ନୂଆଦିଲ୍ଲୀ, ୨୨।୧୨: ନିଜ ବ୍ୟକ୍ତିଗତ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ, ଏସବୁକୁ ଅଣଦେଖା କରି ଦେଶ ପାଇଁ ମୈଦାନକୁ ଓହ୍ଲାଇଥିଲେ । ରବିବାର ଫିଲ୍ଡକୁ କମ୍ବ୍ୟାକ୍ କରି ବଡ଼ ସଫଳତା ହାସଲ କରିଛନ୍ତି ଭାରତୀୟ ମହିଳା କ୍ରିକେଟ୍ ଦଳର ଓପନର ସ୍ମୃତି ମନ୍ଧାନା । ନଭେମ୍ବର ୨୩ରେ ସଙ୍ଗୀତକାର ପଲାଶ ମୁଛଲଙ୍କୁ ବିବାହ କରିଥାନ୍ତେ ସ୍ମୃତି, କିନ୍ତୁ ବାତିଲ ହୋଇଗଲା ବିବାହ । ଏହା ପରେ, ଭାରତୀୟ ଖେଳାଳି ପ୍ରଥମ ଥର ପାଇଁ ମୈଦାନକୁ ଓହ୍ଲାଇଥିଲେ ଏବଂ ଇତିହାସ ରଚିଥିଲେ । ସେ ବିଶାଖାପାଟଣାରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍ରେ ଏଭଳି ଚାଲ ଚଲାଇଥିଲେ, ଯେଉଁଥିରେ ଭାରତ ବିଜୟଲାଭ କରିଥିଲା ।
ଏହି ମ୍ୟାଚ୍ରେ ମନ୍ଧାନା ବଡ଼ ଇନିଂସ ଖେଳି ନଥିଲେ ସତ, କିନ୍ତୁ ଏକ ସ୍ୱତନ୍ତ୍ର ତାଲିକାରେ ନିଜର ନାଁ ସାମିଲ କରିଥିଲେ । ଏହି ତାଲିକାରେ ସେ ଦ୍ୱିତୀୟ ବ୍ୟାଟ୍ସମ୍ୟାନ । ମନ୍ଧାନା ଶ୍ରୀଲଙ୍କା ବିପକ୍ଷରେ ୨୫ ବଲ୍ର ସାମନା କରିଥିଲେ ଏବଂ ସମାନ ସଂଖ୍ୟକ ରନ୍ କରିଥିଲେ । ବାମହାତୀ ବ୍ୟାଟ୍ସମ୍ୟାନ୍ ତାଙ୍କ ଇନିଂସରେ ୪ଟି ଚୌକା ମାରିଥିଲେ ।
ରେକର୍ଡ କରି ଇତିହାସ ରଚିଲେ ମନ୍ଧାନା:
ଏହି ଇନିଂସ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ବଡ଼ ରେକର୍ଡ କରିଥିଲେ ମନ୍ଧାନା । ସେ ୪୦୦୦ ଟି-୨୦ ଅନ୍ତର୍ଜାତୀୟ ରନ୍ ଅତିକ୍ରମ କରିଥିଲେ । ଏହି ମାଇଲଖୁଣ୍ଟ ହାସଲ କରିବାରେ ସେ ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର । ତାଙ୍କ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ଏହି ସଫଳତା ହାସଲ କରିଥିଲେ । ଏହାର ଅର୍ଥ ହେଉଛି ସେ ଏତେ ରନ୍ କରିଥିବା ପ୍ରଥମ ଭାରତୀୟ ମହିଳା କ୍ରିକେଟର । ତାଙ୍କ ପୂର୍ବରୁ କୌଣସି ଭାରତୀୟ ମହିଳା ବ୍ୟାଟ୍ସମ୍ୟାନ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୪୦୦୦ ରନ୍ ସ୍କୋର କରିପାରିନଥିଲେ । ମନ୍ଧାନା ଏବେ ୧୫୪ ମ୍ୟାଚ୍ରେ ୪୦୦୭ ରନ୍ କରିଛନ୍ତି । ଏହି ଫର୍ମାଟରେ ସେ ମୋଟ୍ ଗୋଟିଏ ଶତକ ଏବଂ ୩୧ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଭାରତର ବିଜୟ:
ମ୍ୟାଚ୍ କଥା କହିବାକୁ ଗଲେ, ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ବିଜୟ ହାସ କରିଥିଲା । ଜିତିବା ପାଇଁ ସେମାନଙ୍କୁ ୧୨୨ ରନ୍ ଆବଶ୍ୟକ ଥିଲା, ଯାହାକୁ ସେମାନେ ୧୪.୪ ଓଭରରେ ଦୁଇଟି ୱିକେଟ୍ ହରାଇ ହାସଲ କରିଥିଲେ । ଭାରତ ପାଇଁ ଜେମିମା ରୋଡ୍ରିଗ୍ସ ଚମତ୍କାର ଅର୍ଦ୍ଧଶତକ ହାସଲ କରିଥିଲେ । ମନ୍ଧାନା ଆଉଟ୍ ହେବା ପରେ, ଜେମିମା ଦଳର ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ବିଜୟ ସହିତ କମ୍ବ୍ୟାକ୍ କରିଥିଲେ । ଏଥିସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ଅଛି । ଜେମିମା ୪୪ ବଲ୍ ସାମ୍ନା କରି ୧୦ ଚୌକା ସହାୟତାରେ ୬୯ ରନ୍ କରିଥିଲେ ।