ନୂଆଦିଲ୍ଲୀ,୧୬।୧୨:  କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପାଲେଷ୍ଟାଇନୀୟ ଲୋକଙ୍କ ପ୍ରତି ପ୍ରଦର୍ଶନ କରିଛନ୍ତି ସମର୍ଥନ ଓ ଏକଜୁଟତା। ସୋମବାର ପ୍ରିୟଙ୍କା ସଂସଦ ଆସିବା ବେଳେ ଏକ ହ୍ୟାଣ୍ଡବ୍ୟାଗ୍ ଧରି ଆସିଥିଲେ, ଯେଉଁଥିରେ ଲେଖାଯାଇଥିଲା ‘ପାଲେଷ୍ଟାଇନ୍’। କଂଗ୍ରେସ ମହାସଚିବ ଓ ଓ୍ବାଇନାଡରୁ ସାଂସଦ ଥିବା ପ୍ରିୟଙ୍କା ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି।ପ୍ରିୟଙ୍କାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ହୋଇଛି ଭାଇରାଲ। ବିରୋଧି ମଧ୍ୟ ତାଙ୍କୁ କରିଛି ଟାର୍ଗେଟ। ତେବେ ଏସବୁ ପରେ ମଧ୍ୟ ପ୍ରିୟଙ୍କା କହିଛନ୍ତି ମୁଁ କିଭଳି କପଡା ପିନ୍ଧିବି, ଏହା ମୁଁ ନିଜେ ନିଷ୍ପତ୍ତି ନେବି। ମୁଁ ଯାହା ଚାହିଁକି, ତାହା ପିନ୍ଧିବି।’

ପ୍ରିୟଙ୍କା ଯେଉଁ ବ୍ୟାଗ୍‌କୁ ସଂସଦ ନେଇ ପହଁଞ୍ଚିଥିଲେ ସେଥିରେ ‘ପାଲେଷ୍ଟାଇନ୍’ ଲେଖାଥିଲା ଓ ଏଥିରେ କଟା ତରଭୂଜ ଚିତ୍ର ଥିଲା,ଯାହାକୁ ପାଲେଷ୍ଟାନୀୟ ଏକତାର ପ୍ରତୀକ ବୋଲି କୁହାଯାଉଛି। ତରଭୁଜ ପାଲେଷ୍ଟାଇନ୍ ସଂସ୍କୃତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ରହିଛି। ପାଲେଷ୍ଟାଇନ୍‌ର ଲୋକଙ୍କ ସହ ଏକଜୁଟତା ଦେଖାଇବା ପାଇଁ ସବୁବେଳେ କଟା ତରଭୂଜର ଫଟୋ ଓ ଇମୋଜି ବ୍ୟବହାର କରାଯାଇଥାଏ।

ପ୍ରିୟଙ୍କାଙ୍କ ପାଲେଷ୍ଟାଇନ୍ ବ୍ୟାଗ୍‌ ଦେଖି ବିଜେପି ନେତା ଓ ସାଂସଦ ସମ୍ବିତ ପାତ୍ର କହିଛନ୍ତି, ଗାନ୍ଧୀ ପରିବାର ସବୁବେଳେ ତୁଷ୍ଟିକରଣର ରାଜନୀତି କରେ। ନିର୍ବାଚନରେ ହାରିବାର କାରଣ ମଧ୍ୟ ତୁଷ୍ଟିକରଣ। ନିକଟରେ ନୂଆଦିଲ୍ଲୀରେ ପାଲେଷ୍ଟାଇନର ଦୂତାବାସରୁ ପ୍ରଭାରୀ ଅବେଦ ଏଲରାଜେଗ ଅବୁ ଜାଜର ପ୍ରିୟଙ୍କାଙ୍କୁ ସାକ୍ଷାତ କରିଥିଲେ ଓ ତାଙ୍କୁ ନିକଟରେ ଓ୍ବାଇନାଡରୁ ଜିତିଥିବା ନେଇ ଶୁଭେଚ୍ଛ ଜଣାଇଥିଲେ। ଜୁନ୍‌ରେ ପ୍ରିୟଙ୍କା ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ସମାଲୋଚନା କରି କରିଥିଲେ। ସେ କହିଥିଲେ ଗାଜାରେ ଇସ୍ରାଏଲ ସରକାର ନରସଂହାର ଚଲାଇଛନ୍ତି।’