PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା: ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ପ୍ରତି ବିପଦ

ପୁରୀ ୧୮/୧୧: ବିରଳ‌‌ ପ୍ରଜାତିର ଅଲିଭି ରିଡଲେଙ୍କ ଏବେ ଚାଲିଛି ମିଳନ ପର୍ବ। ଆଉ ମାତ୍ର କେଇ ମାସ ମଧ୍ୟରେ ଏମାନଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ ହେବ। ଏଥିପାଇଁ ଆରମ୍ଭ ହୋଇ ସାରିଛି ଆଗମନ ପର୍ବ। ତେବେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପ୍ରତି ଏବେ ଦେଖାଦେଇଛି ବିପଦ। ପୁରୀ ସମୁଦ୍ର ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ବୁଲୁଥିବା ଦେଖିବାକୁ ମିଳିଥିବାବେଳେ ଏଥିରେ ମାଡ ହୋଇ କଇଁଛ ମାନେ ମୃତ୍ୟୁବରଣ କରିବାର ସମ୍ଭାବନା ରହିଛି। ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ କଡା ପେଟ୍ରୋଲିଙ୍ଗ ହେଉନଥିବା ବେଳେ ନିୟମ ଉଲ୍ଲଙ୍ଘନ କରୁଥିବା ଟ୍ରଲର ମାନଙ୍କ ପ୍ରତି ବିଭାଗ କୈାଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଓ ବୁଦ୍ଧିଜୀବିଙ୍କ ମହଲରେ ତୀବ୍ର ଉଦବେଗ ପ୍ରକାଶ ପାଇଛି।

ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଜୀବନ ପ୍ରତି ବିପଦ। ବେଆଇନ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡ଼ରେ ପ୍ରତିବର୍ଷ ମୃତ୍ୟୁବରଣ କରୁଛନ୍ତି ହଜାର ହଜାର ଅଲିଭ ରିଡ଼ଲେ କଇଁଛ। ଚଳିତ ବର୍ଷ ମଧ୍ୟ ପୁରୀ ଉପକୂଳରେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଛ ମାରୁଥିବା ଦେଖିବାକୁ ମିଳିଛି। ହେଲେ ପ୍ରକୃତିର ଏହି ବିରଳ ସାମୁଦ୍ରିକ ଜୀବର ସୁରକ୍ଷା ଦିଗରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ସଫଳ ହୋଇପାରୁନାହିଁ। ନିୟମ ଅନୁଯାୟୀ ଦେବୀନଦୀ ମୁହାଣ ଠାରୁ ୨୦ କିମି ପରଧି ଏବଂ ଅନ୍ୟ ନଦୀ ମୁହାଣ ଓ ସମୁଦ୍ର ଠାରୁ ୫ କିଲୋମିଟର ପରଧି ମଧ୍ୟରେ ମାଛ ଧରାକୁ ସମ୍ପୁର୍ଣ୍ଣ ବ୍ୟାନ୍ କରାଯାଇଛି। ସେହିପରି ସମୁଦ୍ର ଭିତରେ ପେଟ୍ରୋଲିଙ୍ଗ ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଦାୟିତ୍ଵ ରହିଛି। କିନ୍ତୁ ଉଭୟ ବିଭାଗ ପକ୍ଷରୁ ନିୟମିତ ପେଟ୍ରୋଲିଙ୍ଗ କରାଯାଉନଥିବାରୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ଖୁଲମଖୁଲା ନିଷିଦ୍ଧାଞ୍ଚଳକୁ ଯାଇ ଅବାଧରେ ମାଛ ମାରୁଛନ୍ତି। ଏହାକୁ ରୋକାନଗଲେ ଆଗାମୀ ଦିନରେ ଏହି ବିରଳ ଅଲିଭ ରିଡ଼ଲେ କଇଁଛଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ ବୋଲି ପାରମ୍ପରିକ ମତ୍ସ୍ୟଜୀବୀ ସଂଘର ସଭାପତି ଓ ବୁଦ୍ଧିଜିବୀ କହିଛନ୍ତି।

ନଭେମ୍ବର ଆରମ୍ଭରୁ ପୁରୀ ବେଳାଭୂମିକୁ ଅଲିଭ୍ ରିଡ଼ଲେ କଇଁଛଙ୍କ ଆଗମନ ହୋଇଥାଏ। ନଭେମ୍ବର ରୁ ଡିସେମ୍ବର ମଧ୍ୟରେ ଏମାନଙ୍କ ମିଳନ ପର୍ବ ହୋଇଥାଏ। ଫେବୃଆରୀ ମାସ ଆଡକୁ ଏହି ଅଲିଭ ରିଡ଼ଲେ କଇଁଛ ମାନେ ମୁଖ୍ୟତଃ ଦେବୀ ମୁହାଣ ଓ ଚନ୍ଦ୍ରଭାଗା ମୁହାଣ ଠାରୁ ପୁରୀ ପର୍ଯ୍ୟନ୍ତ ଅଣ୍ଡା ଦେବା ଆରମ୍ଭ କରିଥାନ୍ତି। ଏଥିପାଇଁ ପ୍ରତିବର୍ଷ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ମାଛ ମାରିବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଥାଏ। ସେପଟେ କେତେକ ଖଳ ପ୍ରକୃତିର ମତ୍ସ୍ୟଜୀବୀ ମାନେ ସମୁଦ୍ରରେ ମାଛ ମାରୁଥିବା ସମୟରେ କଙ୍କଡ଼ା ଜାଲ, ଭିଡା ଜାଲ, ସାଙ୍କୁସ ଓ ରିଙ୍ଗ ଜାଲ ବ୍ୟବହାର କରୁଥିବା ଯୋଗୁଁ ହଜାର ହଜାର କଇଁଛ ମୃତ୍ୟୁବରଣ କରୁଛନ୍ତି। ତେଣୁ ଏହି ଜାଲ ଗୁଡ଼ିକୁ ତୁରନ୍ତ ନିଷିଦ୍ଧ କରାଯିବା ସହ ନିୟମ ଉଲ୍ଲଙ୍ଘନ କରୁଥିବା ଖଳ ପ୍ରକୃତିର ମତ୍ସ୍ୟଜୀବୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ସେପଟେ ଏହି ଅଭିଯୋଗ ନେଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀଙ୍କ ସେହି ଚିରାଚରିତ ଉତ୍ତର ରହିଛି। ସମୁଦ୍ର ଭିତରେ କଡା ପେଟ୍ରୋଲିଙ୍ଗ କରାଯିବା ସହ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି? ଯଦି ସାମୁଦ୍ରିକ ମତ୍ସ୍ୟ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମୁଦ୍ର ମଧ୍ୟରେ ପେଟ୍ରୋଲିଙ୍ଗ କଡ଼ାକଡ଼ି କରାଯାଉଛି ତେବେ ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଛ ମାରୁଛନ୍ତି କେମିତି ?

ପ୍ରତିବର୍ଷ ଅଲିଭ୍ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଉଭୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ସହ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ କଡା କାର୍ଯ୍ୟାନୁଷ୍ଠାନ ନିଆନଯାଉଥିବାରୁ ନିଷିଦ୍ଧାଞ୍ଚଳରେ ମାଳ ମାଳ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ଚଳପ୍ରଚଳ କରୁଥିବାରୁ ବିରଳ ଜାତିର ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁବରଣ ଘଟୁଛି। ତେବେ କଇଁଛ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ବାସ୍ତବରେ ଖର୍ଚ୍ଚ କରାଯାଉଛି ନା ଏହି ବିଭାଗର ଅଧିକାରୀ ମାନଙ୍କ ପକେଟକୁ ଏହା ଯାଉଛି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।