PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କୁମାରସ୍ୱାମୀଙ୍କୁ ୟେଦୁରପ୍ପାଙ୍କ ପରାମର୍ଶ: ଆସ୍ଥା ଲୋଡ଼, ନହେଲେ ଗାଦି ଛାଡ଼

ବେଙ୍ଗାଲୁରୁ,୧୪ ।୭(ଏଜେନ୍ସି): କର୍ଣ୍ଣାଟକ ବିଜେପି ଶାଖା ସଭାପତି ବି.ଏସ୍‌. ୟେଦୁରପ୍ପା ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିଧାନସଭାରେ ସଂଖ୍ୟାଗରିଷ୍ଠତା ହରାଇସାରିଛି । ସରକାରଙ୍କ ପ୍ରତି ବିଧାୟକଙ୍କ ପୂର୍ଣ୍ଣ ସମର୍ଥନ ନାହିଁ । ତେଣୁ କୁମାରସ୍ୱାମୀ ଆଉ କାଳବିଳମ୍ବ ନକରି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତୁ, ନଚେତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ଗଣମାଧ୍ୟମକୁ ଆଜି ୟେଦୁରପ୍ପା କହିଛନ୍ତି ଯେ ମେଣ୍ଟ ବିଧାୟକଙ୍କ ମଧ୍ୟରୁ ୧୬ ଜଣ ଏପର୍ଯ୍ୟନ୍ତ ଇସ୍ତଫା ଦେଇସାରିଲେଣି । ସରକାରଙ୍କୁ ସମର୍ଥନ କରୁଥିବା ଦୁଇଜଣ ସ୍ୱାଧୀନ ବିଧାୟକ ଆର ଶଙ୍କର ଏବଂ ଏଚ୍‌ ନାଗେଶ ସମର୍ଥନ ପ୍ରତ୍ୟାହାର କରିସାରିଲେଣି । ତେଣୁ କୁମାରସ୍ୱାମୀ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଥିବାରୁ ସେ ଆଉ ପଦବୀରେ ରହିବାର କୌଣସି ଅଧିକାର ନାହିଁ । ସ୍ୱାଧୀନ ବିଧାୟକ ଦୁଇଜଣ ବିଜେପିକୁ ସମର୍ଥନ ଦେଇଛନ୍ତି । ସେମାନେ ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲାଙ୍କୁ ଭେଟି ଏକଥା ଅବଗତ କରାଇଛନ୍ତି । ସରକାର ସଂଖ୍ୟାଲଘୁ ହୋଇସାରିଲାଣି । ଆସନ୍ତାକାଲି (ସୋମବାର) ବିଜିନେସ ଆଡଭାଇଜରି କମିଟି ବୈଠକରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ କହିବେ । ଯଦି ସେ ମନା କରିବେ ତେବେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିବେ । ବର୍ତ୍ତମାନ ବିଧାନସଭାର ମୌସୁମୀ ଅଧିବେଶନ ଚାଲୁଥିବାରୁ କୁମାରସ୍ୱାମୀ ଆସ୍ଥାଭୋଟ ଲୋଡିବାକୁ ଅନୁମତି ଦେବା ଲାଗି ଗତ ଶୁକ୍ରବାର ବାଚସ୍ପତି କେଆର ରମେଶ କୁମାରଙ୍କୁ ଅନୁରୋଧ କରିଥିଲେ ।

ଅନ୍ୟ ଏକ ଘଟଣାକ୍ରମରେ କଂଗ୍ରେସ ଆସନ୍ତାକାଲି ବିଧାୟକ ଦଳ ବୈଠକ ଡାକିଛି । ରାଜ୍ୟରେ ସମ୍ପ୍ରତି ଘଟିଥିବା ରାଜନୈତିକ ପରିସ୍ଥିତି ଉପରେ ଏଥିରେ ଆଲୋଚନା ହେବ । ଆସନ୍ତାକାଲି ବିଜେପି ଆସ୍ଥା ଭୋଟ ପାଇଁ ଦାବି କରିବାକୁ ଥିବାରୁ ଏହି ବୈଠକକୁ ବେଶ୍‌ ଗୁରୁତ୍ୱ ଦିଆଯାଉଛି । ଏ ସମ୍ପର୍କରେ ସୂଚନା ଦେଇ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି ସୋମବାର ବିଧାନସଭାର କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ସେପଟେ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ମନାଇ ଦଳକୁ ପୁଣି ଫେରାଇ ଆଣିବା ଲାଗି ପ୍ରୟାସ ଜାରି ରହିଛି । ମେଣ୍ଟର ସଂଙ୍କଟମୋଚକ ଡି.କେ. ଶିବକୁମାର କହିଛନ୍ତି ବିଦ୍ରୋହୀ ବିଧାୟକଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରାଯାଉଛି । ସେମାନଙ୍କ ଦାବି ପୂରଣ କରାଯିବା ଲାଗି ପଦକ୍ଷେପ ନିଆଯିବ । ଗତକାଲି ମୁଖ୍ୟମନ୍ତ୍ରୀ ଓ ସେ ଏମ୍‌ଟିବି ନାଗରାଜଙ୍କୁ ତାଙ୍କ ବାସଭବନରେ ଭେଟି ମନାଇଛନ୍ତି । ନାଗରାଜ ଆଜି ମୁମ୍ବାଇ ହୋଟେଲକୁ ଯିବା ପୂର୍ବରୁ ନିଜର ଇସ୍ତଫା ପ୍ରତ୍ୟାହାର ବିଷୟ ଘୋଷଣା କରିଥିଲେ । କହିଥିଲେ ସବୁ ବିଧାୟକମାନେ କଂଗ୍ରେସରେ ରହିବାକୁ ଅନୁରୋଧ କରିଛନ୍ତି । ତେଣୁ ସେମାନଙ୍କ ଅନୁରୋଧ ଗ୍ରହଣ କରି ଦଳରେ ସେ ରହିବେ । ସେପଟେ ଅନ୍ୟତମ ବିଦ୍ରୋହୀ ବିଧାୟକ ରାମଲିଙ୍ଗା ରେଡ୍ଡୀଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି । ସେ ମୁମ୍ବାଇ ଯାଇନାହାନ୍ତି କିମ୍ବା କୌଣସି ବୟାନବାଜି କରିନାହାନ୍ତି । ସେ ନିଜ ଘରେ ରହିଛନ୍ତି ।

ସୂଚନାଯୋଗ୍ୟ ଯେ କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରରୁ ୧୬ ଜଣ ବିଧାୟକ ଇସ୍ତଫା ଦେବା ପରେ ଗତ ସପ୍ତାହରୁ ରାଜ୍ୟରେ ରାଜନୈତିକ ସଙ୍କଟ ଲାଗି ରହିଛି । ରାଜ୍ୟର ଏହି ରାଜନୈତିକ ବିବାଦ ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚି ସାରିଛି । ସୁପ୍ରିମକୋର୍ଟ ଗତ ଶୁକ୍ରବାର ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେବା ସହ ଆସନ୍ତା ମଙ୍ଗଳବାର ଏହା ଉପରେ ଚୂଡାନ୍ତ ଶୁଣାଣି କରିବେ । ତେଣୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ରାଜ୍ୟର ରାଜନୈତିକ ଭାଗ୍ୟ ନିର୍ଭର କରୁଛି । ରାଜ୍ୟର ୨୨୫ ବିଧାନସଭା ଆସନରୁ ସରକାର ଗଠନ ଲାଗି ୧୧୩ ସଦସ୍ୟଙ୍କ ସମର୍ଥନ ଦରକାର । କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟ ସରକାରର ସଦସ୍ୟ ସଂଖ୍ୟା ଥିଲା ୧୧୮ । ସେଥିରେ କଂଗ୍ରେସର ୭୮, ଜେଡିଏସ୍‌ର ୩୭, ବହୁଜନ ସମାଜ ପାର୍ଟିର ୧ ଏବଂ ଦୁଇଜଣ ସ୍ୱାଧୀନ ସଦସ୍ୟ ଥିଲେ । କିନ୍ତୁ ସ୍ୱାଧୀନ ସଦସ୍ୟ ଦ୍ୱୟ ସମର୍ଥନ ପ୍ରତ୍ୟାହାର କରିଥିବାରୁ ଏହାର ସଂଖ୍ୟା ୧୧୬କୁ ଖସି ଆସିଛି । ହେଲେ ୧୬ ଜଣ ବିଧାୟକଙ୍କ ଇସ୍ତଫା ଯଦି ଗ୍ରହଣ କରାଯିବ ଏହାର ସଦସ୍ୟ ସଂଖ୍ୟା ୧୦୦କୁ ଖସି ଆସିବ । ଫଳରେ ସରକାରଙ୍କ ପ୍ରତି ଅଡୁଆ ସୃଷ୍ଟି ହୋଇପାରେ । ସେପଟେ ବିଜେପିର ସଦସ୍ୟ ସଂଖ୍ୟା ୧୦୫ ଥିଲା ବେଳେ ଦୁଇଜଣ ସ୍ୱାଧୀନ ସଦସ୍ୟ ଏହାକୁ ସମର୍ଥନ କରୁଛନ୍ତି ।