ମାଲକାନଗିରି, ୧୩।୪ : ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ ଅଦାଲତ ଭିତରେ ବୋମା ଥିବା ନେଇ ଆସିଛି  ଇ-ମେଲ । ଇ-ମେଲ ଆସିବା ପରେ ଭୟଭୀତ ହୋଇ କୋର୍ଟ କମ୍ପ୍ଲେକ୍ସ ରୁ ବାହାରି ଆସିଲେ ବିଚାରପତି ଓକିଲ ଓ କୋର୍ଟ କର୍ମଚାରୀ । ପୋଲିସ ତୁରନ୍ତ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି ।

ମାଲକାନଗିରି ଜିଲ୍ଲା ଓ ଦୌରା ଜଜ୍ଙ୍କ କୋର୍ଟ ଭିତରେ ବୋମା ରହିଛି । ଏଭଳି କିଛି ଧମକପୂର୍ଣ୍ଣ ଇ-ମେଲ୍ କୋର୍ଟ ମେଲ୍କୁ ଆସିଥିଲା । ଯାହା ସାରା କୋର୍ଟ ପରିସରରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । କୋର୍ଟ ବିଚାରପତି, କର୍ମଚାରୀ, ଓକିଲଠୁ ଆରମ୍ଭ କରି କୋର୍ଟ ପରିସରରେ ଥିବା ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇଯାଇଥିଲେ । ଇ-ମେଲ୍ ପାଇବା ପରେ ଭୟଭୀତ ହୋଇ କୋର୍ଟ କମ୍ପ୍ଲେକ୍ସରୁ ବାହାରକୁ ବିଚାରପତି, ଓକିଲ ଓ କୋର୍ଟ କର୍ମଚାରୀ ଚାଲିଆସିଥିଲେ ।

ଏ ନେଇ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ କୋର୍ଟ ପରିସରରେ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ବିଏସଏଫ ବାହିନୀର ସନ୍ଧାନୀ କୁକୁର ଓ ବୋମା ନିଷ୍କ୍ରିୟକାରୀ ଦଳ ମଧ୍ୟ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ତେବେ ଏଭଳି ଧମକପୂର୍ଣ୍ଣ ମେଲ୍ କେଉଁଠୁ ଆସିଛି, କିଏ ପଠାଇଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସେ ନେଇ ଅଧିକ ତଦନ୍ତ ଜାରି ରହିଛି ।