କଳାଧନ ପ୍ରସଙ୍ଗ; ଆଉ ୫୦ ଭାରତୀୟଙ୍କ ତଥ୍ୟ ଦେବ ସ୍ୱିସ୍

ନୂଆଦିଲ୍ଲୀ: ଭାରତ ସରକାର ଖୁବ୍ଶୀଘ୍ର ସ୍ୱିଜରଲ୍ୟାଣ୍ଡର ବ୍ୟାଙ୍କରେ ଆକାଉଣ୍ଟ ଥିବା ଅତିକମ୍ରେ ୫୦ ଭାରତୀୟଙ୍କ ସବିଶେଷ ତଥ୍ୟ ପାଇବେ । ଏନେଇ ସ୍ୱିସ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ କାର୍ଯ୍ୟପନ୍ଥା ଆରମ୍ଭ ହୋଇଛି । କଳାଧନ ମହଜୁଦ ରଖିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଉପରେ ଉଭୟ ରାଷ୍ଟ୍ରର ନିୟାମକ ଓ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ନିଜର ଆଭିମୁଖ୍ୟ କଡ଼ାକଡ଼ି କରି ଏଭଳି ପଦକ୍ଷେପ ନେଇଛନ୍ତି ।
ଭାରତକୁ ମିଳିବାକୁ ଥିବା ଏହି ସ୍ୱିସ୍ ଆକାଉଣ୍ଟଧାରୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବହୁ ବ୍ୟବସାୟୀ ଅଛନ୍ତି । ସେମାନେ ମୁଖ୍ୟତଃ ରିଅଲ୍ ଇଷ୍ଟେଟ୍, ଆର୍ଥିକ ସେବା, ଆଇଟି, ଟେଲିକମ୍, ହୋମ୍ ଡେକର୍, ବୟନ ଶିଳ୍ପ, ଇଞ୍ଜିନିୟରିଂ ସାମଗ୍ରୀ, ରତ୍ନପଥର ଓ ଗହଣା ଭଳି ବ୍ୟବସାୟ ସହ ସମ୍ପୃକ୍ତ । ଭାରତ-ସ୍ୱିଜରଲ୍ୟାଣ୍ଡ ତଥ୍ୟ ସେୟାରିଂ ପ୍ରକ୍ରିୟା ସହ ଜଡ଼ିତ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି ।
କଳାଧନୀଙ୍କ ପାଇଁ ଏକ ଭୂସ୍ୱର୍ଗ ବୋଲି ଦୀର୍ଘଦିନ ହେଲା ଲୋକଙ୍କ ମନରେ ଥିବା ଧାରଣାକୁ ଦୂର କରିବା ପାଇଁ ସ୍ୱିଜରଲ୍ୟାଣ୍ଡ ସରକାର କଠିନ ପ୍ରୟାସ ଚଳାଇଛନ୍ତି । ଅପରପକ୍ଷରେ ଭାରତ ସମେତ ବହୁ ରାଷ୍ଟ୍ରରେ କଳାଧନ ପ୍ରସଙ୍ଗ ଏକ ସମ୍ବେଦନଶୀଳ ତଥା ରାଜନୈତିକ ବିଷୟବସ୍ତୁ ରହିଆସିଛି ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଯେତେବେଳେ ପ୍ରଥମ ଥର କ୍ଷମତାକୁ ଆସିଥିଲା, ସ୍ୱିସ୍ ବ୍ୟାଙ୍କରେ ମହଜୁଦ ଥିବା କଳାଧନକୁ ଫେରାଇ ଆଣିବା ପାଇଁ ଏହା ଅଗ୍ରାଧିକାର ଦେଇଥିଲା । ଏହାପରେ ଆର୍ଥିକ ଅନିୟମିତତା ମାମଲାର ତଥ୍ୟ ବିନିମୟ ପାଇଁ ଉଭୟ ରାଷ୍ଟ୍ର ପକ୍ଷରୁ କାର୍ଯ୍ୟପନ୍ଥା ଜୋରଦାର ହୋଇଥିଲା ।
ଅଧିକାରୀ ଜଣକ କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ସ୍ୱିସ୍ ସରକାର ବହୁ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଅତିକମ୍ରେ ୫୦ ଜଣ ଭାରତୀୟ ଆକାଉଣ୍ଟଧାରୀଙ୍କୁ ନୋଟିସ୍ ଜାରି ହୋଇଥିବା ଜଣାପଡ଼ୁଛି । ନୋଟିସ୍ରେ କୁହାଯାଇଛି, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟକୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ କାହିଁକି ପ୍ରଦାନ କରାଯିବ ନାହିଁ, ସେନେଇ ନିଜର ପକ୍ଷ ରଖିବାକୁ ଏହା ଅନ୍ତିମ ସୁଯୋଗ ।
ସ୍ୱିସ୍ ସରକାର ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିଗୁଡ଼ିକରେ କିଛି ଭାରତୀୟଙ୍କ ସମ୍ପୂର୍ଣ୍ଣ ନାମ ଥିବା ବେଳେ ଅନ୍ୟ କେତେକଙ୍କ ସର୍ଟ ନେମ୍ ବା ଇନିସିଆଲ୍ ନେମ୍ ରହିଛି । ସମ୍ପୂର୍ଣ୍ଣ ନାମ ଥିବା ଭାରତୀୟଙ୍କ ମଧ୍ୟରେ କ୍ରିଷ୍ଣା ଭଗୱାନ ରାମଚାନ୍ଦ, ପୋତଲୁରି ରାଜାମୋହନ ରାଓ, କଳ୍ପେଶ ହରସଦ୍ କିନାରିୱାଲା, କୁଲ୍ଦୀପ ସିଂହ ଢିଙ୍ଗରା, ଭାସ୍କରନ୍ ନଳିନୀ, ଲଳିତାବେନ୍ ଚିମନ୍ଭାଇ ପଟେଲ, ସଞ୍ଜୟ ଡାଲ୍ମିଆ, ପଙ୍କଜ କୁମାର ସରୌଗୀ, ଅନିଲ ଭରଦ୍ୱାଜ ପ୍ରଭୃତି ଅଛନ୍ତି । ସ୍ୱିସ୍ ସରକାରଙ୍କ ବିଜ୍ଞପ୍ତିରେ ଥିବା ଅଧିକାଂଶ ବ୍ୟକ୍ତି ଓ ସେମାନଙ୍କ କମ୍ପାନି କୋଲ୍କାତା, ବାଙ୍ଗାଲୋର, ଦିଲ୍ଲୀ ଓ ମୁମ୍ବାଇ ଭଳି ମେଟ୍ରୋ ସହରରେ ରହିଛି ।
ସୂଚନା ଥାଉକି, ଗତ ବର୍ଷକ ମଧ୍ୟରେ ସ୍ୱିସ୍ ସରକାର ୧୦୦ରୁ ଅଧିକ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଭାରତୀୟ କର୍ତ୍ତୃପକ୍ଷଙ୍କୁ ସେୟାର କରିଛନ୍ତି । ଏବେ ଯାଞ୍ଚ ହେଉଥିବା ବହୁ ମାମଲାର ତଥ୍ୟ ମଧ୍ୟ ଆଗାମୀ ଦିନରେ ଭାରତ ସରକାରଙ୍କୁ ମିଳିବ ବୋଲି ଆଶା କରାଯାଉଥିବା ଅଧିକାରୀ ଜଣକ କହିଛନ୍ତି ।