ନୂଆଦିଲ୍ଲୀ,୪।୬: କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଓ ତା’ର ଗ୍ୟାଙ୍ଗର ଆତଙ୍କରାଜ କିଏ ବା ନଜାଣେ। ହତ୍ୟା, ଲୁଟ, ଜବରଦସ୍ତି ଚାନ୍ଦା ଆଦାୟ ଏବଂ ଡ୍ରଗ୍ସ ଚୋରାଚାଲାଣ ଭଳି ଅନେକ ଅପରାଧରେ ତାର ସମ୍ପୃକ୍ତି। ‘ଡି କମ୍ପାନୀ’ ମୁଖ୍ୟ ଦାଉଦ୍ ୧୯୯୩ ମୁମ୍ବାଇ ବିସ୍ଫୋରଣର ଥିଲା ମୁଖ୍ୟ ଷଡଯନ୍ତ୍ରକାରୀ। ଭାରତ ସରକାର ତାକୁ ଆତଙ୍କବାଦୀ ମଧ୍ୟ ଘୋଷଣା କରିଛନ୍ତି। ପାକିସ୍ତାନରେ ଥିବା ଦାଉଦ୍ ବିଷୟରେ ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦି କରିଛନ୍ତି ବହୁ ଚାଞ୍ଚଲ୍ୟକର ଖୁଲାସା । ସେ କହିଛନ୍ତି, ତାଙ୍କୁ ଦାଉଦ ଏବଂ ତା’ର ଗ୍ୟାଙ୍ଗଙ୍କ ପକ୍ଷରୁ ୩ ଥର ହତ୍ୟା ଉଦ୍ୟମ କରାଯାଇଛି। ଏପରିକି ଥରେ ସେ ଦାଉଦ୍ ଭୟରେ ନିଜ ‘ପ୍ୟାଣ୍ଟରେ ବି ପରିସ୍ରା କରି ଦେଇଥିଲେ’।
କାହିଁକି କ୍ରିକେଟ୍ ଦୁନିଆକୁ ଛାଡିଲେ ଆଇପିଏଲ୍ର ପୂର୍ବତନ ସଂସ୍ଥାପକ ଓ ଅଧ୍ୟକ୍ଷ ଲଳିତ ମୋଦି ? ନିକଟରେ ଏକ ଇଣ୍ଟରଭ୍ୟୁରେ ଗୋଟି ଗୋଟି କରି ସବୁ କଥା ଖୋଲି କହିଛନ୍ତି ଲଳିତ। ସେ କହିଛନ୍ତି, ଏହି ନିଷ୍ପତ୍ତି ପଛର କାରଣ ହେଉଛି ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍। ତାଙ୍କୁ ଲଗାତାର ଦାଉଦ୍ ଓ ତା’ର ଗ୍ୟାଙ୍ଗ ମାରିବାକୁ ଚେଷ୍ଟା କରିଛନ୍ତି। IPL ର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମ୍ୟାଚ୍ ଫିକ୍ସିଂ ବିରୁଦ୍ଧରେ ତାଙ୍କର ଥିଲା କଡା ଆଭିମୁଖ୍ୟ। ତେବେ ଡି-କମ୍ପାନୀ ଦ୍ୱାରା ନିୟନ୍ତ୍ରିତ ବିଲିୟନ ଡଲାରର ଅଣ୍ଡର ଗ୍ରାଉଣ୍ଡ ବେଟିଂ ନେଟୱାର୍କ ସହିତ ସିଧାସଳଖ ତାଙ୍କର ହୋଇଥିଲା ମୁକାବିଲା। ସେ କହିଛନ୍ତି ‘ଏହି ଗ୍ୟାଙ୍ଗ ଏଭଳି ଏକ ସଟ୍ଟା ବଜାର' ଚଳାଏ ଯାହା କଳ୍ପନା କରିବା ଅସମ୍ଭବ। ଦାଉଦ ଜଣେ କୁଖ୍ୟାତ ବୁକି। ସେ କ୍ରିକେଟ୍ ବେଟିଂକୁ ନିୟନ୍ତ୍ରଣ କରେ। ସେ ସମୟରେ ୨ ବିଲିୟନ ଡଲାରର ଚାଲିଥିଲା ଅଣ୍ଡରଗ୍ରାଉଣ୍ଡ ବେଟିଂ ବ୍ୟବସାୟ। ଆଜି ବି ପ୍ରତି ମ୍ୟାଚ୍ ପାଇଁ ଚାଲିଛି ୪ ବିଲିୟନ ଡଲାରର ବେଟିଂ ବିଜନେସ୍। ଏହା ବହୁତ ବଡ଼। ଏଠାରେ ପ୍ରତ୍ୟେକ ବଲ୍ ଉପରେ ବେଟିଂ ହେବାର ସମ୍ଭାବନା ଅଛି। ଏହା ହେଉଛି ବେଟିଂ ବଜାର, ଆଜିକାଲି ଆଉ କେହି ମ୍ୟାଚ୍ ଫିକ୍ସ କରୁନାହାନ୍ତି। ଏଠାରେ ଓଭର ଓ ବଲ୍ ବି ଫିକ୍ସିଂ ହୁଏ।
ଲଳିତ ୨୦୧୨ର ଏଭଳି ଏକ ଘଟଣା କହିଛନ୍ତି ତାହା ଖୁବ୍ ଆଶ୍ଚର୍ଯ୍ୟକର। ସେ କହିଛନ୍ତି ଦିନେ ମୋତେ ଭୋର ୩ଟା ୩୦ ମିନିରେ ଜଣେ ବ୍ୟକ୍ତିଙ୍କ ଫୋନ୍ ଆସିଲା। ତାଙ୍କୁ ଆପଣମାନେ ପ୍ରତ୍ୟେକ IPL ମ୍ୟାଚ୍ ରେ ଦେଖିଥିବେ। ସେ ରାଜନେତାଙ୍କ ଆଖ ପାଖରେ ଥାଆନ୍ତି, ସେ ଲଣ୍ଡନର ଜଣେ ପ୍ରଭାବଶାଳୀ ଦଲାଲ। ସେ କହିଲେ, 'ତୁମକୁ ଏବେ ବାବାଙ୍କୁ ଭେଟିବାକୁ ପଡିବ।' ମୁଁ ବାବାଙ୍କ ପେଣ୍ଟହାଉସ୍ କୁ ଗଲି। ସେ ମୋତେ ମୁଁ ଏବେ ଏକ IPL ଟିମ୍ ଚାହୁଁଛି। ସେତେବେଳେ ମୁଁ କହିଲି, ମୁଁ ଭାରତ ଯାଉନି। କାରଣ ଦାଉଦ ପ୍ରତି ବିପଦ ରହିଛି। ସେ କହିଲେ, ‘ମୁଁ ଏହା ଗୋଟିଏ ମିନିଟରେ ସମାଧାନ କରି ଦେବି। ଏହା ସବୁ ତାଙ୍କର ଷଡ଼ଯନ୍ତ୍ର ଥିଲା। ସେ ତାଙ୍କ ଛାତ ଉପରକୁ ଗଲେ, ତାଙ୍କର ସାଟେଲାଇଟ୍ ଫୋନ୍ ବାହାର କଲେ ଏବଂ ଦାଉଦ ସହ କଥା ହେଲେ। ସେ କହିଲେ ଦାଉଦ୍ ଭାଇ, ଲଳିତ ଭାଇ ଆସିଛି କଥା ହୁଅ। ଏହି ସମୟରେ ଭୟରେ ‘ମୁଁ ମୋ ପ୍ୟାଣ୍ଟରେ ପରିସ୍ରା କରିଦେଲି । ମୁଁ କଥା ହେବାକୁ ମନା କଲି। ହେଲେ ସେ ସ୍ପିକର ଅନ୍ କରିଦେଲେ। ସେପଟେ ଦାଉଦ୍ କେବଳ ଏତିକି କହିଥିଲା-ତୁମେ ତାର’ ବନ୍ଧୁ,ସବୁ କିଛି ଭୁଲି ଯାଅ,ସବୁ ଶେଷ ହୋଇଗଲା। ।’
ଲଳିତ କହିଛନ୍ତି, ମୁଁ IPLକୁ ଦକ୍ଷିଣ ଆଫ୍ରିକାକୁ ସ୍ଥାନାନ୍ତରିତ କରିଥିବାରୁ ମୋ ଉପରେ ଆକ୍ରମଣ କରାଯାଉଥିଲା। ସେମାନେ ଏହା ଚାହୁଁନଥିଲେ। କାରଣ ତାଙ୍କର ବହୁତ କ୍ଷତି ହୋଇଥିଲା। ମୁଁ ତାଙ୍କର କୋଟି କୋଟି ଡଲାରର ଅଫରକୁ ପ୍ରତ୍ୟାଖାନ କରିଦେଇଥିଲି। ଏହାପରେ ସେମାନେ ମୋତେ ମାରିବାକୁ ୩ ଥର ଚେଷ୍ଟା କରିଥିଲେ। ମୁମ୍ବାଇରେ ମୋ ଘର ବାହାରେ ଗୁଳିକାଣ୍ଡ । କେପ୍ ଟାଉନରେ ଥିବା ସମୟରେ ଜୋହାନ୍ସବର୍ଗରେ ଏବଂ ମୋଣ୍ଟେନେଗ୍ରୋରେ ବି ମୋ ଉପରେ ଆକ୍ରମଣ ହୋଇଥିଲା। ସେଭଳି ଲଣ୍ଡନରେ ମୋ ପୁଅକୁ ଅପହରଣ କରାଯାଇଥିଲା । ମୁଁ ଏକଥା ଆଜି ପର୍ଯ୍ୟନ୍ତ କାହାକୁ କହିନଥିଲି ବୋଲି କହିଛନ୍ତି ଲଳିତ।
ଲଳିତଙ୍କ ବିଷୟରେ ଯଦି କଥା ହେବ ତେବେ ତାଙ୍କ ଉପରେ ୨୦୧୩ରେ ବିସିସିଆଇ ଆଜୀବନ କଟକଣା ଲଗାଇ ସାରିଛି। ତାଙ୍କ ଉପରେ ଆର୍ଥିକ ଅନିୟମିତତା ଏବଂ ଦୁର୍ନୀତି ଭଳି ଗୁରତର ଅଭିଯୋଗ ରହିଛି। ଅଭିଯୋଗ ପ୍ରମାଣିତ ହେବାପରେ ବିସିସିଆଇ କଟକଣା ଲଗାଇଥିଲା। ଏହି ଘଟଣା ପରେ ସେ ୨୦୧୦ ରେ ଲଣ୍ଡନ ଚାଲିଯାଇଥିଲେ ଏବଂ ଏବେ ମଧ୍ୟ ସେଠାରେ ରହୁଛନ୍ତି । ଯଦିଓ ଲଳିତ ମୋଦି ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ରାଜନୈତିକ ଶତ୍ରୁତା ଯୋଗୁଁ ତାଙ୍କୁ ଟାର୍ଗେଟ୍ କରାଯାଇଥିଲା ବୋଲି ଦାବି କରିଛନ୍ତି।