏହାର ୭୬ ପ୍ରତିଶତ ମାଲିକ । ଜନତା ଉତ୍ତର ମାଗୁଛନ୍ତି । ତେଣୁ ଏପ୍ରିଲ ୨୫ରେ କୋର୍ଟରେ କଂଗ୍ରେସ ଦଳକୁ ଓ ଶୀର୍ଷ ନେତାଙ୍କୁ ଜବାବ ଦେବାକୁ ପଡିବ ।

ଅଧିକ ପଢନ୍ତୁ...ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା,ବିଜେପିର ଦେଲା ଏଭଳି ପ୍ରତିକ୍ରିୟା