ଭୁବନେଶ୍ୱର/ଧଉଳି, ୧୮/୦୪ : ସରି ଯାଇଥିଲା ବାହାଘର, ହୋଇଥାନ୍ତା ଚତୁର୍ଥୀ। ହେଲେ ଶ୍ୱଶୁର ଘରେ ନବ ବିବାହିତ ସ୍ତ୍ରୀର ମନ ଲାଗିଲାନି । ଅତୀତରେ ପ୍ରେମିକ ସହ ବିତାଇଥିବା ସ୍ମୃତି ସବୁ ଆଖି ଆଗରେ ଝଲସି ଯାଉଥିଲା । ଅଭୁଲା ମୁହୂର୍ତ୍ତକୁ ଭୁଲି ପାରୁନଥିଲା ସେ । ଫୋନ୍ରେ ପ୍ରେମିକକୁ ସହ ମିଶି ନୂଆ ସଂସାର ଗଢ଼ିବାର ଯୋଜନା ପାଞ୍ଚିଲା । ଆଉ ରାତିଅଧରେ ଶ୍ୱଶୁର ଘରୁ ଲୁଚିଛପି ପ୍ରେମିକ ସହ ଛୁ ମାରିଲା । ଶେଷରେ ଭଣ୍ଡୁର ହେଲା ରିସେପନ୍ସ ଭୋଜି । ପୁଅ ଘର ଭାଣ୍ଡିଆ ହୋଇଛନ୍ତି । ଭୋଜି ପାଇଁ କିଣାଯାଇଥିବା ମାଛଠାରୁ ଆରମ୍ଭ କରି ଚିକେନ ଏବଂ ମଟନ ସବୁ ବରବାଦ୍ ହୋଇଛି । ପିପିଲି ଥାନା ଅଧୀନ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳରୁ ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି । ଚତୁର୍ଥୀ ପୂର୍ବରୁ ଜଣେ ନବବଧୂ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି ।
ସୂଚନା ମୁତାବକ, ଏହି ଫାଣ୍ଡି ଅଧୀନରେ ଜଣେ ଯୁବକଙ୍କର ନିମାପଡ଼ା ଅଞ୍ଚଳରେ ୨୬ ବର୍ଷର ଏକ ଯୁବତୀଙ୍କ ସହ ଗତ ୧୫ ତାରିଖରେ ବାହାଘର ହୋଇଥିଲା । ପରେ ବୋହୂକୁ ଧରି ସମସ୍ତେ ଘରକୁ ଆସିଲେ । ଘରେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ସାହିପଡ଼ିଶାଙ୍କ ଗହଳି ଚହଳି ଲାଗିଥିଲା । ୩ ଦିନ ଧରି ବୋହୂ ଶ୍ୱଶୁର ଘର ଲୋକଙ୍କ ସହ ଭଲରେ କଥାବାର୍ତ୍ତା ହୋଇଥିଲେ । ତାଙ୍କ ଚାଲିଚଳଣ ଓ ହାବଭାବରୁ କେହି ସନ୍ଦେହ କରୁନଥିଲେ । ଆଜି ପୁଅ ଘର ପକ୍ଷରୁ ଚତୁର୍ଥୀ ଭୋଜି ଥିଲା । ମଣ୍ଡପ ବୁକ୍ ହୋଇଥିଲା । ପୁଅ ଘର ଲୋକେ ଭବ୍ୟ ଆୟୋଜନ ପାଇଁ ଦିନରାତି ଏକ କରିଥିଲେ । ହେଲେ ଗୁରୁବାର ରାତି ୩ ଟାରେ ନବବଧୁ ଜଣଙ୍କ ଘରେ ଥିବା ଟଙ୍କା ପଇସା ଓ ସୁନାଗହଣା ନେଇ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି । ସକାଳେ ପୁଅ ଘର ଲୋକେ ଉଠିଲା ବେଳକୁ ନବବଧୂ ଘରେ ନଥିଲେ । ପୁଅ ଘର ଲୋକେ ବିଭିନ୍ନ ଜାଗାରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ କୌଶଲ୍ୟାଗଙ୍ଗ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୁଲିସ ଆଖପାଖ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ କରିବାରୁ ସତ ସାମ୍ନାକୁ ଆସିଲା । ଅନ୍ୟପଟେ ପୁଅ ଘର ଲୋକେ ଲୋକଲଜ୍ୟାରୁ ବର୍ତ୍ତିବା ପାଇଁ ତୁରନ୍ତ ଝିଅ ସନ୍ଧାନରେ ଲାଗିଗଲେ । ଦିନକ ଭିତରେ ହିଁ ନିକଟସ୍ଥ ଏକ ଗାଁରେ ଅନ୍ୟ ଏକ ଝିଅ ସହ ପୁଅକୁ ମନ୍ଦିରରେ ବାହାଘର କରାଇଛନ୍ତି ।
ଏହି ଖବରଟିକୁ ପଢନ୍ତୁ- Heat Wave Alert: ଆଉ ୪ ଦିନ ନିଆଁ ବର୍ଷା, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ, ଉପକୂଳରେ ଭୀଷଣ ଗରମ ଓ ଗୁଳୁଗୁଳ ଆଶଙ୍କା