ମାନେଶ୍ୱର ଛକ ନିକଟରେ ପୃଥକ୍ ଦୁର୍ଘଟଣା : ଜଣେ ମୃତ, ୩ ଗୁରୁତର

ବାଉଁଶୁଣୀ, ୧/୧୨ : ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣି ଥାନା ଅନ୍ତର୍ଗତ ମାନେଶ୍ୱର ଛକ ନିକଟରେ ୨ଟି ପୃଥକ୍ ଦୁର୍ଘଟଣା। ଜଣେ ମୃତ ୩ ଗୁରୁତର। ଗୁରୁତରଙ୍କୁ ପ୍ରଥମେ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲାର ଭେଡେନ ଗ୍ରାମର ୭ ଜଣ ଯାତ୍ରୀ କୌଣସି କାମରେ ଭୁବନେଶ୍ୱର ଯାଇ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ। ରାତି ପ୍ରାୟ ୨ଟା ବେଳେ ରାସ୍ତା କଡ଼ରେ ଗାଡି ରଖି ପରିସ୍ରା କରୁଥିବା ବେଳେ ଏକ ଟ୍ରକ୍ ବୋଲେରୋକୁ ଧକ୍କା ଦେଇଥିଲା। ଫଳରେ ଗାଡିଟି ରାସ୍ତା କଡ଼କୁ ପଶିଯାଇଥିଲା। ଗାଡିରୁ ସମସ୍ତ ଯାତ୍ରୀ ଓହ୍ଲାଇଥିବା ବେଳେ ଜଣେ ରହିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ଶରତ ପ୍ରଧାନ ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବାଉଁଶୁଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସେହିପରି ଗୁରୁବାର ଦିନ ୧୦ଟାରେ ମାନେଶ୍ୱର ଛକ ନିକଟରେ ୨ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍ ରେ ଥିବା ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଉଭୟ ବାଇକ୍ ବାଉଁଶୁଣୀ ଦିଗରୁ ବୌଦ୍ଧ ଅଭିମୁଖେ ଯାଉଥିଲେ । ହଠାତ୍ ଜାନକିପୁର ଗ୍ରାମର ଦୁର୍ଯ୍ୟୋଧନ ଷ।ଣ୍ଢ ଡାହାଣକୁ ଗାଡିକୁ କାଟି ଦେଇଥିଲେ । ତାଙ୍କ ନିକଟରେ ଯାଉଥିବା ଏକ ବାଇକ୍ ଯୋଗେ ବଡ଼ ଖଲି ଗାଁ ଗ୍ରାମର ସୁମନ୍ତ ରଣା ଓ ଶ୍ରୀକାନ୍ତ ସାହୁ ବୌଦ୍ଧ ଯାଉଥିଲେ । ହଠାତ୍ ଆଗରେ ଯାଉଥିବା ଗାଡି ଡାହାଣକୁ କାଟି ଦେବାରୁ ପଛ ପାର୍ଶ୍ଵରେ ଯାଉଥିବା ଗାଡି ଧକ୍କା ଦେଇଥିଲା । ଫଳରେ ତିନି ଜଣ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ତିନି ଗୁରୁତର ଯୁବକଙ୍କୁ ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି।