ନୂଆଦିଲ୍ଲୀ ୧୧/୧୧: ବ୍ରିଟେନର ସବୁଠୁ ପୁରୁଣା ସାଟେଲାଇଟ୍‌ ସ୍କାଏନେଟ୍‌-୧ଏ ରହସ୍ୟଜନକ ଭାବେ ଏହାର ସ୍ଥାନରୁ ଘୁଞ୍ଚିଯାଇଛି । ତେବେ କିଏ, କିପରି ଏବଂ କାହିଁକି ଏହାକୁ ଘୁଞ୍ଚାଇଛି ନା କୌଣସି ପ୍ରାକୃତିକ କାରଣରୁ ଏହା ନିର୍ଦ୍ଦିଷ୍ଟ ସ୍ଥାନରୁ ଦୂରେଇ ଯାଇଛି ତାହା ଜଣାପଡ଼ିନାହିଁ । ଚନ୍ଦ୍ରରେ ପ୍ରଥମେ ମଣିଷ ପାଦ ରଖିବାର କିଛି ମାସ ପରେ ୧୯୬୯ରେ ବ୍ରିଟେନ ସ୍କାଏନେଟ୍‌୧ଏକୁ ଲଞ୍ଚ୍‌ କରି ଆଫ୍ରିକାର ଇଷ୍ଟକୋଷ୍ଟ ଉପରେ ସ୍ଥାପନ କରିଥିଲା । ବ୍ରିଟିଶ ସେନା, ଗୁଇନ୍ଦା ବିଭାଗ ଯୋଗାଯୋଗ ପାଇଁ ଏହି କୃତ୍ରିମ ଉପଗ୍ରହ ଉପରେ ନିର୍ଭର କରୁଥିଲା । କିଛି ବର୍ଷ ପରେ ଏହି ସାଟେଲାଇଟ କାମ କରିବା ବନ୍ଦ କରିବା ପରେ ମାଧ୍ୟାକର୍ଷଣ ବଳ ଯୋଗୁ ଏହା ପୂର୍ବକୁ ଘୁଞ୍ଚି ଭାରତ ମହାସାଗର ଉପରକୁ ଚାଲି ଆସିଥିଲା । କିନ୍ତୁ ଏବେ ସ୍କାଏନେଟ୍‌-୧ଏ ପୃଥିବୀ ପୃଷ୍ଠର ଅଧା ଭାଗରୁ ଅଧିକ ବାଟ ଘୁଞ୍ଚି ଆମେରିକା ଉପରୁ ପ୍ରାୟ ୩୬ ହଜାର କିମି ଦୂରରେ ପହଞ୍ଚିଯାଇଛି । 

ବିଶେଷଜ୍ଞଙ୍କ ମତରେ ଅର୍ବିଟାଲ ମେକାନିକ୍ସ ଯୋଗୁ ଏହି ଅଧା ଟନ୍‌ ଓଜନର ସାଟେଲାଇଟ ଘୁଞ୍ଚି ଥାଇପାରେ । ନାଚୁରାଲ ଅର୍ବିଟାଲ ଡାଏନାମିକ୍ସ ବା ପ୍ରାକୃତିକ କକ୍ଷୀୟ ଗତିଶୀଳତା ଏହାର ବର୍ତ୍ତମାନର ସ୍ଥିତି ବାଖ୍ୟା କରିପାରିନାହିଁ । ସୂଚନା ଅନୁସାରେ, ୧୯୭୦ ଦଶକରେ ଜାଣିଶୁଣି ଏହି ସାଟେଲାଇଟକୁ ପଶ୍ଚିମ ଆଡ଼କୁ ସ୍ଥାନାନ୍ତର କରାଯାଇଥିଲା । ଏହା ପଛର କାରଣ କ’ଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ସ୍ପେସ୍‌ କନ୍‌ସଲଟାଣ୍ଟ୍‌ ଡ. ଷ୍ଟୁଆର୍ଟ ଇଭ୍‌ସଙ୍କ କହିବା ଅନୁଯାୟୀ, ଏହା ଏବେ ୧୦୫ ଡିଗ୍ରୀ ୱେଷ୍ଟ ଦ୍ରାଘିମାରେ ଏକ ‘ଗ୍ରାଭିଟି ୱେଲ’ରେ ରହିଛି, ଯାହା କ୍ରମାଗତ ଭାବେ ଆଗକୁ ପଛକୁ ଠେଲି ହେଉଛି । ଦୁର୍ଭାଗ୍ୟବଶତଃ ଏହା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସାଟେଲାଇଟ ଆଡ଼କୁ ଗତି କରୁଛି । ଏହି ସାଟେଲାଇଟ ଅକାମୀ ହୋଇଯାଇଥିବାରୁ ଅନ୍ୟ ସାଟେଲାଇଟ ସହ ପିଟି ହୋଇ ବିପଦ ସୃଷ୍ଟି କରିପାରେ । ଏଥିପାଇଁ ବ୍ରିଟେନକୁ ଦାୟିତ୍ୱବାନ୍‌ ପଦକ୍ଷେପ ନେବାକୁ ପଡ଼ିବ ।

ସ୍କାଏନେଟ୍‌-୧ଏ ଆମେରିକାର ଫିଲ୍‌କୋ ଫର୍ଡ ଏରୋସ୍ପେସ୍‌ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଏବେ ସେହି କମ୍ପାନୀ କାର୍ଯ୍ୟକ୍ଷମ ନାହିଁ । ଏହି ଉପଗ୍ରହର ମହାକାଶୀୟ ଯାତ୍ରାକୁ ଆମେରିକା ବାୟୁସେନା ଡେଲ୍‌ଟା ରକେଟ ଦ୍ୱାରା ଆରମ୍ଭ କରାଯାଇଥିଲା । ପ୍ରଥମ ସ୍କାଏନେଟ୍‌ ସାଟେଲାଇଟ ବ୍ରିଟେନର ଦୂରସଞ୍ଚାର କ୍ଷମତା ବୃଦ୍ଧିରେ କ୍ରାନ୍ତି ଆଣିଥିଲା । ଟେକ୍ନୋଲୋଜିକାଲ ପଏଣ୍ଟରୁ ଦେଖିବାକୁ ଗଲେ ସ୍କାଏନେଟ୍‌୧ଏ ଅଧିକ ଆମେରିକୀୟ ଥିଲା । କାରଣ ଆମେରିକା ଏହାକୁ ବନାଇବା ସହ ଲଞ୍ଚ୍‌ ମଧ୍ୟ କରାଇଥିଲା । ଆରମ୍ଭରୁ ଆମେରିକୀୟ ପୃଥିବୀ କକ୍ଷପଥରେ ସ୍କାଏନେଟ-୧ଏକୁ ନିୟନ୍ତ୍ରଣ କରୁଥିଲେ ।