ରାଉରକେଲା,୨୭/୦୩: ରାସ୍ତାରେ ଆତଙ୍କ ସୃଷ୍ଟି କରୁଛନ୍ତି ନିଶାଡ଼ି । ସ୍ପିଡ୍ ବାଇକ୍ ଧରି ଆଖିବୁଜା ଗାଡ଼ି ଚଳାଉଛନ୍ତି । କେତେବେଳେ ପଥଚାରୀ ତ ଆଉ କେବେ କାହାକୁ ପିଟୁଛନ୍ତି । ନିଜେ ଖଣ୍ଡିଆ ଖାବରା ହେଉଛନ୍ତି, ସାଧାରଣ ଜନତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଏଭଳି ନିଶାଡ଼ିଙ୍କୁ ସାବାଡ୍ କରିବାକୁ ପୁଲିସ୍ ବ୍ୟବହାର କରୁଛି ବ୍ରେଥ୍ ଆନାଲାଇଜର । ଯାଞ୍ଚରୁ ନିଶା ଚିହ୍ନଟ ହେଲେ ଚାଲାଣ କଟୁଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ଏହି ଯନ୍ତ୍ର କେବଳ ତରଳ ନିଶା ମାପିବାରେ ସକ୍ଷମ । କିନ୍ତୁ ଡ୍ରଗ୍ଧ, ଡେନ୍‌ଡ୍ରାଇଟ୍ ଭଳି ମାରାତ୍ମକ ନିଶା ଧରିବାରେ ବିଫଳ ହେଉଛି । ଯାଞ୍ଚ କରୁଥିବା ପୁଲିସ୍ କର୍ମଚାରୀ ସତ୍ୟତା ଜାଣୁଛନ୍ତି । ହେଲେ ନାଚାର । ପ୍ରମାଣ ଯୋଗାଡ଼ କରିପାରୁ ନ ଥିବାରୁ ସମ୍ପୃକ୍ତ ନିଶାଡ଼ିମାନେ ସହଜରେ ଖସି ଯାଉଛନ୍ତି । ଯାହା ରାଉରକେଲା ପୁଲିସ୍ ପ୍ରଶାସନ ଏବଂ ପରିବହନ ବିଭାଗ ପାଇଁ ମୁଣ୍ଡବ୍ୟଥା ପାଲଟିଛି । ଷ୍ଟିଲ୍‌ସିଟି ରାଉରକେଲା ଏବେ ଦାମୀ ନିଶାର ହବ୍ ପାଲଟିଛି । ଯୁବପିଢ଼ି ଧୀରେ ଧୀରେ ଡ୍ରଗ୍ଧ କବଳିତ ହେଉଛନ୍ତି । ଯାଯାବର ଶ୍ରେଣୀର ପିଲାମାନେ ଡେନ୍‌ଡ୍ରାଇଟ୍ ଭଳି ଶସ୍ତା ଅଥଚ କମ୍ ସମୟରେ ତୀବ୍ର ନିଶା ହେଉଥିବା ସାମଗ୍ରୀର ବହୁଳ ବ୍ୟବହାର କରୁଛନ୍ତି । ଗଞ୍ଜେଇ, ଭାଙ୍ଗ ଭଳି ନିଶା ସେବନକାରୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ଏଭଳି ନିଶାଡ଼ିଙ୍କ ହାତରେ ଗାଡ଼ି ପଡ଼ିଲେ³ ସେମାନେ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି ।

ରାଜରାସ୍ତାରେ ଆତଙ୍କ ସୃଷ୍ଟି କରୁଛନ୍ତି । ରାସ୍ତାରେ ବେପରୁଆ ଗାଡ଼ିଚାଳନା ରୋକିବା ଏବଂ ନିଶାଡ଼ି ଧରପଗଡ଼ ପାଇଁ ପୁଲିସ୍ ବ୍ୟବହାର କରୁଛି ବ୍ରେଥ୍ ଆନାଲାଇଜର । ଯାଞ୍ଚ ପରେ ନିଶାସେବନ ସ୍ପଷ୍ଟ ହେଲେ ଚାଲାଣ କରାଯାଉଛି । ଦୁର୍ଘଟଣା ଘଟାଇଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ହେଲେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବ୍ରେଥ୍ ଆନାଲାଇଜର କେବଳ ତରଳ ନିଶା ଚିହ୍ନଟ କରିପାରୁଛି । କିନ୍ତୁ ଡ୍ରଗ୍ସ, ଗଞ୍ଜେଇ, ଭାଙ୍ଗ ଓ ଡେନ୍ଡ୍ରାଇଟ୍ ଦ୍ୱାରା ନିଶାଗ୍ରସ୍ତ ହେଉଥିବା ଚାଳକଙ୍କୁ ଚିହ୍ନଟ କରିପାରୁନାହିଁ । ଏହି ଗାଡ଼ି ଚାଳକମାନେ ଆନାଲାଇଜର ପରୀକ୍ଷାରେ ପାସ୍ କରି ଯାଉଛନ୍ତି । ବୁଦ୍ଧିଜୀବୀଙ୍କ କହିବା କଥା, ପୁଲିସ୍ କେବଳ ମଦ୍ୟପାନକାରୀ ଗାଡ଼ିଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି । ଏବେକାର ପିଲାମାନେ ଅଭିଭାବକଙ୍କ ଅଗୋଚରରେ ବ୍ରାଉନସୁଗର ସମେତ ଅନ୍ୟାନ୍ୟ ନିଷିଦ୍ଧ ନିଶା ସେବନ କରୁଛନ୍ତି । ବିଭିନ୍ନ ଅନୈତିକ କାର୍ଯ୍ୟରେ ସେମାନଙ୍କ ସମ୍ପୃକ୍ତି ରହୁଛି । ଅନେକ ସମୟରେ ବେପରୁଆ ଗାଡ଼ି ଚଳାଇ ଦୁର୍ଘଟଣା ମଧ୍ୟ ଘଟାଉଛନ୍ତି । ହେଲେ ବ୍ରେଥ୍ ଆନାଲାଇଜରରେ ଧରା ପଡୁ ନ ଥିବାରୁ ସେମାନଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନି ।

ଟ୍ରାଫିକ୍ ବିଭାଗର ଡିଏସ୍ପି ସୁଦର୍ଶନ ପଣ୍ଡା ସମସ୍ୟାକୁ ସ୍ୱୀକାର କରିଛନ୍ତି । ତାଙ୍କ କହିବା କଥା, ଡ୍ରଗ୍ସ, ଗଞ୍ଜେଇ, ଭାଙ୍ଗ, ଡେନଡ୍ରାଇଟ୍ ପରି ନିଶାକୁ ଚିହ୍ନଟ କରିବା ପାଇଁ କୌଣସି ମେସିନ୍ ବାହାରି ନାହିଁ । ଏଭଳି ନିଶାସକ୍ତ ଚାଳକଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବା କଷ୍ଟକର । ସନ୍ଦେହ ହେଲେ ପୁଲିସ୍ କର୍ମଚାରୀ ଡାକ୍ତରଙ୍କ ସହାୟତା ନେଇଥାଆନ୍ତି । ଡାକ୍ତରୀ ପରୀକ୍ଷା ମାଧ୍ୟମରେ ରକ୍ତନମୁନାରୁ ନିଶା କେତେ ପ୍ରତିଶତ ଅଛି ତାହା ଜଣାପଡ଼ିଥାଏ । ହେଲେ ଏହା ଏକ ଜଟିଳ ପ୍ରକ୍ରିୟା । ସବୁ ସମୟରେ ଏଭଳି ପରୀକ୍ଷା ସମ୍ଭବ ହୋଇପାରୁନାହିଁ । ସୂଚନାଯୋଗ୍ୟ, ରାଉରକେଲା ପୁଲିସ୍ ଜିଲ୍ଲାରେ ବର୍ଷକରେ ନିଶା ସେବନ କରି ଗାଡ଼ି ଚଳାଉଥିବା ଅଭିଯୋଗରେ ୪୮୯ଟି ଚାଲାଣ କଟାଯାଇଛି । ସମ୍ପୃକ୍ତ ଚାଳକଙ୍କଠାରୁ ୫୦ଲକ୍ଷ ୨୫ହଜାର ଟଙ୍କା ଜରିମାନା ଆଦାୟ କରାଯିବାକୁ ଧାର୍ଯ୍ୟ ହୋଇଛି ।

କିପରି କାମ କରେ ବ୍ରେଥ୍ ଆନାଲାଇଜର

ବ୍ରେଥ୍ ଆନାଲାଇଜର ହେଉଛି ଏକ ଡିଜିଟାଲ୍ ଯନ୍ତ୍ର³ ଯାହା ଶ୍ୱାସକ୍ରିୟା ମାଧ୍ୟମରେ ରକ୍ତରେ ଥିବା ନିଶାର ପରିମାଣ ମାପିଥାଏ । ପୁଲିସ୍ ଏହାକୁ ବ୍ୟବହାର କରି ‘ଡ୍ରିଙ୍କ୍ ଆଣ୍ଡ ଡ୍ରାଇଭ୍’ ମାମଲା ଚିହ୍ନଟ କରିଥାଆନ୍ତି । ସନ୍ଦିଗ୍ଧ ଗାଡ଼ିଚାଳକଙ୍କୁ ଏକ ଟ୍ୟୁବ୍ ସହାୟତାରେ ବ୍ରେଥ୍ ଆନାଲାଇଜରରେ ଫୁଙ୍କିବାକୁ କୁହାଯାଇଥାଏ । ମେସିନରେ ଥିବା ସେନ୍ସର ଆଲ୍କହଲର ମାତ୍ରା ଚିହ୍ନଟ କରିଥାଏ । ନିର୍ଦ୍ଧାରିତସ୍ତରଠାରୁ ଆଲ୍କହଲ ସ୍ତର ଅଧିକ ପ୍ରଦର୍ଶିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯାଏ । ଏବେ ବିଭିନ୍ନ କ୍ଷେତ୍ରରେ ଭିନ୍ନ ଭିନ୍ନ ଆନାଲାଇଜର ବ୍ୟବହାର କରାଯାଉଛି । ଅଧିକାଂଶ କ୍ଷେତ୍ରରେ ଆନାଲାଇଜର ଫୁଏଲ୍ ସେଲ୍ ବ୍ୟବହାର ହେଉଛି । ଏଥିରେ ଥିବା ସେନ୍ସର ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରେ³ ଯାହା ବିଦ୍ୟୁତ୍ ଚୁମ୍ବକୀୟ ସ୍ରୋତରେ ରୂପାନ୍ତରିତ ହୋଇ ରକ୍ତରେ ଥିବା ଆଲ୍କହଲର ପରିମାଣ ଜଣାଇଦିଏ । ଆଉ କେତେକ ଆନାଲାଇଜରରେ ଇନ୍ଫ୍ରା ରେଡ୍ ଆଲୋକ ବ୍ୟବହାର କରାଯାଇ ଆଲକହଲ ଚିହ୍ନଟ କରାଯାଇଥାଏ । ଭାରତର ମୋଟରଯାନ ଆଇନ ଅନୁଯାୟୀ, ୧୦୦ ମିଲିଲିଟର ରକ୍ତରେ ୩୦ ମିଲିଗ୍ରାମ ପର୍ଯ୍ୟନ୍ତ ଆଲ୍କହଲ ରହିପାରିବ । ଏହାଠାରୁ ଅଧିକ ଆଲକହଲ ଥିଲେ ଦଣ୍ଡନୀୟ ବୋଲି ଧରାଯାଏ ।