ଉମରକୋଟ, ୨୨/୦୨ : ଉପାନ୍ତ ଅଞ୍ଚଳର କଳା, ସାହିତ୍ୟ ଓ ମୁକ୍ତିପଥର ଆଲୋକବର୍ତ୍ତିକା ସାଜିଛନ୍ତି ମଧୁସ୍ମିତା ମହାରଣା । ନିଜ ଲେଖନୀମୁନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରୁଛନ୍ତି । ନିଜେ ନାଟକ, ଗଳ୍ପ, କବିତା ଲେଖିବା ସହ ସାହିତ୍ୟ ପତ୍ରିକା ପ୍ରକାଶ କରୁଛନ୍ତି । ୪୦ରୁ ଅଧିକ ନାଟକ ତାଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିବା ବେଳେ ସେ ନିଜେ ଅଭିନୟ ବି କରୁଛନ୍ତି । ଉମରକୋଟ ଓ ଝରିଗାଁ ଅଞ୍ଚଳରେ ଅନେକ ଯୁବ ଲେଖକ ଲେଖିକାଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଅନ୍ଧବିଶ୍ୱାସ, ନିଶା କାରବାର ଓ ଚେଙ୍କ ବିରୋଧରେ ଶାଣିତ ସ୍ୱର ଉଠାଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ।  

ନବରଙ୍ଗପୁର ଜିଲ୍ଲା ଉମରକୋଟ ଶ୍ରୀମା ଶ୍ରୀଅରବିନ୍ଦ ଯୁକ୍ତ ୨ କଲେଜର ଓଡ଼ିଆ ଅଧ୍ୟାପିକା ଭାବେ କାମ କରୁଛନ୍ତି ମଧୁସ୍ମିତା । ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ରହୁଥିବାରୁ ଏଠାରେ ଆଦିବାସୀ ଗୋଣ୍ଡ ସହ ଛତିଶଗଡ଼ୀ ଭାଷାର ପ୍ରଚଳନ ରହିଛି । ଏଭଳି ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ସହ ସ୍ଥାନୀୟ ଭାଷାର ସମ୍ମନ୍ୱୟ ରକ୍ଷା କରି ନୂତନ ଦିଶା ଦେଖାଉଛନ୍ତି ମଧୁସ୍ମିତା । ଏଥିସହ ଗଢ଼ିଛନ୍ତି ଭାରତୀ କଳା ନିକେତନ ମଞ୍ଚ । ନିଜ ଜୀବନର ଲକ୍ଷ୍ୟ ସମ୍ପର୍କରେ କହିଛନ୍ତି, ସମାଜରେ ପ୍ରଚଳିତ କୁପ୍ରଥା, ମଦ ଓ ଅନ୍ୟାନ୍ୟ ନିଶାରୁ ମୁକ୍ତି ଦେବା ପାଇଁ ମଞ୍ଚ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ।

ଖାଲି ସେତିକି ନୁହେଁ, ନିଜ ଲେଖା ମାଧ୍ୟମରେ ଅଞ୍ଚଳର ବିଭିନ୍ନ ପରମ୍ପରାକୁ ବିକଶିତ କରିବା ଓ ବଞ୍ଚାଇ ରଖିବା । ନବ ଯୁବ ସାହିତ୍ୟିକଙ୍କୁ ପ୍ରେରଣା ଯୋଗାଇବା । ୧୯୯୫ରୁ ଝରିଗାଁ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ନବପଲ୍ଲବ’ ପ୍ରକାଶ କରି ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣୁଛନ୍ତି ମଧୁସ୍ମିତା । ନୂଆ ଯୁବପିଢିଙ୍କ ପୁସ୍ତକ ସମୀକ୍ଷା କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ମଞ୍ଚ ନାଟକରେ ଯେଉଁଠି ପୁରୁଷସତ୍ତା ସର୍ବେସର୍ବା, ସେଠାରେ ସେ ୪୦ରୁ ଅଧିକ ନାଟକର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ବହୁଚର୍ଚ୍ଚିତ ନାଟକ ମଧ୍ୟରେ ରହିଛି ନିଶା, ପଞ୍ଚମବେଦ, ସଂସ୍କାର, ମତେ ବଞ୍ଚିବାକୁ ଦିଅ, ପାନ୍ଥଶାଳାର ପଥିକ, ଚାଲ ଆମେ ମୃତ୍ୟୁ ଖୋଜିବା, କଞ୍ଚା ଡାହାଣୀ, ବୋଉ, ନର୍କପୁରୀ, ମଧୁମକ୍ଷୀ । ଏଥିସହ ଅଞ୍ଚଳରେ ଚାଲିଥିବା ଅନ୍ଧବିଶ୍ୱାସକୁ ନେଇ କ୍ଷୁଦ୍ର ଚଳଚ୍ଚିତ୍ର ‘ଚେଙ୍କ’ର ରଚନା ଓ ନିର୍ଦ୍ଦେଶନା ଦେଇ ବେଶ୍‌ ପ୍ରଶଂସିତ ହୋଇଛନ୍ତି ।

ବିଗତଦିନରେ ମଞ୍ଚ ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ଦେଇ ବ୍ରହ୍ମପୁରରୁ ସିଲଭର ଆୱାର୍ଡ ଫର ଫାଷ୍ଟ ଲେଡି ଡାଇରେକ୍ଟରର ସମ୍ମାନ ପାଇଛନ୍ତି । ନାଟକ ମାଧ୍ୟମରେ ଉଭୟ ଶିଶୁ ଓ ଯୁବ କଳାକାରଙ୍କୁ ଗଢିବା ସହ ସମ୍ମାନିତ କରିପାରିଛନ୍ତି । ତାଙ୍କ ସର୍ଜନଶୀଳ ରଚନା ବିଶେଷକରି ମହିଳାଙ୍କ ଅନ୍ତର୍ବେଦନା, ଜୀବନଚିତ୍ର ପାଠକଙ୍କ ହୃଦୟକୁ ଛୁଇଁପାରିଛି । ଏବେ ସେ କନିଷ୍ଠ ଅଧ୍ୟାପିକା ଭାବେ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି । ମହିଳା ଓ ଶିଶୁଙ୍କ ଅଧିକାର ପାଇଁ କଲମ ଚାଳନା ଜାରି ରଖିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଝାରସୁଗୁଡ଼ାରେ ଭୟଙ୍କର ଦୁର୍ଘଟଣା : ଟ୍ରେଲର ସହ ବୋଲେରୋ ଧକ୍କା, ୫ ପୁଲିସ କର୍ମଚାରୀ ମୃତ