ଭୁବନେଶ୍ୱର,୧୦/୦୨: ବର୍ଷ ବର୍ଷ ହେଲାଣି ହୋଲ୍ଡିଂ ଟ୍ୟାକ୍ସ ଗଡୁଛି । ଟଙ୍କାଏ କି ଦୁଇ ଟଙ୍କା ନୁହେଁ, କୋଟି କୋଟି ଟଙ୍କା । ଦବାର ନା ଗନ୍ଧ ନାହିଁ । ଏଥିରେ ପୁଣି ସରକାରୀ ଅଫିସ, ଅନୁଷ୍ଠାନ ଆଗରେ । ଏଭଳି ବଡ଼ ଖିଲାପକାରୀଙ୍କୁ ଚିହ୍ନଟ କରାଯିବ । ସେମାନଙ୍କ ଅନୁଷ୍ଠାନକୁ ସିଲ୍ କରାଯିବ । ସେପଟେ ଆଜି ପଟିଆ ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କକୁ ବିଏମ୍ସି ସିଲ୍ କରିଛି । ରାଜ୍ୟରେ ଅଗ୍ରଣୀ ସରକାରୀ ଅନୁଷ୍ଠାନ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଟିଆର) ସର୍ବାଧିକ ୪ କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବାକି ରଖିଛି । ସେହିପରି ବିଜେବି କଲେଜ ୩ କୋଟି ୫୦ ଲକ୍ଷ ଟଙ୍କାର ବକେୟା ରଖିଛି । ଏହି ଦୁଇ ବଡ଼ ଅନୁଷ୍ଠାନକୁ ବିଏମ୍ସି ପକ୍ଷରୁ ନୋଟିସ ଦିଆଯାଇଛି ।
ବିଏମ୍ସିରୁ ମିଳିଥିବା ତଥ୍ୟ ମୁତାବର ଇଡ୍କୋ ୧୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବାକି ରଖିଛି । ବିଏମ୍ସି ଅଞ୍ଚଳରେ ଇଡ୍କୋ ଅଧିନରେ ବହୁ କୋଠା ରହିଛି । ଏହି ସବୁ କୋଠାର ହୋଲ୍ଡିଂ ଟ୍ୟାକ୍ସ ଟଙ୍କା ବାକି ପଡିଛି । ସେହିପରି ଉଚ୍ଚ ଶିକ୍ଷାବିଭାଗ, କୃଷି ବିଭାଗ, ପୂର୍ତ୍ତ ଅଧୀନରେ ଥିବା ଏକାଧିକ ଅନୁଷ୍ଠାନ ବାକି ରଖିଛି । ପୁଲିସ କାର୍ଯ୍ୟାଳୟ, ମଧ୍ୟ ଟଙ୍କା ବାକି ରଖିଛି । କିଛି ଅଗ୍ରଣୀ ଘରୋଇ ସ୍କୁଲ, ଘରୋଇ ଅନୁଷ୍ଠାନ ମଧ୍ୟ ଟଙ୍କା ବାକି ରଖିଛନ୍ତି । ଏହି ତାଲିକାରେ କିଛି ବ୍ୟାଙ୍କ, ସପିଂ ମଲ୍ ବି ରହିଛନ୍ତି । ବିଏମ୍ସି ପକ୍ଷରୁ ଏଥର ୩୫୦ କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୦ କୋଟି ଟଙ୍କାର ରାଜସ୍ୱ ଆଦାୟ ସରିଛି । ବାକି ଟଙ୍କା ଆଦାୟ କରିବାକୁ ବିଏମ୍ସି ଲାଗିଛି ।
ଆହୁରି ପଢ଼ନ୍ତୁ :- ଗ୍ରୀନ୍ ହାଇଡ୍ରୋଜେନ-ମିଥାନଲ କେନ୍ଦ୍ର ପାଲଟୁଛି ଓଡ଼ିଶା, ନୌପରିବହନ କ୍ଷେତ୍ର ଇନ୍ଧନ ଚାହିଦା ପୂରଣ ଲକ୍ଷ୍ୟ
ବିଏମ୍ସି ପକ୍ଷରୁ ମାର୍ଚ୍ଚ ମାସ ପୂର୍ବରୁ ରାଜସ୍ୱ ଆଦାୟ ଜୋରଦାର କରାଯାଇଛି । ଏନେଇ ଘନ ଘନ ବୈଠକ ସହ ସବୁ ୱାର୍ଡରୁ କିପରି ରାଜସ୍ୱ ଆଦାୟ ହେବ ସେ ନେଇ ବୈଠକ ଚାଲିଛି । ତେବେ ଆଉ ମାସେ ଭିତରେ ହୋଲ୍ଡିଂ, ବାଣିଜ୍ୟିକ ଅନୁଷ୍ଠାନରୁ ଆହୁରି ୫୮ କୋଟି ଟଙ୍କାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି କିପରି ଅଧିକ ଟଙ୍କା ଆଦାୟ ହେବ ସେ ନେଇ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ଅଧିକାରୀ ଘରକୁ ଘର ବୁଲି ଟଙ୍କା ଆଦାୟ କରୁଛନ୍ତି । ଏ ବର୍ଷ ବିଏମ୍ସି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପୂର୍ବବର୍ଷ ଜାନୁଆରୀ ମାସରେ ବିଏମ୍ସି ୮୧ କୋଟି ଟଙ୍କା ରାଜସ୍ୱ ଆଦାୟ କରିଥିବା ବେଳେ ଏଥର ୧୪୦ ଛୁଇଁଲାଣି ।
ବିଏମ୍ସି ଓଏସ୍ଡ଼ି ସୂର୍ଯ୍ୟମଣି ପାଟ୍ଟଯୋଶୀ (ହୋଲ୍ଡିଂ ଟ୍ୟାକ୍ସ) କହିଛନ୍ତି, ଏକାଧିକ ଅନୁଷ୍ଠାନକୁ ଟଙ୍କା ପୈଠ କରିବାକୁ ନୋଟିସ ପ୍ରଦାନ କରାଯାଇଛି । ଏହି ତାଲିକାରେ ଏକାଧିକ ସରକାରୀ ଅନୁଷ୍ଠାନ ଅଛନ୍ତି । ମାର୍ଚ୍ଚ ମାସ ସୁଦ୍ଧା ପୈଠ ନ କଲେ ବିଏମ୍ସି ତାଲିକା ଜାରି କରିବ ।