ଭୁବନେଶ୍ୱର, ୧୦/୦୨ : ଇଣ୍ଟରନ୍ୟାସନାଲ ମାରିଟାଇମ୍‌ ଅର୍ଗାନାଇଜେସନ ଜାହାଜଗୁଡ଼ିକ ଲାଗି ସବୁଜ ଇନ୍ଧନ ବ୍ୟବହାରକୁ କଡାକଡି କରିଛି । ଫଳରେ ନୌପରିବହନ କ୍ଷେତ୍ରରେ ଗ୍ରୀନ ମିଥାନଲ ଭିତ୍ତିକ ଇନ୍ଧନ ଚାହିଦା ବଢ଼ିଛି । ଏଭଳି ସ୍ଥିତିରେ ଓଡ଼ିଶା ଏବେ ଦ୍ରୁତ ଅଭିବୃଦ୍ଧିଶୀଳ ଗ୍ରୀନ ହାଇଡ୍ରୋଜେନ- ମିଥାନଲ କେନ୍ଦ୍ର ଭାବେ ରୂପାନ୍ତରିତ ହେଉଛି । ରାଜ୍ୟରେ ଅକ୍ଷୟ ଶକ୍ତି ଉତ୍ପାଦନର ସମ୍ଭାବନା, ବନ୍ଦରଭିତ୍ତିକ ଦୃଢ଼ ଭିତ୍ତିଭୂମି ଯୋଗୁ ଦେଶବିଦେଶର କମ୍ପାନିଗୁଡ଼ିକ ଏ କ୍ଷେତ୍ରରେ ରାଜ୍ୟରେ ନିବେଶ ନେଇ ଆଗଭର ହେଉଛନ୍ତି

ସୂଚନା ମୁତାବକ, ଗ୍ରୀନ ହାଇଡ୍ରୋଜେନ ଏବଂ ମିଥାନଲ କ୍ଷେତ୍ରରେ ରାଜ୍ୟ ୭୦ ହଜାର କୋଟିରୁ ୧ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ପାଇଛି । ପାରାଦୀପ, ଧାମରା ଏବଂ ଗୋପାଳପୁରରେ ଏହି ପ୍ରକଳ୍ପଗୁଡ଼ିକ ଆସିବାକୁ ଯାଉଛି । ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ଗ୍ରୀନ ମିଥାନଲ ଉତ୍ପାଦନ କ୍ଷମତା ଆଗାମୀ କିଛି ବର୍ଷରେ ବାର୍ଷିକ ୨-୩ ନିୟୁତ ଟନ୍‌ ଛୁଇଁବ । ୧ ଟନ୍‌ ଗ୍ରୀନ ମିଥାନଲ ଲାଗି ୧ରୁ ୧.୨ ଟନ୍‌ ଗ୍ରୀନ ହାଇଡ୍ରୋଜେନ ଆବଶ୍ୟକତା ହୋଇଥାଏ । ସେହିଭଳି ୫ରୁ ୬ ଗିଗାୱାଟ ସୌର ଏବଂ ପବନ ଶକ୍ତି ଏହି ୟୁନିଟଗୁଡ଼ିକର ଶକ୍ତି ଚାହିଦା ପୂରଣ ଲାଗି ଯୋଜନା ହେଉଛି । ରାଜ୍ୟରେ ଏବେ ୮ ଗିଗାୱାଟ ଅକ୍ଷୟ ଶକ୍ତି ସ୍ଥାପନ କ୍ଷମତା ରହିଛି । କେନ୍ଦ୍ର ସରକାରଙ୍କ ଗ୍ରୀନ ହାଇଡ୍ରୋଜେନ ମିଶନ ରାଜ୍ୟରେ ଏଭଳି ଶିଳ୍ପ ଲାଗି ସହାୟକ ହେବ । ଏ କ୍ଷେତ୍ରରେ ଓଡ଼ିଶାରୁ ରପ୍ତାନିର ମଧ୍ୟ ବଡ଼ ସମ୍ଭାବନା ସୃଷ୍ଟି ହେବ । ଏହାଦ୍ୱାରା ରାଜ୍ୟରେ ୨୦ରୁ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସମ୍ଭାବନା ରହିଛି । ଅକ୍ଷୟଶକ୍ତି, ଇଲେକ୍ଟ୍ରୋଲାଇଜର୍ସ, ପ୍ଲାଣ୍ଟ ପରିଚାଳନା, ଲଜିଷ୍ଟିକ୍ସ ଏବଂ ପୋର୍ଟ ସର୍ଭିସ କ୍ଷେତ୍ରରେ ଆସିବ ନିଯୁକ୍ତି । 

ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ୨୦୩୦ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏହା ଦ୍ୱାରା ରାଜ୍ୟ ଭବିଷ୍ୟତ ଇନ୍ଧନ କ୍ଷେତ୍ରରେ ଶକ୍ତିକେନ୍ଦ୍ର ପାଲଟିବ । ଏହି କ୍ରମରେ ଏସିଏମ୍‌ଇ ଗ୍ରୁପ ଓଡ଼ିଶାରେ ବାର୍ଷିକ ୨୦୦ କିଲୋଟନ ଗ୍ରୀନ ମିଥାନଲ ୟୁନିଟ ସ୍ଥାପନ ଯୋଜନା ରଖିଛି । ଏ ନେଇ ଇପିକଲ ସହ ଚୁକ୍ତିରେ ସାମିଲ ହୋଇଛି କମ୍ପାନି । ଏସିଏମ୍‌ଇ ଅକ୍ଷୟ ଏନର୍ଜି ପ୍ରାଇଭେଟ ଲିମିଟେଡ ନାମକ ପ୍ରକଳ୍ପ ଅଧିନରେ ଏହି ଫାସିଲିଟି ସ୍ଥାପନ କରାଯିବ । ଏହାଦ୍ୱାରା କେନ୍ଦ୍ରାପଡା ଜିଲ୍ଲାରେ ୧୧୦୦ ନିଯୁକ୍ତି ସୃଷ୍ଟି ହେବ । ଏସିଏମ୍‌ଇ ଗ୍ରୀନ ହାଇଡ୍ରୋଜେନ ଏବଂ ଆମୋନିଆ ବ୍ୟବସାୟ ୟୁନିଟର ମୁଖ୍ୟ ପରିଚାଳନା ଅଧିକାରୀ ଅନିଲ ତାପରିଆ କହିଛନ୍ତି, ପାରାଦୀପ ଏବଂ ଗୋପାଳପୁରରେ ଆମେ ଏକାଧିକ ଗ୍ରୀନ ହାଇଡ୍ରୋଜେନ ଏବଂ ଆମୋନିଆ ପ୍ରକଳ୍ପ ସ୍ଥାପନ ଦିଗରେ ଅଗ୍ରସର । ଓଡ଼ିଶାରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମୂଲ୍ୟରେ ଗ୍ରୀନ ମିଥାନଲ ଉତ୍ପାଦନ କରିବା ଲକ୍ଷ୍ୟ ।

ଏହି ଖବରଟିକୁ ପଢନ୍ତୁ- ବଦଳିବ ରାଜ୍ୟ ରାଜପଥ ରୂପରେଖ, ହେବ ୪ ଲେନ୍‌: କଟକ ପାଇଁ ଆଉଟର ରିଙ୍ଗରୋଡ୍ ଯୋଜନା