ବୋଲବମ୍ ଯାତ୍ରାକୁ ନେଇ କାଉଡ଼ିଆ ଓ ବ୍ୟବସାୟୀ ମହଲରେ ଆଶଙ୍କା, ସରକାରୀ ଅନୁମତିକୁ ଅପେକ୍ଷା

କଟକ,୦୫/୦୭: କରୋନା ମହାମାରୀ ଯୋଗୁଁ ଗଲା ଦୁଇବର୍ଷ ଧରି ରାଜ୍ୟରେ ବୋଲବମ୍ ଯାତ୍ରାକୁ ଅନୁମତି ଦିଆଯାଉନାହିଁ । ଏଥର ସ୍ଥିତି ସ୍ୱାଭାବିକ ହୋଇଥିବାରୁ ଯାନିଯାତ୍ରାରେ କଟକଣା କୋହଳ କରାଯାଇଛି । ଗଲା ୬ମାସ ଧରି ବିଭିନ୍ନ ଉତ୍ସବକୁ ଅନୁମତି ଦିଆଯାଉଛି । ନିକଟରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥଯାତ୍ରା ବି ସମାପନ ହୋଇଛି । କିନ୍ତୁ ଗତ କିଛି ଦିନ ହେବ ରାଜ୍ୟରେ ହଠାତ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରାବଣରେ ହେବାକୁ ଥିବା ବୋଲବମ୍ ଯାତ୍ରାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଶ୍ରାବଣର ପ୍ରଥମ ସୋମବାର ପାଖେଇ ଆସୁଥିବାବେଳେ ସରକାର ଏଯାଏ ସ୍ପଷ୍ଟ ଭାବେ କିଛି ଘୋଷଣା କରିନାହାନ୍ତି । ତେଣୁ ଲକ୍ଷ ଲକ୍ଷ କାଉଡ଼ିଆ ଏବେ ସରକାରଙ୍କ ଅନୁମତିକୁ ଅପେକ୍ଷା କରି ରହିଛନ୍ତି ।
ସେପଟେ କରୋନା ଭୟରେ ବୋଲବମ୍ର ବିଶାଳ ବଜାର ପ୍ରଭାବିତ ହୋଇଛି । ରାଜ୍ୟର ଏକମାତ୍ର ହୋଲସେଲ୍ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ସହରରେ ବ୍ୟବସାୟୀ ହାତବାନ୍ଧି ବସିଛନ୍ତି । ଯେଉଁ ସମୟରେ ବୋଲବମ୍ ଯାତ୍ରା ସମ୍ବନ୍ଧୀୟ ସାମଗ୍ରୀ ଆମଦାନୀ କରି ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯିବା କଥା ସେହିସମୟରେ ବ୍ୟବସାୟୀମାନେ ଏବେ ସୁଦ୍ଧା ମାଲ୍ ମଗାଇନାହାନ୍ତି ।
ଶ୍ରାବଣ ମାସର ପ୍ରଥମ ସୋମବାର ୧୮ତାରିଖରୁ ବୋଲବମ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରତିପାଳିରେ ୫୦ ହଜାରରୁ ଅଧିକ ବେଳେବେଳେ ଲକ୍ଷାଧିକ କାଉଡିଆ ମହାନଦୀର ଗଡ଼ଗଡ଼ିଆରୁ ପାଣିଭାର ନେଇ ରାଜ୍ୟର ବିଭିନ୍ନ ଶୈବପୀଠକୁ ଯାତ୍ରା କରନ୍ତି । ସେହିପରି ବୋଲବମ୍ର ହୋଲସେଲ୍ ସାମଗ୍ରୀ ବ୍ୟବସାୟ କ୍ଷେତ୍ରରେ ବି କଟକ ପରିଚିତ । ପ୍ରତିବର୍ଷ ଶ୍ରାବଣ ମାସର ମାସକ ପୂର୍ବରୁ ଏଠାରେ ବ୍ୟବସାୟ ଜମିଥାଏ । ପ୍ରାୟ ଶହେରୁ ଅଧିକ ହୋଲସେଲ୍ ବ୍ୟବସାୟୀ କଲିକତା, ଗୁଜୁରାଟ, ଛତିଶଗଡ଼ ଆଦି ଅଞ୍ଚଳରୁ ସାମଗ୍ରୀ ଆମଦାନୀ କରିଥାନ୍ତି । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଖୁଚୁରା ବ୍ୟବସାୟୀ ମାନେ ଆସି ଏଠାକୁ ମାଲ୍ ନିଅନ୍ତି । ସେହିପରି କଟକ ସହରର ଶତାଧିକ ଖୁଚୁରା ବ୍ୟବସାୟୀ ମଧ୍ୟ ଗଡ଼ଗଡ଼ିଆ ଘାଟ ନିକଟସ୍ଥ କିଲ୍ଳାପଡିଆ ଏବଂ ସହରର ବିଭିନ୍ନ ଅଞ୍ଚଳରେ ବ୍ୟବସାୟ କରିଥାନ୍ତି । ବୋଲବମ୍ର ମାସେ ଭିତରେ ପ୍ରାୟ ୧୦କୋଟି ଟଙ୍କାରୁ ଅଧିକ କାରବାର ହୋଇଥାଏ ।
କିନ୍ତୁ ଏଥର ହୋଲସେଲ୍ ବ୍ୟବସାୟ ବି ଆରମ୍ଭ ହୋଇନାହିଁ । ଏ ସବୁ ପଛରେ ବୋଲବମ୍ ଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମୁଖ୍ୟ କାରଣ ବୋଲି କୁହାଯାଉଛି । ବୋଲବମ୍ ପାଇଁ ଏଥର ସରକାରୀ ଅନୁମତି ଦିଆଯିବ କି ନାହିଁ ତାହା ବି ସନ୍ଦେହରେ । ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ପଚାରିବାରେ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ତରଫରୁ ବୋଲବମ୍ ପାଇଁ ଗତ ଦୁଇବର୍ଷ ଧରି କଟକଣା ଲାଗୁ କରାଯାଇଥିଲା । ତେଣୁ ଏଥର ଏହି ନିୟମ ବଳବତ୍ତର ରହିବ କି ନାହିଁ ତାହା ସରକାର ନିଷ୍ପତ୍ତି ନେବେ ।