ନୂଆଦିଲ୍ଲୀ – ଦେଶରେ ସଂସଦୀୟ ଓ ବିଧାନସଭା ନିର୍ବାଚନ ଏକାଠି କରାଇବାର ପ୍ରାବଧାନର ବିଧେୟକ ଉପରେ ବିଚାର ପାଇଁ, ସଂସଦ ଶୁକ୍ରବାର ୩୯ ସଦସ୍ୟ ବିଶିଷ୍ଟ ମିଳିତ ସଂସଦୀୟ ସମିତି (ଜେପିସି)ର ଗଠନ କରିଛି। ଏହାର ଅଧ୍ୟକ୍ଷତାର ଦାୟିତ୍ୱ ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି( ବିଜେପି)ର ସାଂସଦ ପିପି ଚୌଧୁରୀଙ୍କୁ ପ୍ରଦାନ କରାଯାଇଛି। 

ରାଜ୍ୟସଭାରେ ଏହି ସମିତିର ସଦସ୍ୟଙ୍କୁ ନାମିତ କରିବାର ପ୍ରସ୍ତାବକୁ ଧ୍ୱନି ମତରେ ମଞ୍ଜୁରୀ ଦିଆ ଯିବା ସହ, ୩୯ ସଦସ୍ୟ ବିଶିଷ୍ଟ ସମିତି ଗଠନର ରାସ୍ତା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ, ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ତଳ ସଦନରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଥିରେ କରାଇବାର ପ୍ରାବଧାନର ‘ସମ୍ୱିଧାନ ( ୧୨୯ତମ ସଂଶୋଧନ) ବିଧେୟକ ,୨୦୨୪ ଓ ଏହା ସହ ଜଡ଼ିତ ସଂଘ ରାଜ୍ୟ କ୍ଷେତ୍ର ବିଧି (ସଂଶୋଧନ) ବିଧେୟକ, ୨୦୨୪ କୁ ସଂସଦର ମିଳିତ ସମିତିର ବିଚାର ପାଇଁ ପଠାଯିବାର ପ୍ରସ୍ତାବ ରଖିଥିଲେ , ଯାହାକୁ ଧ୍ୱନି ମତରେ ମଞ୍ଜୁରୀ ଦିଆଯାଇଛି। 

ଏହି ସବୁ ବିଧେୟକ ଉପରେ ବିଚାର ପାଇଁ ଗଠିତ ସଂଯୁକ୍ତ ସମିତିରେ ଲୋକସଭାରୁ ୨୭ ସଦସ୍ୟଙ୍କୁ ନାମିତ କରାଯାଇଛି। ପରେ ଲୋକସଭା ସଚିବାଳୟ ପକ୍ଷରୁ ଜାରି ଏକ ଆଦେଶରେ ସମିତିର ଗଠନ ସହ ହିଁ ଏହାର ସବୁ ସଦସ୍ୟଙ୍କ ନାଁର ଘୋଷଣା କରାଯାଇଛି ଏବଂ କୁହାଯାଇଛି ଯେ, ଚୌଧୁରୀଙ୍କୁ ଏହାର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। 


ସମିତିର ୩୯ ସଦସ୍ୟଙ୍କ ମଧ୍ୟରେ ବିଜେପିର ୧୬ , କଂଗ୍ରେସର ୫ , ସପା , ତୃଣମୂଳ କଂଗ୍ରେସ ଓ ଡିଏମକେର ୨-୨ ତଥା ଶିବସେନା , ଟିଡିପି , ଜେଡିୟୁ , ଆରଏଲଡି, ଏଲଜେପି (ରାମ ବିଳାସ ) , ଜନ ସେନା ପାର୍ଟି, ଶିବସେନା –ୟୁବିଟି , ଏନସିପି-(ଏସିପି),ସିପିଆଇ(ଏମ୍), ଆପ୍‌, ବିଜେଡି ଓ ୱାଇଏସଆରସିପିର ଜଣେ ଜଣେ ସଦସ୍ୟ ସାମିଲ ଅଛନ୍ତି। ସମିତିରେ ଏନଡିଏର ମୋଟ ୨୨ ସଦସ୍ୟ ଅଛନ୍ତି , ଯାହାକି ବିରୋଧୀ INDIA ଗଠବନ୍ଧନର ୧୦ଜଣ ସଦସ୍ୟ ଅଛନ୍ତି।