ମେଣ୍ଢାଶାଳରେ ବୋମାମାଡ଼: ମୁଖ୍ୟ ଅଭିଯୁକ୍ତ ଗିରଫ, ସହଯୋଗୀ ଫେରାର୍

ମେଣ୍ଢାଶାଳ/ଭୁବନେଶ୍ୱର,୭ ।୨(ଆ.ପ୍ର/ବ୍ୟୁରୋ): ବୁଧବାର ବିଳମ୍ବିତ ରାତିରେ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳରେ ବୋମାମାଡ଼ ହୋଇଛି । ମୁସଲ୍ମାନ ସାହିର ରାଜ୍ ଖାନ୍ଙ୍କ ଘର ଉପରକୁ ଦୁଇ ଥର ବୋମାମାଡ଼ ହୋଇଛି । ବୋମାମାଡ଼ରୁ ରାଜ୍ଙ୍କ ପରିବାର ବର୍ତ୍ତି ଯାଇଥିବା ବେଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଭାଙ୍ଗିରୁଜି ଯାଇଛି । ଅଭିଯୋଗ ପାଇ ଚନ୍ଦକା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିବା ସହ ମୁଖ୍ୟ ଅଭିଯୁକ୍ତ ସେକ୍ ସାଜିଦ୍(୨୨)ଙ୍କୁ ଗିରଫ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ବୋମାମାଡ଼ ହୋଇଥିବା ପୁଲିସ କହିଛି । ସାଜିଦ୍ଙ୍କ ସହ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍ ଅଛି । ତାକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତି ୨ଟା ୫୦ ମିନିଟ୍ ସମୟରେ ରାଜ୍ ଖାନ୍ଙ୍କ ଘର ଉପରକୁ ଗୋଟିଏ ବୋମାମାଡ଼ ହୋଇଥିଲା । ବୋମା ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ରାଜ୍ ଖାନ୍ଙ୍କ ଘର ଥରି ଉଠିଥିଲା । ରାଜ୍ ଖାନ୍ଙ୍କ ବଡ଼ଭାଇ ତଫିଲ୍ ଖାନ୍ ବାହାରକୁ ଆସିବା ବେଳକୁ ଚାରିଆଡ଼ ଧୂଆଁମୟ ହୋଇ ଯାଇଥିଲା । କିଛି ଦୂରରେ ସାଜିଦ୍ ଛିଡ଼ା ହୋଇଥିଲେ । ସେ ତାଫିଲଙ୍କୁ ଦେଖି ଆଉ ଏକ ବୋମା ତାଙ୍କୁ ଲକ୍ଷ୍ୟ କରି ଫିଙ୍ଗିଥିଲେ । ଜୀବନ ବିକଳରେ ତାଫିଲ୍ ଘର ଭିତରକୁ ପଳାଇ କବାଟ ବନ୍ଦ କରି ଦେଇଥିଲେ । ବୋମା ଘର ସମ୍ମୁଖରେ ଥୁଆ ହୋଇଥିବା କାର୍ ଓ ୩ଟି ବାଇକ୍ ଉପରେ ପଡ଼ିଥିଲା । କାର୍ ଓ ବାଇକ୍ ଗୁଡ଼ିକ ଭାଙ୍ଗି ଯିବା ସହ ରାଜ୍ଙ୍କ ଘରର କାନ୍ଥ ଓ ୨ ପଡ଼ୋଶୀଙ୍କ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା । ବୋମା ମାଡ଼ର ଶବ୍ଦ ଓ ତାଫିଲଙ୍କ ପାଟି ଶୁଣି ତାଙ୍କ ପରିବାର ଓ ସାହି ଲୋକେ ଉଠି ଆସିଥିଲେ । ଲୋକ ଏକଜୁଟ ହୋଇଯିବାରୁ ସାଜିଦ୍ ଜଣେ ସହଯୋଗୀ ସହ ବାଇକରେ ଫେରାର୍ ହୋଇ ଯାଇଥିଲେ । ଖବରପାଇ ମେଣ୍ଢାଶାଳ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରୁ କିଛି ସୁତୁଲି ଟୁକୁଡ଼ା ଜବତ କରି ନେଇଥିଲା ।
ଆଜି ସକାଳେ ଏନେଇ ରାଜ୍ ଖାନ୍ ଚନ୍ଦକା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ମଧ୍ୟାହ୍ନରେ ସାଜିଦ୍ଙ୍କୁ ଜଟଣୀରୁ ଗିରଫ କରିଥିଲା । ସାଜିଦଙ୍କ ସହଯୋଗୀ ଫେରାର୍ ଅଛି । ତାକୁ ଗିରଫ କରିବା ପାଇଁ ଚନ୍ଦକା ପୁଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସାଜିଦ୍ ଏହି ବୋମାମାଡ଼ କରିଥିବା ପୁଲିସ ଜାଣିବାକୁ ପାଇଛି । ଗତ ରବିବାର ରାଜ୍ ଖାନ୍ଙ୍କ ପୁତୁରା ଓ ସାଜିଦଙ୍କ ଦାଦାଙ୍କ ମଧ୍ୟରେ ବାଇକ୍ ଓ ସାଇକେଲ୍ ଧକ୍କାକୁ ନେଇ ଗଣ୍ଡଗୋଳ ହୋଇଥିଲା । ମେଣ୍ଢାଶାଳ ଫାଣ୍ଡିରେ ଭଦ୍ରଲୋକଙ୍କ ଉପସ୍ଥିତିରେ ଆପୋଷ ସମାଧାନ ହୋଇଥିଲା । କିନ୍ତୁ ସାଜିଦ୍ ରାଜ୍ ଖାନ୍ଙ୍କ ପରିବାର ଲୋକଙ୍କୁ ଧମକ ଚମକ ଦେଉଥିଲେ । ସେହି ରାଗ ରଖି ସାଜିଦ୍ ବୋମା ମାଡ଼ କରିଥିବା ରାଜ୍ ଅଭିଯୋଗ କରିଛନ୍ତି ।