ମୁମ୍ବାଇ,୩୦/୪ : ଭାରତର ଓ୍ବାନଡେ ଟିମରୁ ଋଷଭ ପନ୍ତଙ୍କ ପତା କଟିପାରେ । ପନ୍ତ ୨୦୨୪ଅଗଷ୍ଟ ପରେ ଟିମ୍ ଇଣ୍ଡିଆ ଲାଗି କୌଣସି ଓ୍ବାନଡେ ମ୍ୟାଚ୍ ଖେଳିନାହାନ୍ତି । ସେ IPL ୨୦୨୬ରେ ଖରାପ ଫର୍ମରେ ଯାଉଛନ୍ତି । ଯେଉଁଠାରେ ସେ ୮ମ୍ୟାଚରେ ୧୮୯ରନ୍ କରିଛନ୍ତି । ଏହା ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଉଛି କି ଚୟନକର୍ତ୍ତା ଆଗାମୀ ଓ୍ବାନଡେ ସିରିଜରେ ଋଷଭ ପନ୍ତଙ୍କୁ ହଟାଇ ସଞ୍ଜୁ ସାମସନଙ୍କ ସୁଯୋଗ ଦେଇପାରନ୍ତି ।
ଏବେ ଓ୍ବାନଡେ ଟିମରେ କେଏଲ ରାହୁଲ ଓ୍ବିକେଟକିପର ରୂପରେ ଚୟନକର୍ତ୍ତାଙ୍କ ପ୍ରଥମ ପସନ୍ଦ ଅଟନ୍ତି । ସେହିଭଳି ଋଷଭ ପନ୍ତଙ୍କୁ ଓ୍ବାନଡେ ଟିମରେ ବ୍ୟାକଅପ ଓ୍ବିକେଟକିପର ଭାବେ ରଖାଯାଇଥିଲା । ଏକ ରିପୋର୍ଟ ଅନୁସାରେ କୁହାଯାଉଛି କି ଚୟନ କର୍ତ୍ତା ସଞ୍ଜୁ ସାମସନଙ୍କୁ ଓ୍ବାନଡେ ଟିମରେ ସୁଯୋଗ ଦେବା ଲାଗି ଆଗ୍ରହ ରଖିପାରନ୍ତି । ଏଭଳି ସ୍ଥଳେ ପନ୍ତଙ୍କ ଟିମରେ ସ୍ଥାନ ପାଇବା ପ୍ରତି ବିପଦ ଦେଖାଯାଉଛି ।
ଏହି ଖବର ଏଭଳି ସମୟରେ ଆସିଛି ଯେତେବେଳେ ୨୦୨୭ ଓ୍ବାନଡେ ବିଶ୍ବକପ ଅଧିକ ଦୂର ନୁହେଁ । ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟର ଧ୍ୟାନ ବିଶ୍ବକପ୍ ଟିମ୍ ପ୍ରସ୍ତୁତ କରିବାକୁ ଅଛି । ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲୀଙ୍କ ଖେଳିବାର ପୂରା ସମ୍ଭାବନା ରହିଛି । ପ୍ରକାଶ ଯେ, ୨୦୨୭ ବିଶ୍ବକପ୍ ପୂର୍ବରୁ ଭାରତୀୟ ଟିମକୁ ୨୦ ଓ୍ବାନଡେ ମ୍ୟାଚ୍ ଖେଳିବାକୁ ଅଛି ।