​​​​​​​ଶୀତଦିନେ ପ୍ରାୟ ଲୋକଙ୍କୁ ଖାଇବା ପରେ ପେଟ ଭାରୀ ଭାରୀ ଲାଗିବା, ପେଟରେ ଗ୍ୟାସ୍ ହେବା କିମ୍ବା ଅସ୍ତବ୍ୟସ୍ତ ଲାଗିବା ପରି ସମସ୍ୟା ଦେଖିବାକୁ ମିଳିଥାଏ । ଚାଲନ୍ତୁ ଜାଣିବା ଶୀତଦିନେ ପେଟ ଭାରୀ ଲାଗେ କାହିଁକି? ଶୀତଦିନ ଆସିବା ସହ ଖାଦ୍ୟପାନୀୟ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଥଣ୍ଡା ବଢିବା ସହ ଗରମ-ଗରମ ଓ ସ୍ୱାଦିଷ୍ଟ ଖାଦ୍ୟ ଯେପରି ପରାଠା, ପକୋଡି ଏବଂ ଛଣାଛଣି ଖାଦ୍ୟ ଖାଇବାକୁ ମନ ଚାହିଁଥାଏ । କିନ୍ତୁ ଏସବୁ ଖାଇବା ପରେ ପେଟ ଭାରୀ ଲାଗିବା ସମସ୍ୟା ସୃଷ୍ଟି ହୋଇଥାଏ । କେବେ ଲାଗିଥାଏ ଯେ ପେଟ ପୁରିଯାଇଛି ତ ଆଉ କେବେ ଗ୍ୟାସ ହେବା ଲାଗେ ପୁଣି କେତେବେଳେ ବ୍ଲେଟିଂ ସମସ୍ୟା ଥିବା ପରି ଲାଗେ । ସବୁଠାରୁ ବଡ଼ କଥା ହେଲା ସମସ୍ୟା ସେବେ ହୁଏ ଯେବେ କମ୍ ଖାଇବା ପରେ ମଧ୍ୟ ପେଟ ଭାରି ଲାଗିଥାଏ ।

ପେଟ ଭାରି କାହିଁକି ଲାଗେ?

ଡାକ୍ତରଙ୍କ ଅନୁସାରେ ଯେତେବେଳେ ତାପମାତ୍ରା କମିଥାଏ, ସେତେବେଳେ ଶରୀର ନିଜକୁ ଗରମ ରଖିବା ପାଇଁ ନିଜ ଶକ୍ତିର ବ୍ୟବହାର କରିଥାଏ । ଏହି ସମୟରେ ଶରୀର ରକ୍ତର ପ୍ରବାହକୁ କେବଳ ଜରୁରି ଅଙ୍ଗ ଆଡକୁ ମୋଡି ଦେଇଥାଏ । ଫଳରେ ପେଟ ଓ ଅନ୍ତନଳୀରେ ରକ୍ତ ପ୍ରବାହ କମିଯାଇଥାଏ । ରକ୍ତପ୍ରବାହ କମ୍ ହେବା ଯୋଗୁ ପାଚନ ଶକ୍ତି ଧୀମା ପଡିଯାଇଥାଏ । ଫଳରେ ଖାଦ୍ୟ ପେଟରେ ବହୁ ସମୟ ଯାଏ ହଜମ ହୋଇ ନଥାଏ । ତେଣୁ ପେଟ ଭାରୀ ଲାଗିଥାଏ ।

ଥଣ୍ଡାରେ ଚଲାବୁଲା କମ୍ ହୁଏ: ଥଣ୍ଡାର ସିଧାସଳଖ ପ୍ରଭାବ ପେଟ ଉପରେ ପଡିଥାଏ । ଥଣ୍ଡାରେ ଚଲାବୁଲା କମ୍ କରିବା ଯୋଗୁ ଅନ୍ତନଳୀର ଗତିରେ ଧୀମାପଣ ଆସିଯାଇଥାଏ । ଫଳରେ ଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ । ପେଟରେ ଭାରୀପଣ, ବ୍ଲେଟିଂ ଓ ଗ୍ୟାସ୍ ଆସେ ।

ହାଲ୍କା ଯନ୍ତ୍ରଣା ବା ଅସହଜ ଅନୁଭବ: ବିଶେଷକରି ଭୋଜନ ପରେ ଏହି ସ୍ଥିତି ଅନୁଭବ ହୋଇଥାଏ । ଶୀତଦିନେ ପ୍ରାୟତଃ ଲୋକମାନେ ଛଣାଛଣୀ, ଅଧିକ ତେଲଜାତୀୟ ଖାଦ୍ୟ, ଅଧିକ ଚର୍ବିଜାତୀୟ ଖାଦ୍ୟ ଓ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଡାକ୍ତରଙ୍କ ମତରେ ଏପରି ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗିଥାଏ । ପୂର୍ବରୁ ପାଚନ ଶକ୍ତି ଧୀମା ଥିବା ବେଳେ ଭାରୀ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଭାରୀପଣ ଆସିବା ସହ ଗ୍ୟାସ ସମସ୍ୟା ବଢିବା ପରି ଅନୁଭବ ହୋଇଥାଏ ।

କମ୍ ପାଣି ପିଇବାର ପ୍ରଭାବ: ଡାକ୍ତରଙ୍କ ମତରେ ଏହି ଋତୁରେ କମ୍ ଶୋଷ ଲାଗିଥାଏ । କମ୍ ପାଣି ପିଇବା ଦ୍ୱାରା ଶରୀରରେ ଜଳଶୁଷ୍କତା ବଢିବା ସହ କବ୍ଚ, ଗ୍ୟାସ୍ ଓ ବ୍ଲେଟିଂ ପରି ସମସ୍ୟା ଦେଖା ଦେଇଥାଏ, ଯାହା ପେଟର ଭାରୀପଣ ସମସ୍ୟାକୁ ନହୁ ମାତ୍ରାରେ ବଢାଇଥାଏ ।

କେମିତି ଦୂର କରିପାରିବେ ସମସ୍ୟା?

ଡାକ୍ତରଙ୍କ ମତରେ ଏହି ସମସ୍ୟାକୁ ଦୂର କରିବାକୁ ହେଲେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ । ଯେପରିକି ହାଲ୍କା ଖାଦ୍ୟ ଖାଇବା, ରାତିରେ ଡେରିରେ ଖାଇବାଠାରୁ ଦୂରେଇ ରହିବା, ପର୍ଯ୍ୟାପ୍ତ ପାଣି ପିଇବା, ନିୟମିତ କିଛି ସମୟ ପାଇଁ ଶାରୀରିକ ଗତିବିଧି କରିବା କିମ୍ବା ବ୍ୟାୟାମ କରିବା, ଶରୀରକୁ ଉଷୁମ ରଖିବା ବିଶେଷକରି ପେଟ ଓ ଅଣ୍ଟାକୁ ହାଲ୍କା ଉଷୁମ ରଖିବା ଜରୁରି । ଏପରି ଛୋଟ ଛୋଟ ଉପାୟ କରିବା ଦ୍ୱାରା ପାଚନ ଶକ୍ତିକୁ ସହଯୋଗ ମିଳିଥାଏ । ଏଥିପାଇଁ ନିୟମିତ ପ୍ରୟାସ ଜାରି ରଖିବା ଜରୁରି । ଫଳରେ ପେଟ ଭାରୀ ଭାରୀ ଲାଗିବାଠାରୁ ଦୂରେଇ ରହିପାରିବେ ।