• ତୃଣମୂଳସ୍ତରରେ ପହଂଚିବ ରାଜସ୍ୱ ସେବା
  • ତହସିଲ୍ ପକ୍ଷରୁ ପଂଚାୟତ ସ୍ତରରେ ହେବ କ୍ୟାମ୍ପ୍ କୋର୍ଟ
  • ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ୍ ଅଫିସର୍ ଭାବେ ଜିଲ୍ଲା ଦାୟିତ୍ଵ

ଭୁବନେଶ୍ୱର,  ୧୮।୫ : ଗାଁକୁ ଯିବ ତହସିଲ ଅଫିସ।  ରାଜସ୍ବ ବିଭାଗ ପକ୍ଷରୁ ଆରମ୍ଭ ହେବ ‘ଆମ ଗାଁ ଆମ ତହସିଲ’ କାର୍ଯ୍ୟକ୍ରମ। ରାଜସ୍ୱ ବିଭାଗ ସମ୍ପର୍କିତ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଗାଁରେ ପହଞ୍ଚିବେ ଅଧିକାରୀ। ୨ ବର୍ଷ ପୂର୍ତ୍ତି ଅବସରରେ ରାଜସ୍ୱ ବିଭାଗ ଆଣିବ ନୂଆ ଯୋଜନା ଆମ ଗାଁ ଆମ ତହସିଲ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଏଥିପାଇଁ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ  କରାଯିବ । ଯେଉଁ ମାନେ ଜିଲ୍ଲା ବୁଲି ରାତିରେ ରହି  ଲୋକଙ୍କ ପାଖରୁ ମତାମତ ନେବେ ବୋଲି ସେ କହିଛନ୍ତି। ବିଗତ ଦୁଇ ବର୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଭିନ୍ନ ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ  ଆଲୋଚନା କରି ପ୍ରତିଟି ଲୋକ ପାଖେ ରାଜସ୍ୱ ସେବା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

ଲୋକସେବା ଭବନଠାରେ ରାଜସ୍ୱ  ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l  ଏଥିରେ ମନ୍ତ୍ରୀ କହିଛନ୍ତି ଯେ, ଯାହା ଆମେ ଉପଲବ୍ଧି କରୁଛେ, ତାହା ଆମ ସଫଳତା ନୁହେଁ ; ବରଂ ଯେଉଁ ଯୋଜନା ଅଥବା ପଦକ୍ଷେପକୁ ସାଧାରଣ ଲୋକେ ସଫଳ ବୋଲି ବିବେଚନା କରୁଛନ୍ତି ତାହା ହିଁ ଆମ ଉପଲବ୍ଧିl  ଆଗାମୀ ଦିନର ବିଭିନ୍ନ ନୂତନ ପଦକ୍ଷେପ ଏବଂ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି lରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାମାନଙ୍କର ନୋଡାଲ୍ ଅଫିସର୍ ଭାବେ ଦାୟିତ୍ଵ ଦିଆଯିବା ସହ ଆଗାମୀ ଦିନରେ ସେମାନେ ଉକ୍ତ ଜିଲ୍ଲାମାନଙ୍କର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଏହି ପରିଦର୍ଶନ ସମୟରେ ବରିଷ୍ଠ ଅଧିକାରୀ ଜିଲ୍ଲାମାନଙ୍କରେ ରାତ୍ରରହଣି ସହ ସରକାରଙ୍କ ରାଜସ୍ୱ ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରିବେ।  ଲୋକମାନଙ୍କୁ ବିଭାଗର ପ୍ରମୁଖ ଉପାଦେୟ ସେବା ସମ୍ପର୍କରେ ସଚେତନ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି l

​​​​​​​

ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ତହସିଲକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ନିମନ୍ତେ ନୂତନ ପଦକ୍ଷେପ ସ୍ଵରୁପ ଖୁବ୍ ଶୀଘ୍ର 'ଆମ ଗାଆଁରେ ଆମ ତହସିଲ୍' କାର୍ଯ୍ୟକ୍ରମ ହାତକୁ ନିଆଯିବ l ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଗ୍ରାମ ଅଥବା ପଞ୍ଚାୟତସ୍ତରରେ ତହସିଲ୍ କ୍ୟାମ୍ପ୍ କୋର୍ଟ୍ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକମାନଙ୍କୁ ତହସିଲ୍ କାର୍ଯ୍ୟାଳୟ ଆସିବାକୁ ପଡୁଥିବା ବେଳେ ଏଣିକି କ୍ୟାମ୍ପ୍ କୋର୍ଟ ମାଧ୍ୟମରେ ଗାଆଁ-ଗାଆଁରେ ତହସିଲ୍ କାର୍ଯ୍ୟାଳୟର ଅଧିକାରୀମାନେ ଲୋକମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ l ଏଥିସହିତ କ୍ୟାମ୍ପ କୋର୍ଟ ମାଧ୍ୟମରେ ରାଜସ୍ୱ ସେବା ସମ୍ପର୍କିତ ଲୋକମାନଙ୍କ ଅଭିଯୋଗ ଶୁଣାଣି କରାଯାଇ ତ୍ଵରିତ ସେବା ପ୍ରଦାନ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l

ସେହିପରି ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକୁ ସରଳୀକରଣ କରାଯିବା ନେଇ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଖୁବ୍ ଶୀଘ୍ର ବିସ୍ଥାପିତ ଲୋକମାନଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି l ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. କମଳ ଲୋଚନ ମିଶ୍ର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l

ଆହୁରି ପଢନ୍ତୁ : ରାଜ୍ୟରେ ଅପରାଧୀଙ୍କ ପାଇଁ ସ୍ଥାନ ନାହିଁ