ନୂଆଦିଲ୍ଲୀ,୦୧/୧୧: ଦୀପାବଳିରେ ଅଘଟଣ।  ଝାଡ଼ଖଣ୍ଡ ବୋକାରୋସ୍ଥିତ ଗର୍ଗା ଡ୍ୟାମ ନିକଟରେ ଥିବା ଏକ ବାଣ ଦୋକାନରେ ଲାଗିଲା ନିଆଁ । ଫଳରେ ଅତି କମରେ ୬୬ଟି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ତେବେ ଏତେ ସଂଖ୍ୟାରେ ବାଣ ଦୋକାନ ବିସ୍ଫୋରଣ ହେବାର ଭୟଙ୍କର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗୁଛି। ଏନେଇ ଖବର ପାଇବା ପରେ ଅଗ୍ନିଶମ ବିଭାଗର ୪ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ କୌଣସି ଜନଜୀବନ ନଷ୍ଟ ହୋଇଥିବା ନେଇ କୌଣସି ଖବର ଜଣାପଡିନାହିଁ। 

ତେବେ ଏହି ଦୁର୍ଘଟଣା ସମ୍ପର୍କରେ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଦୋକାନରେ ନିଆଁ ଲାଗିବା ପରେ ସେଠାରେ ଥିବା ବାଣଗୁଡ଼ିକ ଭୟଙ୍କର ଭାବରେ ବିସ୍ଫୋରଣ ହେଲା । ଏଥିସହ ଚାରିଆଡ଼େ ରକେଟ ବାଣ ଉଡ଼ିଲା। ଯେଉଁଥିପାଇଁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ଦୁର୍ଘଟଣା ସମ୍ପର୍କରେ ପ୍ରଶାସନକୁ ସୂଚନା ଦିଆଯାଇଥିଲା। ତେବେ ଏହା ଜନଗହଳିପୂର୍ଣ୍ଣ ସ୍ଥାନ ଥିବାରୁ ପ୍ରତିବର୍ଷ ଗର୍ଗା ବ୍ରିଜ ନିକଟ ଖାଲି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥାଏ। ଏଠାରୁ ଆଖପାଖ ବିଭିନ୍ନ ଅଞ୍ଚଳର ଲୋକମାନେ ଆସି ବାଣ କିଣନ୍ତି। କିନ୍ତୁ ଏଥର ଜିଲ୍ଲା ପ୍ରଶାସନ ଅନୁମତି ତ ଦେଇଛି, କିନ୍ତୁ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ମୁମତାଜ ଅନସାରୀ କହିଛନ୍ତି,ଦୋକାନଗୁଡ଼ିକ ଅସ୍ଥାୟୀ। ଏକ ଖୋଲା ସ୍ଥାନରେ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଇଥିଲା। ଆହୁରି ମଧ୍ୟ ଜରୁରୀକାଳିନ ନିୟମ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସତ୍ତ୍ୱେ ଏହି ଅଘଟଣ କିପରି ଘଟିଲା, ଏହାର ତଦନ୍ତ କରାଯିବ।