କୋରାପୁଟ/ପଟ୍ଟାଙ୍ଗୀ, ୨୨/୦୨ : ବ୍ରାଣ୍ଡିଂ ହେବ ବହୁଚର୍ଚ୍ଚିତ କୋଟିଆର ଫୁଲଝାଡ଼ୁ । ‘ପ୍ରମେୟ’ରେ ଏହି ଝାଡ଼ୁ ସମ୍ପର୍କରେ ସ୍ୱତନ୍ତ୍ର ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କୋଟିଆରେ ପହଞ୍ଚିଛନ୍ତି। ଫୁଲଝାଡ଼ୁ ଶିଳ୍ପର ନେତୃତ୍ୱ ନେଉଥିବା କାଞ୍ଚନ ତାଡିଙ୍ଗି ଓ ତାଙ୍କ ଟିମ୍‌ର ମହିଳାଙ୍କୁ ଭେଟି ସାବାସୀ ଦେଇଛନ୍ତି। ଆଗାମୀ ଦିନରେ କିଭଳି ଏହି ଝାଡ଼ୁର ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ, ସେ ଦିଗରେ ପଦକ୍ଷେପ ନେବାକୁ ଓରମାସ ଡେପୁଟି ସିଇଓ ଉମା ମହେଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କେମୋମାଇଲ, ଷ୍ଟ୍ରବେରି ଚାଷ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।   

ସୂଚନା ଅନୁଯାୟୀ, କୋଟିଆ ଫୁଲଝାଡ଼ୁରେ କାଞ୍ଚନଙ୍କ ସମେତ ୫୦ରୁ ଅଧିକ ମହିଳା ସ୍ୱାବଲମ୍ବୀ ଏବଂ କେମୋମାଇଲ୍‌ ଚା’ ଚାଷ ସମ୍ପର୍କରେ ‘ପ୍ରମେୟ’ରେ ନିୟମିତ ବ୍ୟବଧାନରେ ଖବର ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଶନିବାର ପୂର୍ବାହ୍ଣରେ ଜିଲ୍ଲାପାଳ ମହାଜନ ଅନ୍ୟ ଅଧିକାରୀମାନଙ୍କ ସହ କୋଟିଆରେ ପହଞ୍ଚି ଫୁଲଝାଡୁ ଶିଳ୍ପ ଦେଖିଥିଲେ । ବିଭିନ୍ନ ଦିଗ ଉପରେ ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କ ସହ କଥା ହୋଇଥିଲେ । କାଞ୍ଚନ ତାଡିଙ୍ଗିଙ୍କ ସହ ଫୁଲଝାଡ଼ୁର ବ୍ରାଣ୍ଡିଂ ନେଇ ଆଲୋଚନା କରିଥିଲେ । ଏହି ଶିଳ୍ପର ଉନ୍ନତି ପାଇଁ କ’ଣ କ’ଣ ଆବଶ୍ୟକ ପଚାରି ବୁଝିଥିଲେ । ଓରମାସ ଡେପୁଟି ସିଇଓ ଶ୍ରୀ ମହେଶଙ୍କୁ ଝାଡୁର ବ୍ରାଣ୍ଡିଂ କରିବା ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ କହିଥିଲେ । 

କେମୋମାଇଲ ଚା’ ଚାଷ ହୋଇଥିବା କ୍ଷେତ ପରିଦର୍ଶନ କରିଥିଲେ । କୋଟିଆର ପାହାଡ଼ିଆ ଅଞ୍ଚଳରେ ପ୍ରାୟ ୩ କିମି ଚାଲି ଚାଲି ବୁଲିଥିଲେ ଜିଲ୍ଲାପାଳ । ଥୁରିଆ, ଟାଉପଦର, ଜାନୀଗୁଡ଼ାରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଷ୍ଟ୍ରବେରୀ ଚାଷ ଏବଂ ବିଭିନ୍ନ ପ୍ରକ୍ରିୟାକରଣ ୟୁନିଟ୍‌ ପରିଦର୍ଶନ କରିଥିଲେ । ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଡିଓ ରାମକୃଷ୍ଣ ନାୟକ, ତହସିଲଦାର, କୃଷି ଉତ୍ପାଦ ଗୋଷ୍ଠୀ ସିଇଓ ଜେତାଲି ହନ୍ତାଳ ପ୍ରମୁଖ ଉପସ୍ଥିତ ଥିଲେ । ପରେ କୋଟିଆ ହାଇସ୍କୁଲ ଏବଂ ଓଏଭି ପରିଦର୍ଶନ କରିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବା ଲାଗି ଆଲୋଚନା କରିଥିଲେ ।

ଏହି ଖବରଟିକୁ ପଢନ୍ତୁ- ସମାଜ ସଂସ୍କାରରେ ମଧୁସ୍ମିତା : ନିଶା ଓ ଅନ୍ଧବିଶ୍ୱାସ ବିରୋଧରେ ଉଠାଉଛନ୍ତି ସ୍ଵର, ୪୦ ମଞ୍ଚ ନାଟକରେ ଦେଇଛନ୍ତି ନିର୍ଦ୍ଦେଶନା