ଭୁବନେଶ୍ୱର,୨୧/୦୪: ଶୁଣ ତୁମେ ଯାହା ଲେଖିକି ଦେଇଥିଲେ ତାହା ମିଳୁନି । ଆଉ ଥରେ ଅଭିଯୋଗ ଲେଖିକି ଆଣ । ଆମେ ସଙ୍ଗେ ସଙ୍ଗେ କେସ୍ କରି ତମକୁ ଏତଲା କପି ଦେବୁ.... । ଇଏ ହେଉଛି ଅଭିଯୋଗକାରୀଙ୍କ ସହ ପୁଲିସର କଥାବାର୍ତ୍ତ । କଥାଟା ଅଡୁଆ ଲାଗିଲେ ବି ସତ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସହିଦ ନଗର ଥାନାରେ । ଯାହା ପୁଲିସ୍‌ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଇ ବଚନ ରାୟଙ୍କ ଘର ବିହାରରେ । ସେ ଦୀର୍ଘ ୨୦ ବର୍ଷ ହେବ ପଥରବନ୍ଧ ବସ୍ତିରେ ରହିବା ସହ ଟାଇଲ୍ ମିସ୍ତ୍ରୀ ଭାବେ କାମ କରୁଛନ୍ତି । ଗତ ୧୧ ତାରିଖ ରାତି ପ୍ରାୟ ସାଢ଼େ ୧୨ ଟା ବେଳେ ସେ ଘରକୁ ଫେରୁଥିଲେ । ଘର ଠାରୁ କିଛି ଦୂରରେ ଦୁଇ ଜଣ ଯୁବକ ତାଙ୍କୁ ଟଙ୍କା ମାଗିଥିଲେ । ଟଙ୍କା ଦେବାକୁ ମନା କରିଥିଲେ ରାଇ । ଏଥିରେ ଦୁଇ ଯୁବକ ରାଇଙ୍କୁ ମାଡ଼ ମାରି ରକ୍ତାକ୍ତ କରି ୫ ହଜାର ୨ ଶହ ଟଙ୍କା ଛଡାଇ ନେଇଥିଲେ । ରାଇ ୧୨ ତାରିଖ ଦିନ ସହିଦ ନଗର ଥାନାକୁ ଯାଇ ଏତଲା ଦେଇଥିଲେ । ସେ ଦିନ ଡିସିଓ ଦାୟିତ୍ୱରେ ଥିବା ପୁଲିସ୍ ବାବୁ ଜଣଙ୍କ ରାଇଙ୍କ ଏତଲା ଗ୍ରହଣ କରିବା ପରେ ଅନେକ ପ୍ରଶ୍ନ କରିଥିଲେ । ୧୩ ତାରିଖ ସକାଳେ ଥାନାକୁ ଆସି ଏତଲାର ନକଲ କପି ନେଇ ଯିବାକୁ କହିଥିଲେ । ୧୩ ତାରିଖ ଦିନ ରାଇ ଥାନାକୁ ଯାଇଥିଲେ । ସେତେବେଳେ ଯେଉଁ ବାବୁ ଡିସିଓ ଥିଲେ କହିଥିଲେ କେସ୍ ହୋଇନାହିଁ... । ୧୪ ତାରିଖ ୧୨ଟା ବେଳେ ଆସ, ଏତଲା କପି ନେଇଯିବ । ରାଇ ସେଠାରୁ ପଳାଇ ଆସିଥିଲେ ।

ଅଧିକ ପଢ଼ନ୍ତୁ :-  ମେ'୨ରେ ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି, ଜଳରାଶି ସଂଗୃହୀତ ତଥ୍ୟ ରଖିବାକୁ ଟ୍ରିବ୍ୟୁନାଲର ନିର୍ଦ୍ଦେଶ

କାମ ବ୍ୟସ୍ତତା ଯୋଗୁ ୧୪ ତାରିଖରେ ରାଇ ଥାନାକୁ ଯାଇ ପାରିନଥିଲେ । ଗତକାଲି ଥାନାକୁ ଯାଇ ଏତଲା କପି ମାଗିଥିଲେ ରାଇ । ଏହି ସମୟରେ ଡିସିଓ ଥିବା ପୁଲିସ୍ ବାବୁ ଜଣଙ୍କ ରାଇଙ୍କ ଅଭିଯୋଗ କପି ଖୋଜିଥିଲେ । ବହୁ ଖୋଜାଖୋଜି କରିବା ପରେ ପାଇ ନଥିଲେ । କହିଥିଲେ ତୁମେ ଦେଇଥିବା ଅଭିଯୋଗ ହଜି ଯାଇଛି । ଆଉ ଥରେ ଲେଖି କି ଦିଅ । ସଙ୍ଗେ ସଙ୍ଗେ ମାମଲା ରୁଜୁ କରି ନକଲ କପି ଦେବୁ । ପୁଲିସ୍ କଥା ମାନି ରାଇ ପୁଣି ଥରେ ଗତକାଲି ଏତଲା ଦେଇଥିଲେ । ପୁଲିସ୍ ୧୯ ତାରିଖରେ ମାମଲା ରୁଜୁ କରିଥିଲା । କମିଶନଟେ୍ ପୁଲିସ୍‌ର ‘ଉଇ କେୟର ଉଇ ଡେୟାର’ ସ୍ଲୋଗାନକୁ ଏଭଳି କିଛି ଘଟଣା ବିଦ୍ରୁପ କରୁଥିବା ବେଳେ କିଛି ପୁଲିସ୍ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଓ ଅପାରଗତା ପୁରା ବ୍ୟବସ୍ଥାକୁ ବଦନାମ କରୁଛି । ଏହି ଘଟଣାରେ କମିଶନର ଏସ୍ ଦେବଦତ୍ତ ସିଂହ ଓ ଡିସିପି ଜଗମୋହନ ମୀନାଙ୍କୁ ପଚାରିବାରୁ ଉଭୟ ସୂଚନା ନଥିବା କହିଛନ୍ତି।