ଭୁବନେଶ୍ୱର,୧୮/୦୪: ତାତି ଆହୁରି ବଢ଼ିବ । ଅସମ୍ଭାଳ ହେବ । ତତଲା ପବନର ଜ୍ୱାଳା ଦେହ, ହାତ ପୋଡ଼ି ପକାଇବ । ଦିନକରେ ୨ରୁ ୩ ଡିଗ୍ରୀ ଯାଏ ବଢ଼ି ଯାଇପାରେ । ସବୁଠୁ ଅଧିକ ଜଳିବ ପଶ୍ଚିମ ଓଡ଼ିଶା । ରାତି ବେଳା ବି ଛଟପଟ କରିବ ଗରମ । ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଅସହ୍ୟ ହେବ । ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ । ଭୀଷଣ ଗ୍ରୀଷ୍ମପ୍ରବାହ ଆଶଙ୍କା ଥିବାରୁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ସବୁ ଶିକ୍ଷାନୁଷ୍ଠାନକୁ ୩ ଦିନ ଓ ସୋନପୁରରେ ୪ ଦିନ ଛୁଟି ଘୋଷଣା କରାଯାଇଛି ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୧୮ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ାରେ ଦିନ ତାପମାତ୍ରା ୪୫ ଡିଗ୍ରୀ ଛୁଇଁପାରେ । ବଲାଙ୍ଗୀର, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୪୪ ଡିଗ୍ରୀ, ସୋନପୁର, ନୂଆପଡ଼ା, ବୌଦ୍ଧ ଓ ବରଗଡ଼ରେ ୪୩ ଡିଗ୍ରୀ ରହିପାରେ । ୧୯ ତାରିଖରେ ଟିଟିଲାଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ନୂଆପଡ଼ାରେ ତାତି ୪୫ ଡିଗ୍ରୀ ଛୁଇଁପାରେ ।ବଲାଙ୍ଗୀର, ଭବାନୀପାଟଣା, ସୁନ୍ଦରଗଡ଼ରେ ୪୪ ଡିଗ୍ରୀ ରହିପାରେ । ବୌଦ୍ଧ, ସୋନପୁର, ବରଗଡ଼ ଓ ବୌଦ୍ଧରେ ୪୩ ଡିଗ୍ରୀ ରହିବା ଆଶଙ୍କା ଅଛି । ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୪୩ରୁ ୪୫ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଶନିବାର ଓ ରବିବାର ଦୁଇ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିପାରେ । ସୁନ୍ଦରଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ୨୦ ତାରିଖ ଯାଏ ରାତି ବେଳା ତାପମାତ୍ରା ଅଧିକ ରହିବ । ଫଳରେ ଅଧିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ୨୦ ଓ ୨୧ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୨୩ ତାରିଖ ଯାଏ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ବଲାଙ୍ଗିର ଓ ସୋନପୁରର ଜିଲ୍ଲାପାଳ ଖରା ଛୁଟି ଘୋଷଣା କରିଛନ୍ତି । ବଲାଙ୍ଗିର ଜିଲ୍ଲାରେ ଶନିବାର (୧୮ ତାରିଖ)ଠାରୁ ୨୧ ତାରିଖ ଯାଏ ସବୁ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ସୋନପୁରରେ ଶନିବାର (୧୮ ତାରିଖ)ଠାରୁ ୨୨ ତାରିଖ ଯାଏ ସମସ୍ତ ଅଙ୍ଗନବାଡ଼ି, ସ୍କୁଲ, କଲେଜ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଚିଠି କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲାପାଳଙ୍କ ପକ୍ଷରୁ ଶନିବାରଠୁ ୨୧ ତାରିଖ ଯାଏ ଛୁଟି ଘୋଷଣା କରାଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସୋନପୁର ଜିଲ୍ଲାପାଳଙ୍କ ଚିଠିରେ ଉଲ୍ଲେଖ ରହିଛି, ଏହି ଛୁଟି ସମୟରେ ଆଗରୁ ସ୍ଥିର ହୋଇଥିବା ପରୀକ୍ଷାକୁ ବାତିଲ କରାଯିବନି । ଧାର୍ଯ୍ୟ ହୋଇଥିବା ପରୀକ୍ଷା ସକାଳୁଆ ହେବ ।

ସେହିଭଳି ରାଜ୍ୟର ସ୍ଥାନେ ସ୍ଥାନେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ । ୨୧ ତାରିଖ ଯାଏ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଞ୍ଜାମ ଓ ଗଜପତିରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି ।