କୁଜଙ୍ଗ, ୮।୩: ଜନ୍ମ ପ୍ରମାଣପତ୍ର ପାଇଁ କୁଜଙ୍ଗ ମେଡିକାଲ କର୍ମଚାରୀ ଜୁଲମ୍‌ କରୁଛନ୍ତି ଅର୍ଥ । ଯିଏ ହାତଗୁଞ୍ଜା ଦେଲା ସେ ଜନ୍ମ କିମ୍ବା ମୃତ୍ୟୁ ପ୍ରମାଣପତ୍ର ହାସଲ କଲା, ଆଉ ଯିଏ ହାତଗୁଞ୍ଜା ଦେଇ ନ ପାରିଲା ସେ ବାରମ୍ବାର ଦୌଡ଼ିବା ସତ୍ତ୍ୱେ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ରହିଲା । ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କୁଜଙ୍ଗ ମେଡିକାଲ୍‌ରେ କାର୍ଯ୍ୟରତ ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପଞ୍ଜିକରଣ ଦାୟିତ୍ୱରେ ଥିବା ଜଣେ ମହିଳା କିରାଣି ତଥା କର୍ମଚାରୀଙ୍କ ବିରୋଧରେ । ଏମିତିକି ମାମଲା ଏବେ ସ୍ଥାନୀୟ ଥାନାରେ ପହଞ୍ଚିବା ସହ ଜିଲ୍ଲାପାଳ ଦପ୍ତରରେ ଲିଖିତ ଅଭିଯୋଗ କରାଯାଇଛି ।

ଏହା ବି ପଢ଼ନ୍ତୁ... ​​​​​​​୪୭ ପୌର ସଂସ୍ଥାରେ ବିକାଶର ନୂଆ ଯୁଗ: ଉଦ୍‌ଘାଟିତ ହେଲା ୧୮୧ ପ୍ରକଳ୍ପ, AI ଜରିଆରେ ବଦଳିବ ଚିତ୍ର

ମିଳିଥିବା ଅଭିଯୋଗ ମୁତାବକ, କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ବିବଛପୁର ଗ୍ରାମର ନରେନ୍ଦ୍ର ନାଥ ବେହେରାଙ୍କ ପୁଅ ଶିବଚରଣ ବେହେରାଙ୍କ କିଛି ଦିନ ପୂର୍ବେ ଶିକ୍ଷାଗତ ପ୍ରମାଣପତ୍ର କୌଣସି କାରଣ ବଶତଃ ହଜିଯାଇଥିଲା । ହଜି ଯାଇଥିବା ଶିକ୍ଷାଗତ ପ୍ରମାଣପତ୍ର ସରକାରୀ ସ୍ତରରେ ପୁନର୍ବାର ପାଇବା ପାଇଁ ଜନ୍ମ ପ୍ରମାଣପତ୍ର ଆବଶ୍ୟକତା ରହିଥିଲା । ଏହି କାରଣରୁ ସେ କୁଜଙ୍ଗ ମେଡିକାଲର ଜନ୍ମ ମୃତ୍ୟୁ ପ୍ରମାଣପତ୍ର ପଞ୍ଜିକରଣ ବିଭାଗରେ ୨୦୨୫ ମସିହା ମଇ ମାସ ୨୨ରେ ଆବେଦନ କରିଥିଲେ । ମାତ୍ର ଏହି ଜନ୍ମ ପ୍ରମାଣପତ୍ର ପାଇବାକୁ ହେଲେ ପ୍ରମାଣପତ୍ର ପଞ୍ଜିକରଣ ବିଭାଗର ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ ଏକକାଳୀନ ୩ ହଜାର ଟଙ୍କା ଦାବି କରିବା ସହ ୧୫ ଦିନ ମଧ୍ୟରେ ପ୍ରମାଣପତ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଆବେଦନକାରୀ ଅଗ୍ରୀମ ଆକାରରେ ୧ ହଜାର ଟଙ୍କା ଦେଇଥିଲେ । ତେବେ ଏହାର ପ୍ରାୟ ୮ ମାସ ବିତିଯାଇଥିବା ବେଳେ ଉକ୍ତ କର୍ମଚାରୀ ଜଣଙ୍କ କୌଣସି କାରଣରୁ ଦୀର୍ଘ ଦିନଧରି ନିଜ କାର୍ଯ୍ୟସ୍ଥଳରେ ଅନୁପସ୍ଥିତ ଥିଲେ ।

ଗତ କିଛିଦିନ ତଳେ ଉକ୍ତ କର୍ମଚାରୀ କାର୍ଯ୍ୟରେ ଯୋଗଦେଇଥିବା ଖବର ପାଇ ଆବେଦନକାରୀ ମେଡିକାଲ୍‌ରେ ପହଞ୍ଚି ନିଜର ଜନ୍ମ ପ୍ରମାଣପତ୍ର ମାଗିଥିଲେ । ଏଥିରେ ଉକ୍ତ ମହିଳା କର୍ମଚାରୀ ଜଣଙ୍କ ନାଲିଆଖି ଦେଖାଇବା ସହ ତାଙ୍କ ସ୍ୱାମୀ ହୋହାଲ୍ଲା କରି ଆବେଦନକାରୀଙ୍କୁ ଧମକ ଚମକ ଦେଇଥିଲେ । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପୁଣି ମୁଖ୍ୟ ଚିକିତ୍ସାଧିକାରୀଙ୍କ ସମ୍ମୁଖରେ ଘଟିଥିଲା । ଏହାରି ମଧ୍ୟରେ ପୁଲିସ ଖବର ପାଇ ଉଭୟ ପକ୍ଷକୁ ଥାନାକୁ ନେଇ ବୁଝାସୁଝା ପରେ ଛାଡ଼ି ଦେଇଥିଲା । ତେବେ ଏସମ୍ପର୍କରେ ଶିବ ଚରଣ ବେହେରା ଜିଲ୍ଲାପାଳଙ୍କ ନିକଟକୁ ଏକ ଅଭିଯୋଗପତ୍ର ପଠାଇବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏ ସମ୍ପର୍କରେ ବିଗତ ଦିନରେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ ।