ଅହମ୍ମଦାବାଦ,୧୦/୧୧: ବାହାଘର କାର୍ଡରେ ବିଜେପି ନାରା । ଏହା ବିଜେପି ପ୍ରତି ଜଣେ କର୍ମୀଙ୍କ ଅନାବିଳ ଭଲପାଇବାକୁ ଦର୍ଶାଉଛି । ବିଜେପିର 'କଟେଙ୍ଗେ ତୋ ବଟେଙ୍ଗେ' ସ୍ଲୋଗାନ ସହ ପ୍ରଧାନମନ୍ତ୍ରୀ ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଫଟୋ ବିବାହ କାର୍ଡରେ ରହିଛି । ଗୁଜୁରାଟ ଭାବନଗରର ଜଣେ ବିଜେପି କର୍ମୀ ତାଙ୍କ ଭାଇଙ୍କ ବାହାଘର କାର୍ଡ ଏପରି ଛପାଇଥିବା ନଜରକୁ ଆସିଛି ।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହରିୟାଣାରେ ବିଧାନସଭା ନିର୍ବାଚନ ସମୟରେ 'ବଟେଙ୍ଗେ ତୋ କଟେଙ୍ଗେ' ନାରା ଦେଇଥିଲେ । ଏବେ ମହାରାଷ୍ଟ୍ର ଓ ଝାଡଖଣ୍ଡ ବିଧାନସଭା ନିର୍ବାଚନ ନେଇ ଏହି ନାରା ଭାଇରାଲ ହେଉଛି । ଏବେ ଏହି ନାରାକୁ ଜଣେ ବିଜେପି କର୍ମୀ ତାଙ୍କ ଭାଇଙ୍କ ବିବାହ କାର୍ଡରେ ଲେଖିବା ସହ ମୋଦି ଓ ଯୋଗୀଙ୍କ ଫଟୋ ରଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଗୁଜୁରାଟ ଭାବନଗର ଜିଲ୍ଲା ମହୁବାର ବାଙ୍ଗର ଗ୍ରାମର ବିଜେପି କର୍ମୀଙ୍କ ଭାଇଙ୍କର ବିବାହ ଆସନ୍ତା ୨୩ ତାରିଖରେ ହେବ । ଏବେ ଏହି ବାହାଘରକୁ ନେଇ ସବୁଠି ଚର୍ଚ୍ଚା । କାର୍ଡରେ ରାମମନ୍ଦିର ଡିଜାଇନ ହେବା ସହ ମୋଦି ଓ ଯୋଗୀଙ୍କ ଫଟୋ ରହିଛି । ଲୋକଙ୍କୁ ସଚେତନ କରିବା ପାଇଁ ଏପରି କରିଥିବା କହିଛନ୍ତି ବିଜେପି କର୍ମୀ ।