ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ମଣିଷ, ମୃତକଙ୍କୁ ଜୀବନ ଦାନ ଦେବାକୁ ମନ୍ଦିରରେ ଅଧିଆ ପଡିଲେ ମହିଳା

ଆନନ୍ଦପୁର, ୦୯/୦୩ : ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ମଣିଷ। ମୃତକଙ୍କୁ ଜୀବନ ଦାନ ଦେବାକୁ ମନ୍ଦିରରେ ଅଧିଆ ପଡିଲେ ମହିଳା। ଆନନ୍ଦପୁର ପୌରପରିଷଦ ଫକୀରପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ଜଣେ ମହିଳାଙ୍କୁ ଜୀବନ ଦାନ ଦେବାକୁ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ମୃତକଙ୍କ ଶବ ରଖି ପୂଜା କରାଯାଇଛି। ଘଟଣା ଜଣା ପଡିବା ପରେ ପୋଲିସ ପହଞ୍ଚି ଶବକୁ ଘରକୁ ପଠାଇବାର ବ୍ୟବସ୍ଥା କରିଛି।
ଅପର ପକ୍ଷରେ ଅଧିଆ ପଡ଼ିଥିବା ମହିଳା ଜଣକ ଏନେଇ ବିରକ୍ତି ପ୍ରକାଶ କରିଛନ୍ତି। ସେ ଗତକାଲି ଜଣଙ୍କର ଜୀବନ ବଞ୍ଚାଇଥିବା ଦାବି କରିବା ସହିତ କାହିଁକି ମୃତକଙ୍କୁ ନେଇଗଲେ ବୋଲି ବିରକ୍ତି ପ୍ରକାଶ କରିଥିଲେ। ଏଭଳି ଘଟଣାକୁ ନେଇ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲା। ତେବେ ମନ୍ଦିର ପରିସରରେ ଶବ ରଖିବା ଘଟଣାକୁ ନେଇ ମନ୍ଦିରରେ ମାର୍ଜନା କରିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନା ଯୋଗ୍ୟ, ଫକୀରପୁର ବଙ୍ଗାଳି ସାହିର ସୁଦାମ ଚରଣ ଦାସଙ୍କ ସ୍ତ୍ରୀ ସସ୍ମିତା ଦାସ ବୁଧବାର ବିଳମ୍ବିତ ରାତିରେ ହୃଦଘାଟର ଶିକାର ହୋଇଥିଲେ। ପରିବାର ପକ୍ଷରୁ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।