ନୂଆଦିଲ୍ଲୀ ୨୫/୦୨: ଜଣେ ଭ୍ରମଣ ବ୍ଲଗର୍ କେବଳ ଭିଡିଓ ଓ ଭଲ ରିଲ୍ ପ୍ରସ୍ତୁତି ଲାଗି ସିଙ୍ଗାପୁର ଏୟାରଲାଇନ୍ସର ପ୍ରଥମ ଶ୍ରେଣୀ ସୁଇଟରେ ଯାତ୍ରା କଲେ । ଏଥିପାଇଁ ୧୪ ହଜାର ଡଲାର ଖର୍ଚ୍ଚ କଲେ । ଏହା ଜରିଆରେ ‘ହାଇ ରୋଲର୍’ ଶବ୍ଦର ପରିଭାଷା ବଦଳାଇଦେଲେ । ହାଇ ରୋଲର୍ ସେହି ବ୍ୟକ୍ତିଙ୍କୁ କୁହାଯାଏ, ଯିଏ ଛୋଟ ସଫଳତା ପାଇଁ ବଡ଼ ଖର୍ଚ୍ଚ କରିବାକୁ ବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି କ୍ରମରେ ବ୍ୟକ୍ତି ଜଣଙ୍କ କେବଳ ସୋସିଆଲ ମିଡିଆରେ ଦର୍ଶକଙ୍କ ସଂଖ୍ୟା ବଢ଼ାଇବା ପାଇଁ ଏତେ ଅଧିକ ରାଶି ଖର୍ଚ୍ଚ କରିଛନ୍ତି । ମାମଲାକୁ ନେଇ ଇଣ୍ଟର୍ନେଟ୍ରେ ଖୁବ୍ ଚର୍ଚ୍ଚା ହେଉଛି ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ, ଆଣ୍ଟୋଇନ ନାମକ ବ୍ଲଗର୍ ସିଙ୍ଗାପୁର ଏୟାରଲାଇନ୍ସର ଏ-୩୮୦ ବିମାନର ଫର୍ଷ୍ଟ କ୍ଲାସ୍ ସୁଇଟରେ ବିଷୟବସ୍ତୁ ପ୍ରସ୍ତୁତି ଲାଗି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଟିକଟ କିଣିଲେ । ଏହି ସୁଇଟରେ ବିଳାସପୂର୍ଣ୍ଣ ଶଯ୍ୟା, ଭରପୂର ଷ୍ଟୋରେଜ୍ ଓ ଉତ୍ତମ ଖାଦ୍ୟପେୟର ବ୍ୟବସ୍ଥା ଥିଲା । ବ୍ଲଗର୍ ପ୍ରଥମ ଶ୍ରେଣୀ ଉଡ଼ାଣର ଶୀର୍ଷ ସୁବିଧା ବିଷୟରେ ଭିଡିଓ କରିଛନ୍ତି । ୟୁଟ୍ୟୁବ୍ରେ ଏହାକୁ ୧ କୋଟିରୁ ଅଧିକ ଥର ଦେଖାଗଲାଣି ।

 

ସୋସିଆଲ ମିଡିଆରେ ଲାଉଞ୍ଜଗୁରୁ ନାମରେ ପ୍ରସିଦ୍ଧ ଆଣ୍ଟୋଇନଙ୍କ ଜନ୍ମ ସ୍ଥାନ କାନାଡ଼ା । କିନ୍ତୁ ସେ ଦୁବାଇରେ ରହୁଛନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, ସେ ମାର୍କେଟିଂ କାମ କରନ୍ତି । କିନ୍ତୁ ସୋସିଆଲ ମଡିଆ ଲାଗି ଯାତ୍ରା ସମ୍ବନ୍ଧୀୟ ବିଷୟବସ୍ତୁ ପ୍ରସ୍ତୁତ କରିବା ତାଙ୍କର ଅନ୍ୟତମ କାମ । ବ୍ଲଗ୍ ଲାଗି ଆଣ୍ଟୋଇନ ନିଜ ସିଟକୁ ଯିବା ପରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ୍ ତାଙ୍କୁ ପାନୀୟ ବିକଳ୍ପ ଦେଲେ । ସେ ସ୍ମୁଦି ଚୟନ କଲେ । ଏହା ପରେ ବିଳାସପୂର୍ଣ୍ଣ ପାଇଜାମା, ଏକ ବିଳାସବହୁଳ ସ୍କିନକେୟାର କିଟ୍ ଏବଂ କୋଳାହଳଠୁ ଦୂରରେ ରଖୁଥିବା ହେଡଫୋନ୍ ତାଙ୍କୁ ଦିଆଗଲା । ତା’ପରେ ଭବ୍ୟ ଭୋଜନ ସହିତ କ୍ରିଷ୍ଟାଲ ଶାମ୍ପେନ୍ ଅର୍ଡର୍ ଦେଇ ବିମାନର ସୁପର୍ ଡିଲକ୍ସ ସୁବିଧାର ସେ ଆନନ୍ଦ ନେଲେ । ତାଙ୍କ ସୁଇଟରେ ଜିନିଷ ରଖିବା ପାଇଁ ଅନେକ ବ୍ୟକ୍ତିଗତ ଷ୍ଟୋରେଜ୍, ସର୍ବୋତ୍କୃଷ୍ଟ ସିଟ୍ କଣ୍ଟ୍ରୋଲ ଓ ଦୁଇଟି ବିଶାଳ ଟଚ୍ ସ୍କ୍ରିନ୍ ଥିଲା । ସ୍ନାନାଗାର ମୁଖ୍ୟ ଆକର୍ଷଣ ଥିଲା, ଯାହା ୩୮ ହଜାର ଫୁଟ ଉଚ୍ଚରେ ଏକ ପଞ୍ଚ-ତାରକା ସ୍ପା ଭଳି ଅନୁଭବ ପ୍ରଦାନ କରୁଥିବା ଆଣ୍ଟୋଇନ କହିଛନ୍ତି ।