ଭୁବନେଶ୍ବର, ୧୮।୫ : ପଇଡ ପିଇ ଫିଙ୍ଗୁଛନ୍ତି ? ପୁରୁଣା ଡ୍ରେସ ଆଲମିରାରେ ଗଦା ହୋଇ ରହୁଛି ? ଆଉ ଏହାକୁ ଫିଙ୍ଗନ୍ତୁନି । ଏହି ପଇଡ ଚୋପାରୁ ହେବ ଘରସଜ୍ଜା ସାମଗ୍ରୀ। ପଇଡକୁ ସଂଗ୍ରହ କରିବ ବିଏମସି। ଭୁବନେଶ୍ୱର ମହାନଗର ନିଗମ ଖୋଲିଲା ‘ଥ୍ରୀ ଆର କିଓସ୍କ’। ଥ୍ରୀ ଆର ମାନେ - ରିଡ୍ୟୁସ, ରିୟୁଜ, ରିସାଇକ୍ଲିଂ । ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ମେୟର ସୁଲୋଚନା ଦାସ ରାଜମହଲ ଛକରେ କିଓସ୍କ ଉଦଘାଟନ କରିଛନ୍ତି । ସାମଗ୍ରୀ ସଂଗ୍ରହ ପାଇଁ ୩ଟି ସ୍ୱତନ୍ତ୍ର ଗାଡ଼ିକୁ ବି ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।
ଫିଙ୍ଗା ଯାଉଥିବା ନଡ଼ିଆ କତା, ପଇଡ ଚୋପାରୁ ତିଆରି ହୋଇ ହାତୀ, ଘୋଡ଼ା, ଘରସଜ୍ଜା ସାମଗ୍ରୀ ମିଳିବ। ସବୁ ବିକ୍ରି ହେବ କମ୍ ମୂଲ୍ୟରେ। ମାନେ ଶସ୍ତା, ସୁନ୍ଦର, ସଷ୍ଟେନେବଲ। ସେହିପରି ଆପଣଙ୍କ ପୁରୁଣା ପୋଷାକ ଏହି ୩ଟି ଗାଡ଼ି ଆପଣଙ୍କ ଘରକୁ ଯାଇ ସଂଗ୍ରହ କରିବ। ତା’ପରେ ଭଲ ଭାବେ ସଫା ହୋଇ ଯେଉଁ ଗରିବ ଲୋକଙ୍କ ପାଖରେ ଡ୍ରେସ ନାହିଁ, ତାଙ୍କୁ ମାଗଣାରେ ମିଳିବ।
ଅଳିଆରୁ ଆୟ ହେବ, ଆଉ ପୁରୁଣାରୁ ନୂଆ ସମ୍ପର୍କ ତିଆରି ହେବ। ଭୁବନେଶ୍ୱରବାସୀ ଡାବ ଚୋପା ଆଉ ପୁରୁଣା ଡ୍ରେସ ଫିଙ୍ଗନ୍ତୁନି। ବିଏମସି ଗାଡ଼ିକୁ ଡାକନ୍ତୁ। ସହର ସଫା ବି ରହିବ, ଗରିବ ହସିବ ବି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି।
ଆହୁରି ପଢନ୍ତୁ : ଗାଁକୁ ଯିବ ତହସିଲ ଅଫିସ, ଲୋକଙ୍କ ସମସ୍ୟା ବୁଝିବେ ଅଧିକାରୀ