ଭୁବନେଶ୍ୱର/ଚନ୍ଦ୍ରଶେଖରପୁର,୧୮/୧୦: ଶୈଳଶ୍ରୀବିହାର ଗ୍ରୀଡ୍‌  ସବ୍‌ଷ୍ଟେସନ ପଛରେ ଯୁବକଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା ମାମଲାରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ସଫଳତା ମିଳିଛି । ପୁଲିସ ମୃତ ଯୁବକଙ୍କ ପରିଚୟ ପାଇଥିବା ବେଳେ ହତ୍ୟାକାରୀକୁ ମଧ୍ୟ ଗିରଫ କରିଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ଥାନା ଅଧୀନ କଡ଼ଖସଡ଼ାର ଅଜୁ ଓରଫ ଅନାଦି ଦେହୁରୀ । ସେ  ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରରେ ଏକ  ନିର୍ମାଣାଧୀନ ବିଲି୍ଡଂରେ ରହୁଥିଲେ। ହତ୍ୟାକାରୀ  ହେଲେ ଉକ୍ତ ନିର୍ମାଣାଧୀନ ବିଲ୍ଡିଂରେ ଶ୍ରମିକ  ଭାବେ କାମ କରୁଥିବା ଗଞ୍ଜାମ ଭଞ୍ଜନଗର ଥାନା ଗୁଜୁରାଲିର ଶଙ୍କର ନାୟକ ଓରଫ ଶଙ୍କର ବେହେରା(୨୦) । ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଭିଜା ପଥର, ଶଙ୍କରର ରକ୍ତଭିଜା  ସାର୍ଟ ଏବଂ ମୃତ ଅଜୁଙ୍କ ଚପଲ ଓ ମୋବାଇଲ  ମଧ୍ୟ ହତ୍ୟାକାରୀ ଶଙ୍କରଠାରୁ ଜବତ କରିଛି ।

ପୁଲିସ ସୂଚନା ଅନୁଯାୟୀ, ଗତ ୧୩ ତାରିଖ  ସକାଳେ ଶୈଳଶ୍ରୀବିହାର ଗ୍ରୀଡ୍‌ ସବ୍‌ଷ୍ଟେସନ  ପଛପଟ ନାଳ କଡ଼ରେ ଅଜୁଙ୍କ କ୍ଷତବିକ୍ଷତ ମିଳିଥିଲା । ମୁହଁକୁ ପଥରରେ ଛେଚି ଦିଆ  ଯାଇଥିବାରୁ ମୃତକଙ୍କ ପରିଚୟ ମିଳି ନଥିଲା ।  ସ୍ଥାନୀୟ କର୍ପୋରେଟର ଯଶୋଧାରା ପ୍ରଧାନଙ୍କ  ଅଭିଯୋଗ ଆଧାରରେ ପୁଲିସ ଥାନା କେସ୍‌  ନଂ-୬୩୧/୨୦୨୫ରେ ଏକ ହତ୍ୟା ମାମଲା  ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।  

ଚପଲରୁ ମିଳିଲା ପରିଚୟ

ମୃତକଙ୍କ ପରିଚୟ ମିଳି ନଥିବାରୁ ପୁଲିସ  ତଦନ୍ତକୁ ଆଗେଇ ପାରି ନଥିଲା । ଆଖପାଖ ବସ୍ତି ଲୋକଙ୍କୁ ଡାକି ପୁଲିସ ପରିଚୟ ପାଇବା  ପାଇଁ ଚେଷ୍ଟା ଚଳାଇଥିଲେ ମଧ୍ୟ ବିଫଳ ହୋଇଥିଲା । ତେଣୁ ପରିଚୟ ଜାଣିବା ପାଇଁ ପୁଲିସ ମୃତକଙ୍କ ପୋଷ୍ଟର ଛପାଇ ବିଭିନ୍ନ ସ୍ଥାନରେ ଲଗାଇବା ସହ ସେଥିରେ ପରିଚୟ ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର  ରାଶି ଦେବାକୁ ଘୋଷଣା କରିଥିଲା । ସେପଟେ  ମୃତଦେହ ନିକଟରୁ ମିଳିଥିବା ଚପଲ ମିଳିଥିଲା ।  ତେଣୁ ପୁଲିସ ଉକ୍ତ ଚପଲକୁ ଧରି ନିକଟସ୍ଥ ବସ୍ତି  ଅଞ୍ଚଳରେ ଲୋକଙ୍କୁ ପଚରାଉଚରା କରିଥିଲା ।  ଅନୁସନ୍ଧାନ ଚଳାଇ ପୁଲିସ ଶେଷରେ ଉକ୍ତ ଚପଲ ଅଜୁଙ୍କର ବୋଲି ଜାଣିବାକୁ ପାଇଥିଲା । ଅଜୁ ନୀଳାଦ୍ରିବିହାରରେ ଏକ ନିର୍ମାଣାଧୀନ ବିଲ୍ଡିଂରେ  ଏୟାରଫିଲ୍ଡ ଥାନା ଅଞ୍ଚଳର ଜଣେ ଠିକାଦାରଙ୍କ  ଅଧୀନରେ ରାଜମିସ୍ତ୍ରୀ ଭାବେ କାମ କରୁଥିବା  ଜଣାପଡ଼ିଥିଲା ।

ହତ୍ୟାକାରୀ ଚିହ୍ନଟ ହେଲା କିପରି

ଠିକାଦାର ଓ ତାଙ୍କ ଅଧୀନରେ କାମ କରୁଥିବା  ଅନ୍ୟ ଶ୍ରମିକମାନଙ୍କୁ ପୁଲିସ ପଚରାଉଚରା  ପରେ ଶଙ୍କର ବେହେରାର ଅଜୁ ଘନିଷ୍ଠ ସାଙ୍ଗ  ଥିବା ଜାଣିବାକୁ ପାଇଥିଲା । ମୃତଦେହ ମିଳିବା ପୂର୍ବ ରାତିରେ ଶଙ୍କର ଓ ଅଜୁ ଏକାଠି ବୁଲୁଥିବା ଅନ୍ୟ ଶ୍ରମିକମାନେ ପୁଲିସକୁ କହିଥିଲେ । ତେଣୁ  ପୁଲିସ ଶଙ୍କରକୁ ଖୋଜାଖୋଜି କରିଥିଲା । ଶଙ୍କର ଫେରାର୍‌ ଥିବା ବେଳେ ତାର ବଡ଼ଭାଇ ପଞ୍ଚାନନଙ୍କୁ ପୁଲିସ ଉଠାଇ ଆଣି ଜେରା କରିଥିଲା । ଶଙ୍କ  ହିଁ ଅଜୁଙ୍କୁ ହତ୍ୟା କରି ଗାଁକୁ ପଳାଇଥିବା ପୁଲିସ  ପଞ୍ଚାନନଙ୍କଠାରୁ ଜାଣିବାକୁ ପାଇଥିଲା । ତେଣୁ ଚନ୍ଦ୍ରଶେଖରପୁର ଥାନା ପୁଲିସର ଏକ ଟିମ୍‌  ଗତକାଲି ଗଞ୍ଜାମ ଭଞ୍ଜନଗରରେ ଚଢ଼ଉ କରି  ଶଙ୍କରକୁ ଉଠାଇ ଆଣିଥିଲା । ତାଠାରୁ ରକ୍ତଭିଜା ସାର୍ଟ ଓ ଅଜୁଙ୍କ ମୋବାଇଲ ଜବତ କରିଥିଲା ।  

ହତ୍ୟାର କାରଣ

ଶଙ୍କର ପୁଲିସକୁ ଦେଇଥିବା ବୟାନ ଅନୁଯାୟୀ,  ଅଜୁ ସବୁବେଳେ ମଦପିଇ ନିଶାସକ୍ତ ଅବସ୍ଥାରେ  ତାଙ୍କ ବଡ଼ଭାଇ ପଞ୍ଚାନନଙ୍କୁ ଗାଳିଗୁଲଜ  କରୁଥିଲେ । ଫଳରେ ପଞ୍ଚାନନ ଅପମାନ  ବୋଧ କରୁଥିଲେ । ତେଣୁ ସବୁଦିନ ପାଇଁ  ଅଜୁଙ୍କୁ ରାସ୍ତାରୁ ହଟାଇବାକୁ ଶଙ୍କର ଷଡ଼ଯନ୍ତ୍ର  ରଚିଥିଲା । ୧୨ ତାରିଖ ରାତିରେ ଶଙ୍କର  ଅଜୁଙ୍କୁ ମଦ ପିଇବାକୁ ଚୁନୁକୋଳି ବସ୍ତିକୁ ଡାକି  ନେଇଥିଲା । ସେଠାରେ ଅତ୍ୟଧିକ ମଦ ପିଆଇ  ଦେଇଥିଲା । ସେଠାରୁ ସେମାନେ ଚାଲିଚାଲି  ଫେରୁଥିବା ବେଳେ ଅତ୍ୟଧିକ ନିଶା ଯୋଗୁ  ଅଜୁ ଗ୍ରୀଡ୍‌ ସବ୍‌ଷ୍ଟେସନ ପଛ ରାସ୍ତାରେ ପଡ଼ି  ଯାଇଥିଲେ । ଏହାର ସୁଯୋଗ ନେଇ ଶଙ୍କର  ପାଖରେ ପଡ଼ିଥିବା ଏକ ପଥରକୁ ତାଙ୍କ ମୁଣ୍ଡରେ  ଛେଚି ଦେଇଥିଲା । ବାରମ୍ବାର ପଥରରେ ଛେଚିବା  ଫଳରେ ଅଜୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ  ଯାଇଥିଲା । ତା’ପରେ ଶଙ୍କର ଅଜୁଙ୍କ ମୋବାଇଲ  ନେଇ ସେଠାରୁ ପଳାଇଥିଲା । ହତ୍ୟାକାଣ୍ଡ  ସମ୍ପର୍କରେ ସେ ତାଙ୍କ ବଡ଼ଭାଇ ପଞ୍ଚାନନଙ୍କୁ  ଜଣାଇବା ସହ ଗାଁକୁ ପଳାଇ ଯାଇଥିଲା ।

ସେପଟେ ଶଙ୍କରଠାରୁ ପୁଲିସ ଅଜୁଙ୍କ  ମୋବାଇଲ ଜବତ କରିବା ପରେ ସେଥିରୁ  ତାଙ୍କ ପତ୍ନୀ ଗୀତା ଦିଘଲଙ୍କ ଫୋନ୍‌ ନମ୍ବର  ପାଇଥିଲା । ତାଙ୍କୁ ଯୋଗାଯୋଗ କରି ଅଜୁଙ୍କୁ ହତ୍ୟା କରାଯାଇଥିବା ପୁଲିସ ଜଣାଇଥିଲା ।  ଆଜି ସକାଳେ ବାପଘରେ କନ୍ଧମାଳରେ ଥିବା  ଗୀତା ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲେ ।  ହତ୍ୟାକାଣ୍ଡ ପୂର୍ବ ରାତିରେ ସେ ସ୍ୱାମୀ ଅଜୁଙ୍କ ସହ  ମୋବାଇଲରେ କଥା ହୋଇଥିବା କହିଥିଲେ । ଅଜୁ  ଠିକାଦାରଙ୍କଠାରୁ ଦରମା ବାବଦ ସେଦିନ ୩୦  ହଜାର ଟଙ୍କା ପାଇଥିବା ଗୀତାଙ୍କୁ ଜଣାଇଥିଲେ । ଏଥିସହ ଫୋନ୍‌ ପେ’ ମାଧ୍ୟମରେ ଟଙ୍କା  ପଠାଇବା ପାଇଁ କହିଥିଲେ । ରାତିରେ ସେ ଶଙ୍କର  ସହ ମାର୍କେଟିଂରେ ଯାଉଥିବା ମଧ୍ୟ କହିଥିଲେ ।  

ହେଲେ ଟଙ୍କା ନ ପଠାଇବାରୁ ଗୀତା ରାତିରେ  ଅଜୁଙ୍କୁ ଫୋନ୍‌ କରିବାରୁ ତାଙ୍କ ମୋବାଇଲ  ସୁଇଚ୍‌ ଅଫ୍‌ ଦେଖାଇଥିଲା । ତା’ ପରଠାରୁ ସେ  ବାରମ୍ବାର ଫୋନ୍‌ କରୁଥିଲେ ମଧ୍ୟ ମୋବାଇଲ ଲାଗି ନଥିଲା । ତେଣୁ ଶଙ୍କର ଅଜୁଙ୍କଠାରୁ ୩୦  ହଜାର ଟଙ୍କା ଆତ୍ମସାତ କରିବା ସହ ତାଙ୍କୁ ହତ୍ୟା  କରିଥିବା ଗୀତା ପୁଲିସ ନିକଟରେ ଅଭିଯୋଗ  କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ଶବାଗାରରେ  ରଖା ଯାଇଥିବା ଅଜୁଙ୍କ ମୃତଦେହକୁ ପୁଲିସ ଆଜି  ଗୀତାଙ୍କୁ ହସ୍ତାନ୍ତର କରିଛି । ଶଙ୍କରଙ୍କୁ ଗିରଫ କରି  ପୁଲିସ ଅପରାହ୍ଣରେ କୋର୍ଟ ଚାଲାଣ କରିଥିଲା।  ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ  ପଠାଇ ଦିଆଯାଇଛି ।