ଭୁବନେଶ୍ୱର,୧୮/୦୩: ଟାର୍ଗେଟ ଥିଲା ୩୪ କୋଟି ଆଦାୟ କରିବେ । ଏନ୍ଫୋର୍ସମେଣ୍ଟ ଟିମ୍କୁ ସାଙ୍ଗରେ ନେଇ ସହର ସାରା ବୁଲିଲେ ବିଏମସି କର୍ତ୍ତୃପକ୍ଷ । ଆଉ ଦିନ କେଇଟା ପରେ ମାର୍ଚ୍ଚ ମାସ ସରିବ । ହେଲେ ଆଦାୟ ହୋଇଛି ମାତ୍ର ୧୭୫ କୋଟି ଟଙ୍କା । ଚଳିତ ବର୍ଷ ବି ଟିକସ ଆଦାୟରେ ବିଏମ୍ସି ଫେଲ ମାରିଛି । ବିଏମ୍ସି ୨୦୨୫-୨୬ ଆର୍ଥିକ ବର୍ଷରେ ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ ଆଦାୟରେ ପୁଣି ଫେଲ୍ ମାରିଛି । ୧୦୦ କୋଟି ଟଙ୍କା ଛୁଇଁ ପାରିଲା ନାହିଁ । ଚଳିତ ବର୍ଷ ୧୩୨ କୋଟି ଟଙ୍କା ଡିମାଣ୍ଡ ଥିବା ବେଳେ ୧୨୦ କୋଟି ଟଙ୍କାର ଟାର୍ଗେଟ ଦିଆଯାଇଥିଲା । ହେଲେ ୩ଟି ଜୋନ୍ରୁ ଆଦାୟ ହୋଇଛି ମାତ୍ର ୭୨ କୋଟି । ଯାହାକି ସମୁଦ୍ରକୁ ଶଙ୍ଖେ । ଦକ୍ଷିଣ-ପୂର୍ବ ଜୋନକୁ ୪୨ କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଟାର୍ଗେଟ ଦିଆଯାଇଥିଲା । ହେଲେ ଆଦାୟ ହୋଇଛି ମାତ୍ର ୨୭.୮୭ କୋଟି । ଟାର୍ଗେଟର ମାତ୍ର ୬୪ ପ୍ରତିଶତ ଆଦାୟ କରିଛି ଜୋନ୍ ।

ସେହିପରି ଦକ୍ଷିଣ-ପଶ୍ଚିମ ଜୋନ୍ ୪୦ କୋଟିର ଟାର୍ଗେଟ ନେଇଥିବା ବେଳେ ଆଦାୟ କରିଛି ମାତ୍ର ୨୩.୩୪ କୋଟି । ସେହିପରି ଉତ୍ତର ଜୋନରେ ୫୦ କୋଟି ଟାର୍ଗେଟରୁ ମାତ୍ର ୨୦ କୋଟି ଟଙ୍କା ଆଦାୟ ହୋଇଛି । ମିଳିଥିବା ସୂଚନା ମୁତାବକ ବିଏମ୍ସି ସମୁଦାୟ ୧୭୫ କୋଟି ଟଙ୍କାର ରାଜସ୍ୱ ଆଦାୟ କରିଛି । ସେଥିମଧ୍ୟରୁ ୭୨ କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ୍ ଲାଇସେନ୍ସ ବାବଦକୁ ୬ କୋଟି ୯୮ଲକ୍ଷ, ବିଜ୍ଞାପନରେ ୧୪କୋଟି, ଅର୍ବାନ ରେଣ୍ଟ୍ରୁ ୫.୨କୋଟି, ପ୍ଲାନିଂରୁ ୨୫ କୋଟି, ଏନ୍ଓସି ବାବଦକୁ ୧୧କୋଟି, ପାର୍କିଂରୁ ୯୦ଲକ୍ଷ ଏବଂ ଅନ୍ୟାନ୍ୟ ବାବଦକୁ ୫୦କୋଟିର ରାଜସ୍ୱ ଆଦାୟ ହୋଇଛି । ସେପଟେ କିଛି ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ନାଁରେ କୋଟି କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ବକେୟା ପଡିଛି ।

ଆହୁରି ପଢନ୍ତୁ-ଖସାଡ଼ିହା ଜଙ୍ଗଲ ଫେରାଇଲା ପୁରୁଣା ବନ୍ଧୁତା: ବିବାଦ ଭୁଲି ଦୁଇ ଗାଁକୁ ଏକାଠି ବାନ୍ଧିଲା ‘ସବୁଜ ବାହିନୀ’

ବାରମ୍ବାର ନୋଟିସ ସତ୍ତେ୍ୱ ଏହି ସବୁ ଅନୁଷ୍ଠାନ ଟିକସ ପୈଠ କରିନାହାନ୍ତି । ଏହି ସବୁ ଅନୁଷ୍ଠାନ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି । ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ହୋଲ୍ଡିଂ ଟ୍ୟାକ୍ସ ଡିମାଣ୍ଡରେ ଭଲ ପ୍ରଦର୍ଶନ ରହିଛି । ଆଗକୁ ଟାର୍ଗେଟ ପୂରଣ କରିବାକୁ ଲକ୍ଷ୍ୟ ରଖିଛୁ । କିଛି ସରକାରୀ ଅନୁଷ୍ଠାନ ଟଙ୍କା ବାକି ରଖିଛନ୍ତି । ଆଦାୟ ପାଇଁ ସେମାନଙ୍କୁ ବିଏମ୍ସି ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏ ବର୍ଷ ୨୪୦ କୋଟି ଟଙ୍କା ଆଦାୟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।