ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନାକାରୀ ଜେଫ୍ରି ଏପଷ୍ଟାଇନଙ୍କ ସହ ସମ୍ପର୍କ ପାଇଁ ଗୁରୁବାର ଦିନ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର୍ ଷ୍ଟାରମର ଆମେରିକାରେ ଥିବା ବ୍ରିଟିଶ ରାଷ୍ଟ୍ରଦୂତ ପିଟର ମାଣ୍ଡେଲସନଙ୍କୁ ତାଙ୍କ ପଦବୀରୁ ହଟାଇ ଦେଇଛନ୍ତି। ହାଉସ ଅଫ୍ କମନ୍ସ ପକ୍ଷରୁ ଦିଆଯାଇଥିବା ଏକ ବିବୃତ୍ତିରେ, ବୈଦେଶିକ କାର୍ଯ୍ୟାଳୟ ମନ୍ତ୍ରୀ ଷ୍ଟିଫେନ ଡାଉଟି କହିଛନ୍ତି ଯେ,ଏହି ସପ୍ତାହରେ ମାଣ୍ଡେଲସନଙ୍କ ଦ୍ୱାରା ଏପଷ୍ଟାଇନଙ୍କୁ ପଠାଯାଇଥିବା ଇମେଲ୍ ସାମ୍ନାକୁ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

ବୈଦେଶିକ କାର୍ଯ୍ୟାଳୟ ବିବୃତ୍ତିରେ କହିଛି କି, "ପିଟର ମାଣ୍ଡେଲସନଙ୍କ ଦ୍ୱାରା ଲେଖାଯାଇଥିବା ଇମେଲ୍‌ରେ ଥିବା ଅତିରିକ୍ତ ସୂଚନାକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ତାଙ୍କୁ ରାଷ୍ଟ୍ରଦୂତ ପଦରୁ ହଟାଇବା ପାଇଁ ବୈଦେଶିକ ସଚିବଙ୍କୁ ଅନୁରୋଧ କରିଛନ୍ତି।"ଏଥିରେ କୁହାଯାଇଛି, "ଇମେଲ ଗୁଡ଼ିକ ପ୍ରକାଶ କରେ ଯେ ଜେଫ୍ରି ଏପଷ୍ଟାଇନଙ୍କ ସହିତ ପିଟର ମାଣ୍ଡେଲସନଙ୍କ ସମ୍ପର୍କ ଗଭୀର ରହିଛି ।

ଜେଫ୍ରି ଏପଷ୍ଟାଇନ୍ ଜଣେ ଆମେରିକୀୟ ଫାଇନାନ୍ସର ଏବଂ କୁଖ୍ୟାତ ଯୌନ ଅପରାଧୀ ଥିଲେ। ଏପଷ୍ଟାଇନ୍ ଙ୍କ ବିରୁଦ୍ଧରେ ଯୌନ ଶୋଷଣ ଏବଂ ନାବାଳିକା ଝିଅ ମାନଙ୍କ ଯୌନ ଚାଲାଣ ଅଭିଯୋଗ ହୋଇଥିଲା।