ଭୁବନେଶ୍ୱର, ୨୧/୦୪: ବିଏମ୍‌ସି ପକ୍ଷରୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପାର୍କିଂ କରାଯାଇଛି । ହେଲେ ଏହି ସବୁ ପାର୍କିଂ ନିଲାମ ଯାଉନି । ଗୋଟିଏ କି ଦୁଇଟି ନୁହେଁ, ଏମିତି ଡଜନେରୁ ଅଧିକ ପାର୍କିଂ ଚଳିତ ବର୍ଷ ନିଲାମ ଗଲାନି । ବାଧ୍ୟ ହୋଇ ବିଏମ୍‌ସି ପୁଣି ୧୦ ପ୍ରତିଶତ କମ୍ ଅପସେଟ୍ ପ୍ରାଇସ୍‌ରେ ଟେଣ୍ଡର ଆହ୍ୱାନ କରିଛି । ଫଳରେ ବାର୍ଷିକ କୋଟି କୋଟି ରାଜସ୍ୱ ହରାଇବ ବିଏମ୍‌ସି ।

କୋଟିଏରୁ ଅଧିକ ଟଙ୍କାର ରାଜସ୍ୱ ହରାଇବେ

ବିଏମ୍‌ସି ପକ୍ଷରୁ ମୋଟ୍ ୧୬ଟି ପାର୍କିଂ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଦକ୍ଷିଣ-ପୂର୍ବ ଜୋନ୍‌ରେ ୯ଟି ଏବଂ ଉତ୍ତର ଜୋନ୍ରେ ୭ଟି ପାର୍କିଂ ରହିଛି । ଏହି ସବୁ ପାର୍କିଂ ମଧ୍ୟରେ ବହୁ ହାଇ ପ୍ରୋଫାଇଲ ପାର୍କିଂ ବି ରହିଛି । ଶ୍ରୀଲିଙ୍ଗରାଜ ମନ୍ଦିର ପାଖରେ ୧୧,୩୩୧ ବର୍ଗଫୁଟର ପାର୍କିଂ ପାଇଁ ୨୨,୨୨,୨୫୦ ଟଙ୍କାରେ ଟେଣ୍ଡର ଆହ୍ୱାନ କରାଯାଇଥିଲା । ହେଲେ ଏଠାରେ କେହି ବି ଟେଣ୍ଡର ପକାଇଲେ ନାହିଁ । ଫଳରେ ବେସ୍ ପ୍ରାଇରୁ ୧୦ ପ୍ରତିଶତ କମରେ ପୁଣି ବିଏମ୍‌ସି ଟେଣ୍ଡର ଡାକୁଛି ।

ସେହିପରି ୟୁନିଟ୍-୪ ମାଛ ମାର୍କେଟ ପାଖରେ ପାର୍କିଂ ବି ଟେଣ୍ଡର ଗଲାନି । ଆଶ୍ଚର୍ଯ୍ୟର ବିଷୟ ଆମିଷ ବାରିରେ ରାସ୍ତା ସାରା ଗାଡି ଠିଆ ହେଉଛି । କିନ୍ତୁ ସରକାରୀ ପାର୍କିଂ ନିଲାମ ଯାଉନି । ଏହା ସହ କର କ୍ଲିନିକ ଆଗ, ଝାରପଡା ପାଣି ଟାଙ୍କି, କେଶରୀହଲ ପାଖ, କପିଳପ୍ରସାସଦ ହାଟ, ଆଇଜି ପାର୍କ ଆକାଶ ଇନ୍‌ଷ୍ଟିଚ୍ୟୁଟ୍ ଆଗରେ ଥିବା ପାର୍କିଂ ବି ନିଲାମ ଗଲାନାହିଁ ।

ଅଧିକ ପଢ଼ନ୍ତୁ :-  Commissioner Of Police : କମିଶନରେଟ୍ ପୁଲିସ୍ରେ ବିଚିତ୍ର ବ୍ୟବସ୍ଥା, ଏତଲା ହଜିଯାଇଛି, ଆଉ ଥରେ ଦିଅ...

ଉତ୍ତର ଭୁବନେଶ୍ୱର ଡମଣା ହାଟରେ ବିଏମ୍‌ସି ର ୨୯,୫୧୭ ବର୍ଗଫୁଟ ଅଞ୍ଚଳର ପାର୍କିଂ ରହିଛି । ଏଠାରେ ୧୮୨ଟି କାର୍ ପାର୍କିଂ କରିବାର ସୁବିଧା ରହିଛି । ହେଲେ ଏଠି ବି ସାମନ ସ୍ଥିତି। ଆପୋଲ ହସ୍ପିଟାଲ, ପଟିଆ ବିଗ୍ ବଜାର, ଚନ୍ଦ୍ରଶେଖରପୁର ଇଣ୍ଡିଆନ୍ ଅଏଲ, ସ୍ୟାଣ୍ଡି ଟାୱାର ହୋଟେଲ ଆଗ ପାର୍କିଂ ଏଥର ନିଲାମରେ ଯାଇ ପାରିଲା ନାହିଁ । ସିଙ୍ଗିଲ ବିଡ୍ ଟେଣ୍ଡର ଯୋଗୁଁ ବିଏମ୍‌ସି ବାଧ୍ୟ ହୋଇ ପୁଣି ଟେଣ୍ଡର ଆହ୍ୱାନ କରିଛି । ଏଥର ଅଫ୍ସେଟ୍ ପ୍ରାଇସ ୧୦ ପ୍ରତିଶତ କମାଇଛନ୍ତି । ଫଳରେ ବିଏମ୍‌ସି ଏଥର ପ୍ରାୟ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ହରାଇବ । ବହୁ ହାଇ ପ୍ରୋଫାଇଲ୍ ଅଞ୍ଚଳରେ ପାର୍କିଂ ଯାଉନି । ହେଲେ ବିଏମ୍‌ସି କହୁଛି ଗଳିକନ୍ଦିରେ ବି ପାର୍କିଂ କରିବୁ ।