ଭୁବନେଶ୍ୱର, ୧୦/୧୨ : ରାଜଧାନୀରେ କୁକୁର ହାଉଯାଉ । ବସଷ୍ଟାଣ୍ଡ, ସ୍କୁଲ, ହସ୍ପିଟାଲରେ ପଲ ପଲ ବୁଲୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଅଣଦେଖା କରିଦେଲା ବିଏମ୍ସି । ଏବେ ନୂଆ ପାଲା ଆରମ୍ଭ କରିଛି । ସବୁ କୁକୁରକୁ ଭ୍ୟାକ୍ସିନ ଦେବ । ଆଉ ଏହି ଟିକାକରଣ କଳା ଶିଖିବାକୁ ବିଏମ୍ସି ଟିମ୍ ଗୋଆରେ ଡେରା ପକାଇଥିଲେ । ବିଏମ୍ସି ପକ୍ଷରୁ ସହରର ବୁଲା କୁକୁରଙ୍କ ଟିକାକରଣ ହେବ । ବୁଲା କୁକୁରଙ୍କୁ ଆଣ୍ଟିରାବିଜ୍ ଟିକା ଦେବାକୁ ବିଏମ୍ସି ପ୍ରୟାସ ଆରମ୍ଭ କରିଛି । ସହରରେ ୩୮ ହଜାର କୁକୁରଙ୍କୁ ଏହି ଟିକାକରଣରେ ସାମିଲ କରାଯିବ । ବିଏମ୍ସି ପକ୍ଷରୁ ଏନେଇ ଏଜେନ୍ସି ଚୟନ କରାଯିବ । ଏହି ଟିମ୍ ସହ ପଶୁ ଡାକ୍ତର ଓୟୁଏଟିର ଛାତ୍ରଛାତ୍ରୀ ସାମିଲ ହୋଇ ଟିକା ଦେବେ । ତା ପୂର୍ବରୁ ବିଏମ୍ସିର ଏକ ଟିମ୍ ଗୋଆ ଏବଂ ମୁମ୍ବାଇ ମହାନଗରନିଗମ ଯାଇ ସ୍ଥିତି ଅନୁଧ୍ୟାନ କରିଛି ।
ବିଏମ୍ସିର ଜଣେ ଓଏଏସ୍ ଅଧିକାରୀଙ୍କ ନେତୃତ୍ୱରେ ୩ ଜଣ ଡାକ୍ତର ଗୋଆରେ ଡେରା ପକାଇଥିଲେ । ସେଠାରୁ କୁକୁର ଟିକାକରଣର କଳା ଶିଖି ବିଏମ୍ସିରେ ଏହାକୁ ପ୍ରୟୋଗ କରିବେ ବୋଲି । ଗଳିକନ୍ଦିରେ କିପରି କୁକରକୁ ଭ୍ୟାକ୍ସିନ ଦିଆଯିବ ତାର ତଦାରଖ କରିବେ । ଗତ ମାସର ସୁପ୍ରିମକୋର୍ଟ ହସ୍ପିଟାଲ, ବସ୍ଷ୍ଟାଣ୍ଡ, ସ୍କୁଲ ଭଳି ଗୁରୁତ୍ୱପୂର୍ଣ୍ଣ ଜନଗହଳିପୂର୍ଣ୍ଣ ସ୍ଥାନରୁ କୁକୁର ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ରାୟକୁ ଅନୁପାଳନ କରିନି ବିଏମ୍ସି । ଏବେ ବି କ୍ୟାପିଟାଲ ହସ୍ପିଟାଲ ଟିକେଟ୍ ପଞ୍ଜିକରଣ କାଉଣ୍ଟର ଆଗରେ ବୁଲା କୁକୁର ଶୋଉଛନ୍ତି । ଯେଉଁଠି ଲମ୍ବା ଲାଇନ୍ ଲାଗୁଛି ସେଇଠି କୁକୁର ଆଡ୍ଡା କରୁଛନ୍ତି । ଯଦି ଗୋଡ଼ ପଡ଼ିଗଲା କାମୁଡ଼ା ଖାଇବା ନିଶ୍ଚୟ । ସମାନ ଚିତ୍ର ଭୁବନେଶ୍ୱର ବରମୁଣ୍ଡା ବସ୍ ଟର୍ମିନାଲରେ । ନୂଆ କରି ନିର୍ମାଣ ହୋଇଥିବା ବରମୁଣ୍ଡା ବସ୍ ଟର୍ମିନାଲରେ ବି କୁକୁର ବୁଲୁଛନ୍ତି । ବସ୍ ବେ ତଳେ କୁକୁର ଶୋଉଛନ୍ତି । ଯାତ୍ରୀଙ୍କୁ କାମୁଡିବାକୁ ଗୋଡାଇ ଆସୁଛନ୍ତି । ସ୍କୁଲ ପରିସରରେ ମଧ୍ୟ କୁକୁର ହାଉଯାଉ ହେଉଛନ୍ତି । ହେଲେ ବିଏମ୍ସି ଏହି ସବୁ ସ୍ଥାନରୁ କୁକୁର ହଟାଇବା ବଦଳରେ ଏବେ ଟିକାକରଣ ପଛରେ ପଡ଼ିଛି ।
ବିଶେଷଜ୍ଞଙ୍କ କହିବା କଥା, ଭ୍ୟାକ୍ସିନ ଦେବା ପରେ କୁକୁର ହିଂସ୍ର ହୋଇପଡନ୍ତି । ସେପଟେ ବର୍ତ୍ତମାନ ଶୀତ ଦିନ । କୁକୁରଙ୍କ ଛୁଆ ଦେବାର ସମୟ । ଛୁଆ ଦେଇଥିବା କୁକୁର ଏହି ସମୟରେ ସ୍ୱାଭାବିକ ଭାବେ ହିଂସ୍ର ହୋଇଥାଏ । ସୂଚନା ଅନୁସାରେ ବିଏମ୍ସି ଅଞ୍ଚଳରେ ମୋଟ୍ ୪୭,୧୨୬ ବୁଲା କୁକୁର ଅଛନ୍ତି । ଏଥିମଧ୍ୟରୁ ମାତ୍ର ୭୪୦୩ କୁକୁରଙ୍କୁ ଆଣ୍ଟିରାବିଜ୍ ଟିକା ଦିଆଯାଇଛି ।