ଭୋଗରାଇ,୨୪/୮ : ପ୍ରବଳ ବନ୍ୟାରେ ରାସ୍ତା ପାର ହେଉଥିବାବେଳେ ଡଙ୍ଗା ବୁଡ଼ିଯିବାରୁ ସେଥିରେ ଥିବା ୮ଜଣ ଲୋକଙ୍କ ସମେତ ୨ଟି ମୋଟରସାଇକେଲ ଓ ଜଣେ କ୍ଷୀର ବ୍ୟବସାୟୀଙ୍କ ସାଇକେଲ ସହ ସେଥିରେ ବନ୍ଧା ଥିବା ୨ଟି କ୍ଷୀର କେନ୍ ଭାସି ଯାଇଥିବା ଜଣାପଡ଼ିଛି । ତେବେ ଲୋକମାନେ ପହଁରି ପହଁରି ଯାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଜାବୁଡ଼ି ଧରି ରହିଥିବାବେଳେ ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବା ସହ ବୁଡ଼ି ଯାଇଥିବା ସେମାନଙ୍କର ୨ଟି ମୋଟରସାଇକେଲକୁ ମଧ୍ୟ ଗଭୀର ଜଳରୁ ବାହାର କରିଥିଲେ। ମାତ୍ର ସେଥିରେ ଥିବା କ୍ଷୀର ବ୍ୟବସାୟୀଙ୍କ ୨ଟି କ୍ଷୀର ଭର୍ତ୍ତି କେନର କୌଣସି ସନ୍ଧାନ ମିଳିନଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀରେ ଷଷ୍ଠ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରୁ ଭୋଗରାଇ ବ୍ଲକର ଭୋଗରାଇ ଲକ୍ - ଉଲୁଡା ରାସ୍ତାର ଆରୁହାବୃତ୍ତି ପଞ୍ଚାୟତ ହୁଡାପାଳ ଗାଁଠାରୁ ଗୋଛିଦା ନୂଆ ପୋଲ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ବୁଡ଼ି ଯାଇଛି । ଫଳରେ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହେବା ସହ ଏହା ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ସବୁଥର ଭଳି ଚଳିତ ବନ୍ୟାରେ ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରସଲପୁର ଗାଁର କିଛି ଲୋକ ଉକ୍ତ ରାସ୍ତାରେ ଦେଶୀ ଡ଼ଙ୍ଗା ପକାଇ ଯାତ୍ରୀମାନଙ୍କୁ ପାର କରୁଥିଲେ । ଏହି ସମୟରେ ଆଜି ସକାଳେ ଏକ ଡଙ୍ଗା ହୁଡାପାଳ ଛକଠାରୁ ୮ଜଣ ଲୋକଙ୍କ ସମେତ ୨ଟି ମୋଟରସାଇକେଲ ଓ ଗୋଟିଏ କ୍ଷୀର କେନ୍ ବୋଝେଇ ସାଇକେଲକୁ ଲଦି ଗୋଛିଦା ନୂଆ ପୋଲ ନିକଟକୁ ଆସୁଥିବା ସମୟରେ ଲକ୍ଷ୍ୟସ୍ଥଳ ପହଞ୍ଚିବାର ମାତ୍ର କିଛି ସମୟ ପୂର୍ବରୁ ହଠାତ୍ ପ୍ରଖର ସୁଅରେ ଭାସି ଯାଇ ରାସ୍ତା କଡ଼ରେ ଥିବା ଏକ ଗଛ ଦେହରେ ପିଟି ହୋଇ ବୁଡ଼ି ଯାଇଥିଲା ।
ଫଳରେ ଏଥିରେ ଥିବା କିଛି ଲୋକ ପହଁରି ପହଁରି କୂଳକୁ ଆସିଥିବାବେଳେ ଆଉ କିଛି ଲୋକ ଜୀବନ ବିକଳରେ ଏକ ଗଛକୁ ଜାବୁଡ଼ି ଧରି ଅଟକି ଯାଇଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ସମସ୍ତ ଲୋକଙ୍କୁ ଉଦ୍ଧାର କରିବା ସହ ବୁଡ଼ି ଯାଇଥିବା ୨ଟି ମୋଟରସାଇକେଲ ଓ ସାଇକେଲକୁ ଗଭୀର ଜଳରୁ ବାହାର କରି ଆଣିଥିଲେ । ମାତ୍ର ବୁଡ଼ି ଯାଇଥିବା କୁମ୍ଭୀରଗଡ଼ି ପଞ୍ଚାୟତ କୋହ୍ଲା ଗ୍ରାମର ଉତ୍ପଳ ବାରିକଙ୍କ ପୁଅ ସ୍ବରୂପ ବାରିକଙ୍କ ୨ଟି କ୍ଷୀର ଭର୍ତ୍ତି କେନର କୌଣସି ସନ୍ଧାନ ମିଳିନଥିଲା । ଖବରପାଇ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରି ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାକୁ ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେବା ସହିତ ଦେଶୀ ଡ଼ଙ୍ଗାକୁ ବନ୍ଦ କରି ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟାତ ପାଇଁ ୨ଟି ମଟର ବୋଟ୍ ଯୋଗାଇ ଦେବାକୁ ଦାବି ହୋଇଛି ।