ଭଦ୍ରକ ୧୨/୦୫: ଭଦ୍ରକ ପୁରୁଣା ବଜାର ଥାନା ଅଞ୍ଚଳରେ ବ୍ରାଉନ ସୁଗାର ଜବତ। ୨ ଜଣଙ୍କୁ ବାନ୍ଧିଲା ପୋଲିସ। ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ପୁରୁଣାବଜାର ଥାନା ପୋଲିସ।
ସୂଚନା ଅନୁସାରେ, ଏକ ବିଶେଷ ସୂତ୍ରରୁ ଭଦ୍ରକ ପୁରୁଣାବଜ଼ାର ଥାନା ପୋଲିସକୁ ସରିଦାବାଦ ବ୍ରିଜ ଉପରେ ବ୍ରାଉନ ସୁଗାର କାରବାର ହେବାକୁ ନେଇ ସୂଚନା ମିଳିଥିଲା। ଖବର ପାଇ ଭଦ୍ରକ ପୁରୁଣାବଜ଼ାର ଥାନାର ଏକ ଟିମ ସରିଦାବାଦ ବ୍ରିଜ ଉପରେ ପହଞ୍ଚିଥିଲା। ଏକ ମଟର ସାଇକେଲରେ ଦୁଇ ଜଣ ଯୁବକ ଶଙ୍କରପୁର ଅଞ୍ଚଳକୁ ଫେରୁଥିବା ବେଳେ ସନ୍ଦେହ ହେବାରୁ ସେମାନଙ୍କୁ ପୋଲିସ ଅଟକାଇଥିଲା । ତାଙ୍କୁ ଚେକିଂ କରିବାରୁ ତାଙ୍କ ନିକଟରୁ ୩୫.୫ ଗ୍ରାମ ବ୍ରାଉନ ସୁଗାରକୁ ଜବତ କରିଥିଲା। ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରିବା ସହ ମଟର ସାଇକେଲକୁ ମଧ୍ୟ ଜବତ କରିଛି । ଏହି ଦୁଇ ଜଣ ଯୁବକ ହେଉଛନ୍ତି ଶଙ୍କରପୁର ଅଞ୍ଚଳର ଏସ.କେ ଦାୟନ ଓ ଫରଜାନ ସାହା (ସାହିଲ)। ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୬୦ ହଜାର ଟଙ୍କା ହେବା ନେଇ ପୋଲିସ ପୁରୁଣାବଜାର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ ଏହି ଦୁଇ ଜଣ ବ୍ୟତୀତ ଆଉ କେଉଁମାନେ ଏହି ବ୍ରାଉନ ସୁଗାର କାରବାରରେ ସମ୍ପୃକ୍ତ ଅଛନ୍ତି ତାହାର ଅଧିକ ତଦନ୍ତ ଚାଲିଥିବା ଅତିରିକ୍ତ ଏସପି ସମ୍ବିତ ମାଝୀ ସୂଚନା ଦେଇଛନ୍ତି।