ଖୁବ୍ଶୀଘ୍ର ବିଏମ୍ସିର ନୂଆ ବିଲ୍ଡିଂ

ଭୁବନେଶ୍ୱର,୧୭ ।୬(ବ୍ୟୁରୋ): ଖୁବ୍ଶୀଘ୍ର ବିଏମ୍ସିର ନୂଆ ବିଲ୍ଡିଂ ଠିଆ ହେବ । ସତ୍ୟନଗର କାଳୀମନ୍ଦିର ଅପର ପାଶ୍ୱର୍ରେ ୧୧ତାଲା ବିଶିଷ୍ଟ ଆକର୍ଷଣୀୟ କୋଠା ବିଏମ୍ସିର ନୂଆ ଠିକଣା ପାଲଟିବ । ଏଥିପାଇଁ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ବିଏମ୍ସିର ନୂଆ ବିଲ୍ଡିଂ ସହ ସ୍ମାର୍ଟ ସିଟି ମିଶନର ପ୍ରକଳ୍ପ ଇଣ୍ଟେଲିଜେଣ୍ଟ ସିଟି ଅପରେସନ ସେଣ୍ଟର(ଆଇସିଓଏମ୍ସି) ତିଆରି ହେବ । ପ୍ରାୟ ୪ ଏକର ଜାଗାରେ ଏହି ପ୍ରକଳ୍ପ କରିବାକୁ ପ୍ରସ୍ତାବ ରହିଛି । ଏଥିପାଇଁ ପ୍ରଥମେ ଜମି ଅଧିଗ୍ରହଣ ପକ୍ରିୟା ସମ୍ପୂର୍ଣ୍ଣ କରିଛି ବିଏମ୍ସି । ଏହି ଜାଗାକୁ ନିଜ ଅଧୀନକୁ ଆଣିବାକୁ ବିଏମ୍ସି ୨୦୧୭ ଜାନୁୟାରୀ ୧ ତାରିଖରେ ସାଧାରଣ ପ୍ରଶାସନ ବିଭାଗକୁ ଅନୁମତି ମାଗିଥିଲା । ସାଧାରଣ ପ୍ରଶାସନ ବିଭାଗ ୨୦୧୮ ମେ ୩୦ତାରିଖରେ ଏହି ଜାଗା ବିଏମ୍ସିକୁ ହସ୍ତାନ୍ତର କରିଥିଲା ।
ଏହି ଜାଗା ବିଏମ୍ସି ଅଧୀନକୁ ଆସିବା ପରେ ବିଲ୍ଡିଂ ପାଇଁ ପ୍ରକ୍ରିୟା ଜୋର୍ସୋରରେ ଆରମ୍ଭ ହୋଇଯାଇଛି । ଏଥିରେ ଥିବା ୧୨ଟି ସରକାରୀ କ୍ୱାର୍ଟର୍ସକୁ ଭଙ୍ଗାଯାଇଛି । ୪ଟି ୪ଆର୍ କ୍ୱାର୍ଟର୍ସ ଓ ୮ଟି ୩ଆର୍ କ୍ୱାର୍ଟର୍ସକୁ ଭଙ୍ଗାଯାଇଛି । ୧୨ଟି କ୍ୱାର୍ଟର୍ସ ସହ ଓଏଫଡିସିର କାଠ ଗୋଦାମକୁ ମଧ୍ୟ ହଟାଇ ଦିଆଯାଇଛି । ୟୁଆର୍ସି ନାମକ ଏକ ସଂସ୍ଥା ଏହି ପ୍ରକଳ୍ପ ନିର୍ମାଣ ପାଇଁ ଟେଣ୍ଡର ନେଇଛି । ୨୦୨୧ ଜୁନ୍ ୩ ତାରିଖ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏବେ ପ୍ରକଳ୍ପ ତିଆରି ପାଇଁ ମାଟି ପରୀକ୍ଷା ଚାଲିଛି । ବାଲି ଫିଲିଂ କାମ ବି ହେବ । ଖୁବ୍ଶୀଘ୍ର ଏହି ବିଲ୍ଡିଂର ନିର୍ମାଣ କାମ ଆରମ୍ଭ ହୋଇଯିବ ବୋଲି ସ୍ମାର୍ଟ ସିଟି ଲିଃର ଯନ୍ତ୍ରୀ ଅଶ୍ୱିନୀ ବିଶ୍ୱାଳ କହିଛନ୍ତି ।