ବୌଦ୍ଧ,୩୦/୭ : ବୌଦ୍ଧ ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲଙ୍କୁ କିଛି ଯୁବକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଗତ ୨୮ତାରିଖରେ ବୌଦ୍ଧର ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ନିଜ କାର୍ଯ୍ୟାଳୟରେ ବସି ସରକାରୀ କାର୍ଯ୍ୟ କରୁଥିବା ସମୟରେ ବୌଦ୍ଧ ସହର ରାଜନପାଲିର ବିବେକାନନ୍ଦ ସାହୁ,ଏନଏସି ଛକର ସଂଜିବ ସାହୁ ଓ ବଗିଚାସାହିର ଅଭିଜିତ ମହାପାତ୍ର ତହସିଲ କାର୍ଯ୍ୟାଳୟକୁ ଆସିଥିଲେ ।
ବିବେକାନନ୍ଦ ସାହୁ ଭାରପ୍ରାପ୍ତ ତହସିଲଦାରଙ୍କୁ ଗୋଟିଏ ସାର୍ଟିଫାଏଡ କପି ଦେବାକୁ କେତେ ସମୟ ଲାଗେ ବୋଲି ପ୍ରଶ୍ନ କରିଥିଲେ । ଭାରପ୍ରାପ୍ତ ତହସିଲଦାର କୌଣସି କାରଣରୁ ତାଙ୍କର ଆବେଦନ ନାମଞ୍ଜୁର ହୋଇଥିବା କହିବା ପରେ ବିବେକାନନ୍ଦ ସାହୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ସାଥିରେ ଯାଇଥିବା ସଂଜିବ କୁମାର ସାହୁ ନିଜକୁ ବଜରଙ୍ଗଦଳର ସଭାପତି ବୋଲି ପରିଚୟ ଦେଇଥିଲେ । ଜୟ ଶ୍ରୀରାମ କହିବାକୁ କହି ତହସିଲଦାରଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନ୍ୟତମ ଯୁବକ ଅଭିଜିତ ମହାପାତ୍ର ସେମାନଙ୍କୁ ସମର୍ଥନ କରିଥିବା ନେଇ ଭାରପ୍ରାପ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଭୟରେ ତହସିଲଦାର ସାର୍ଟିଫାଏଡ କପି ପ୍ରଦାନ କରିବା ପରେ ଯୁବକମାନେ ସେଠାରୁ ଚାଲିଯାଇଥିଲେ । ଏହି ଘଟଣାରେ ତହସିଲଦାର ନିଜକୁ ଅସୁରକ୍ଷିତ ମନେ କରିବା ସହିତ ତାଙ୍କର କିଛି କ୍ଷତି ହେଲେ ଉକ୍ତ ଯୁବକମାନେ ଦାୟୀ ରହିବେ ବୋଲି ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ବୌଦ୍ଧ ଥାନା ଅଧିକାରୀ ରଂଜିତ କୁମାର ମୁନୀଙ୍କୁ ପଚାରିବାରୁ ଏ ନେଇ ଏକ ମାମଲାରୁଜୁ ହୋଇ ତଦନ୍ତ ଚାଲୁ ରହିଛି ବୋଲି ପ୍ରକାଶ କରିଛନ୍ତି ।