ଭୁବନେଶ୍ୱର,୨୯/୦୮: ସ୍ୱାୟତ୍ତ  ଶାସନ ଦିବସ ଏଥର ଧୁମଧାମରେ  ପାଳନ କରିବ ଭୁବନେଶ୍ୱର ମ୍ୟୁନିସିପାଲ  କର୍ପୋରେସନ(ବିଏମ୍‌ସି) । ଚଳିତ ବର୍ଷ ରାଜଧାନୀବାସୀଙ୍କ ପାଇଁ ପ୍ରକଳ୍ପ ବର୍ଷା  କରିବାକୁ ଯାଉଛି ବିଏମ୍‌ସି । ରାଜ୍ୟସ୍ତରୀୟ  କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସବୁ ମେଗା  ପ୍ରକଳ୍ପକୁ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ ।  ବିଏମ୍‌ସିର ବିଭିନ୍ନ ୱାର୍ଡରେ କାର୍ଯ୍ୟକ୍ରମ କରିବାକୁ  ଯୋଜନା କରାଯାଇଛି ।  

ଭୁବନେଶ୍ୱର ରେଲ୍‌ ଅଡିଟୋରିୟମରେ  ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।  ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ମନ୍ତ୍ରୀ  ଏବଂ ଅଧିକାରୀ ସାମିଲ ହେବେ । ଚଳିତ  ବର୍ଷ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଏମ୍‌ସିର  ଅଧିକାଂଶ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ  ହେବାର କାର୍ଯ୍ୟକ୍ରମ ରହିଛି । ମେହରପାଲିରେ ୨୦୦ ଟନ୍‌ ବିଶିଷ୍ଟ ମେଗା ବାୟୋଗ୍ଲାସ ପ୍ଲାଣ୍ଟର  ଶିଳାନ୍ୟାସ ହେବ । ଏହି ବାୟୋ ମିଥେନ୍‌ ପ୍ଲାଣ୍ଟରେ ଓଦା ବର୍ଜ୍ୟକୁ ପ୍ରକ୍ରିୟାକରଣ କରାଯାଇ  ମିଥେନ୍‌ ଗ୍ୟାସ୍‌ ଉତ୍ପାଦନ କରାଯିବ । ଏହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ । ଏନେଇ ପୂର୍ବରୁ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିଲା ।  

ପଳାଶୁଣିରେ ନିର୍ମିତ ମେଗା ଏମ୍‌ସିସି ମଧ୍ୟ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଏମ୍‌ସିସି ପ୍ଲାଣ୍ଟରେ ଶୁଖିଲା ବର୍ଜ୍ୟକୁ ପ୍ରକ୍ରିୟାକରଣ  କରାଯିବ । ଏହାର କାର୍ଯ୍ୟ ୭ ମାସ ତଳୁ ସରିଛି ।  ଏହା ସହ ସୈନିକ ସ୍କୁଲ ନିକଟରେ ଥିବା ଟିଟିଏସ୍‌  ଭିତରେ ହୋଇଥିବା ପ୍ଲାଜମାକୁ ମଧ୍ୟ ଉଦ୍‌ଘାଟନ  କରିବାର କର୍ଯ୍ୟକ୍ରମ ରହିଛି ।

ବିଏମ୍‌ସି ପକ୍ଷରୁ ଜାମୁକୋଳିରେ ଏକ ଅତ୍ୟାଧୁନିକ ଗୋଶାଳା ନିର୍ମାଣ କରାଯିବ ।  ଏହି ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପନ କରିବ ବିଏମ୍‌ସି । ଏହା ସହ ସତ୍ୟନଗରରେ ଉନ୍ନୀତ କରାଯାଇଥିବା ଶ୍ମଶାନର ମଧ୍ୟ ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି । ବିଏମ୍‌ସି ଜଳବନ୍ଦୀ ସମସ୍ୟା ହଟାଇବାକୁ  ମଧ୍ୟ ଯୋଜନା ରହିଛି। ଚଳିତ ବର୍ଷ ଇସ୍କନ ଓ  ବମିଖାଲ ନିକଟରେ ଦୁଇଟି ନୂଆ ଡ୍ରେନ୍‌, ବିଭିନ୍ନ  ୱାର୍ଡରେ ନିର୍ମାଣ ହୋଇଥିବା ୱାର୍ଡ ଅଫିସ, ରାସ୍ତା ଆଦିର ଉଦ୍‌ଘାଟନ ହେବାକୁ ତାଲିକା ପ୍ରସ୍ତୁତ କରାଯାଇଛି । ବିଏମ୍‌ସି ପକ୍ଷରୁ ଏଣିକି  ହ୍ୱାଟ୍‌ସ ଆପ୍‌ ଚାର୍ଟ ବୋଟରେ ଟିକସ ଆଦାୟ  କରାଯିବ । ଏହା ସହ ବିଭିନ୍ନ ଅଭିଯୋଗଠାରୁ  ଏହାର ସମାଧାନ ପର୍ଯ୍ୟନ୍ତ ସବୁ କାର୍ଯ୍ୟକାରୀ  କରିବାକୁ ଯୋଜନା କରାଯାଇଛି ।  

ଏଥର ୱାର୍ଡସ୍ତରୀୟ କାର୍ଯ୍ୟକ୍ରମକୁ ମଧ୍ୟ  ଜୋରଦାର କରାଯିବ । ୱାର୍ଡରେ ଥିବା ବିଭିନ୍ନ  ପାର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ  ହେବ । ଏଥିରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ  ଯୋଗଦେବ । ବିଭିନ୍ନ ପ୍ରତିଯୋଗିତା ଆୟୋଜନ  ହେବ ।