ଭୁବନେଶ୍ୱର  ୧୩/୧୨ : ପ୍ରାୟ ଘରେ ବାଇଗଣ ଏକ ଅଣଦେଖା ପରିବା । କିନ୍ତୁ ଜାଣନ୍ତି କି ଏହା ପୋଷକ ତତ୍ତ୍ୱରେ ଭରା, ଯାହା ଶରୀରରେ ଭଲ କୋଲେଷ୍ଟେରଲ୍‌ର ମାତ୍ରାକୁ ବଢାଇଥାଏ । କୋଲେଷ୍ଟେରଲ୍‌ ଆମ ଶରୀର ପାଇଁ ଜରୁରୀ । ଏହା ଦୁଇ ପ୍ରକାରର ଭଲ ଓ ଖରାପ କୋଲେଷ୍ଟେରଲ୍‌ । ଡାକ୍ତରୀ ଭାଷାରେ ଏହା ଏଲ୍‌ଡିଏଲ୍‌ ଓ ଏଚ୍‌ଡିଏଲ୍‌ ନାମରେ ପରିଚିତ । ଖରାପ କୋଲେଷ୍ଟେରଲ୍‌ ବା ଏଲ୍‌ଡିଏଲ୍‌ର ମାତ୍ରା ବଢିଗଲେ ଶରୀରରେ କୋଲେଷ୍ଟେରଲ୍‌ ବଢିଯାଇଥାଏ । ଯେଉଁମାନଙ୍କଠାରେ ଉଚ୍ଚ କୋଲେଷ୍ଟେରଲ୍‌ ସମସ୍ୟା ରହିଥାଏ, ସେମାନଙ୍କୁ ଭଲ କୋଲେଷ୍ଟେରଲ୍‌ ବଢାଉଥିବା ଖାଦ୍ୟକୁ ଡାଏଟ୍‌ରେ ସାମିଲ୍‌ କରିବାକୁ ପରାମର୍ଶ ଦିଆଯାଇଥାଏ । ଏମିତି ଏକ ପରିବା ହେଉଛି ବାଇଗଣ, ଯାହାକୁ ଡାଏଟ୍‌ରେ ସାମିଲ୍‌ କରିବା ଦ୍ୱାରା କୋଲେଷ୍ଟେରଲ୍‌ ମାତ୍ରାକୁ ନିୟନ୍ତ୍ରିତ କରିପାରିବେ । 

ବଢାଏ ଭଲ କୋଲେଷ୍ଟେରଲ୍‌ :

ପ୍ରାୟ ଲୋକଙ୍କୁ ବାଇଗଣ ପସନ୍ଦ ହୁଏନି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ଏହା ହାଇ ଡେନ୍ସିଟି ଲିପୋପ୍ରୋଟିନ୍‌କୁ ବଢାଇବାରେ ସାହାଯ୍ୟ କରିଥାଏ । ବାଇଗଣରେ ଥିବା ନାୟସିନ୍‌ ଅର୍ଥାତ୍‌ ଭିଟାମିନ୍‌-ବି ୩ ରହିଥାଏ, ଯାହା ଏଚ୍‌ଡିଏଲ୍‌ ସ୍ତରକୁ ବଢାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶରୀରରେ ଭଲ କୋଲେଷ୍ଟେରଲ୍‌ ବଢିବା ଦ୍ୱାରା ଖରାପ କେଲୋଷ୍ଟେରଲ୍‌ ଆପେ ଆପେ ନିୟନ୍ତ୍ରିତ ହୋଇଯାଇଥାଏ । ଫଳରେ ରକ୍ତଚାପ ଓ ହୃଦ୍‌ରୋଗ ଜନିତ ସମସ୍ୟା କମ୍‌ ରହିଥାଏ । ସେହିପରି ବାଇଗଣରେ ଫାଇବର, ଭିଟାମିନ୍‌-ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ, ଯାହା ରକ୍ତରେ ଶର୍କରାସ୍ତରକୁ ନିୟନ୍ତ୍ରିତ କରିବା ସହିତ ଓଜନ କମ୍‌ କରିଥାଏ । ତେଣୁ ଏହାକୁ ଡାଏଟ୍‌ରେ ସାମିଲ୍‌ କରିବା ଆବଶ୍ୟକ । ଏହାକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ ।