ଭୁବନେଶ୍ୱର, ୦୫/୦୫ : ଷ୍ଟ୍ରିଟ୍‌ ଲାଇଟ୍‌ ବିଲ୍‌ରେ ହେରଫେର ଅଭିଯୋଗ ପରେ ଶେଷରେ ଚେତିଛି ବିଏମ୍‌ସି। ୧୨ ବର୍ଷ ହେବ ଖାଲି ପଡ଼ିଥିବା ଏନର୍ଜି ଅଡିଟର(ଶକ୍ତି ସମୀକ୍ଷକ) ପଦବି ଏବେ ପୂରଣ ହେବ। ଏନେଇ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଣିକି ଗୋଟି ଗୋଟି ବିଲ୍‌ର ହିସାବ ପରେ ବିଏମସି ବିଦ୍ୟୁତ ବିଲ ପୈଠ କରିବ । ବିଏମ୍‌ସିରେ ଦୀର୍ଘ ବର୍ଷ ହେଲା ଇଣ୍ଡିପେଣ୍ଡେଣ୍ଟ ଏନର୍ଜି ଅଡିଟର୍‌ ପଦବି ଫାଙ୍କା ପଡ଼ିଥିଲା । ଶକ୍ତି ସମୀକ୍ଷକ ନଥିବାରୁ ବିଏମ୍‌ସି ବିଲ ଅଡିଟ ନ କରି ଘରୋଇ କମ୍ପାନୀ ହାତକୁ କୋଟି କୋଟି ଟଙ୍କା ଟେକି ଦେଉଥିଲା । ଏନେଇ ଖବର ପ୍ରକାଶ ପରେ ବିଏମସିର ଚେତା ପଶିଛି । ଏହି କେଳେଙ୍କାରୀ ପଦାରେ ପଡ଼ିବା ପରେ ବିଏମ୍‌ସି ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଡକାଯାଇଥିଲା । ବୈଠକ ପରେ ଶକ୍ତି ସମୀକ୍ଷକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । 

ନିଷ୍ପତ୍ତି ଅନୁସାରେ ରାସ୍ତା ଆଲୋକ ପ୍ରକଳ୍ପର ପରିଚାଳନା, ତଦାରଖ, ବିଦ୍ୟୁତ୍‌ ବିଲ୍‌ ହିସାବ ପାଇଁ ଜଣେ ସ୍ୱାଧୀନ ଏନର୍ଜି ଅଡିଟର ନିଯୁକ୍ତି କରାଯିବ । ଏହାର ପରିଚାଳନା କରିବାକୁ ଟେଣ୍ଡର ଆହ୍ୱାନ କରାଯାଇଛି । ଏଥିପାଇଁ ବାର୍ଷିକ ୩୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହି ପରିଚଳନା କମ୍ପାନି ଏକ ଟିମ୍‌ ସହ ବିଦ୍ୟୁତ୍‌ ତଦାରଖ କରିବ । ଏହା ସହ ବିତ୍ୟୁତ୍‌ ବିଲ୍‌ ଯାଞ୍ଚ ସହ ସହରରେ ଲାଗିଥିବା ସବୁ ଲାଇଟର ଲକ୍ସ ଲେବଲ ମେଜର୍‌ମେଣ୍ଟ କରିବାକୁ ଉଲ୍ଲେଖ ରହିଛି । ପ୍ରତି ୬ ମାସରେ ଲାଇଟ୍‌ ଯାଞ୍ଚ କରାଯିବ । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବାର ପ୍ରାବଧାନ ରହିଛି । 

ଖବରପ୍ରକାଶ ପରେ ବିଏମ୍‌ସି ଏନର୍ଜି ଅଡିଟର ପାଇଁ ଟେଣ୍ଡର ଡାକିଛି । ହେଲେ ୧୨ ବର୍ଷ ହେଲା ବିନା ହିସାବରେ ଷ୍ଟ୍ରିଟ୍‌ ଲାଇଟ୍‌ ଏବଂ ବିଦ୍ୟୁତ୍‌ ପରିଚାଳନା ପାଇଁ ବିଏମ୍‌ସି ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି, ତାହାର ହିସାବ କିଏ ଦବ? ଏହି ସବୁ ଫାଇଲର ଯାଞ୍ଚ ହେବ ତ? ନା କୋଟି କୋଟି ଟଙ୍କାର ହିସାବ ଏମିତି ଲୁଚିଯିବ । ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଏମ୍‌ସିର ବିଭିନ୍ନ ଗଳିକନ୍ଦି ସମେତ ମୁଖ୍ୟ ରାସ୍ତାରେ ଲାଇଟ୍‌ ଲାଗିଛି । ଖାଲି ଏତିକି ନୁହେଁ, ଏବେ ଏନ୍‌ଏଚ୍‌ଏଆଇରେ ଲାଗିଥିବା ଲାଇଟର ପରିଚାଳନା ମଧ୍ୟ ବିଏମ୍‌ସି କରିବ । ଷ୍ଟ୍ରିଟ ଲାଇଟ ପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ବିଏମ୍‌ସି ପକ୍ଷରୁ ସଠିକ୍‌ ଭାବେ ଷ୍ଟ୍ରିଟ୍‌ ଲାଇଟ୍‌ ପରିଚାଳନା କରାଯାଉ ନଥିବା ନେଇ ଅଭିଯୋଗ ହେଉଛି ।

ଏହି ଖବରଟିକୁ ପଢନ୍ତୁ-ଉଠାଦୋକାନୀଙ୍କ ଦଶାହରେ କୁନି ଝିଅର କୋହଭରା ଲେଖା, 'ମୋ ଭଳି କେହି ଅନାଥ ନହୁଅନ୍ତୁ... ପୁଣି କିଛି ଘଟିବା ପୂର୍ବରୁ ବଡ଼ ଲୋକମାନେ କିଛି କରନ୍ତୁ’