ବୁର୍ଲା, ୧୩/୦୫: ଗୁରୁତର ପ୍ରସୂତି ପତ୍ନୀଙ୍କୁ ମେଡିକାଲ ବେଡ୍ରେ ଛାଡ଼ି ଦେଶ ପାଇଁ ଛୁଟି ବାତିଲ କଲେ ଯବାନ । ଆଶା ରଖିଥିଲେ ପୁଣି ଛୁଟିରେ ଆସି ସ୍ତ୍ରୀ, ଛୁଆଙ୍କୁ ଦେଖିବେ । ହେଲେ ସବୁକିଛି ଓଲଟପାଲଟ ହୋଇଗଲା । ସମସ୍ତଙ୍କ ଆପ୍ରାଣ ଉଦ୍ୟମ ସତ୍ତେ୍ୱ ଆଇସିୟୁରେ ରହି ଜୀବନ ଯୁଦ୍ଧରେ ଲଢ଼େଇ କରୁଥିବା ପତ୍ନୀ ହାରିଯାଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଆଖିବୁଜି ଦେଇଛନ୍ତି । ସେପଟେ ଦେଶର ସଂଗ୍ରାମରେ ସାମିଲ ପାଇଁ ଯାଇଥିବା ଯବାନ ନିଜ ବାରାକ୍ରେ ପହଞ୍ଚିନଥିବା ଜଣାପଡ଼ିଛି ।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର ଟେଙ୍ଗନାମାଲ ଗାଁର ଯବାନ ଦେବରାଜ ଗଣ୍ଡ । ସୀମା ସୁରକ୍ଷା ବଳରେ କାର୍ଯ୍ୟରତ ଦେବରାଜ ଗଣ୍ଡ ନିକଟରେ ଗୋଟିଏ ମାସ ପାଇଁ ଘରକୁ ଆସିଥିଲେ । ପତ୍ନୀ ପ୍ରସବ ସମୟରେ ଉପସ୍ଥିତ ରହି ପ୍ରଥମ ଶିଶୁର ସ୍ପର୍ଶ ପାଇବାକୁ ଛୁଟିରେ ଆସିଥିଲେ । ଗତ ୨୮ ତାରିଖରେ ଝାରସୁଗୁଡ଼ାର ଏକ ଡାକ୍ତରଖାନାରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ନବଜାତ ସୁସ୍ଥ ଥିଲେ ମଧ୍ୟ ପତ୍ନୀ ଲିପି ଗଣ୍ଡଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା । ତେଣୁ ତାଙ୍କୁ ବୁର୍ଲା ଭିମସାର୍କୁ ଅଣାଯାଇଥିଲା । ୨୯ ତାରିଖରେ ତାଙ୍କୁ ବୁର୍ଲାର ଭିମସାର୍ର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଗଲା । ପରେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
ଏପଟେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ପାଇଁ ଛୁଟିକୁ ବାତିଲ କରିଥିଲେ ଯବାନ । ଦେବରାଜ ପତ୍ନୀ ଓ ନବଜାତ ଶିଶୁ କନ୍ୟା କଥା ଭୁଲି ଦେଶ ସେବା ପାଇଁ ବାହାରି ଯାଇଥିଲେ । ଏପଟେ ଭିମସାର୍ ଅଧ୍ୟକ୍ଷ ପ୍ରଫେସର ଡ. ଭାବଗ୍ରାହୀ ରଥ ଓ ମେଡିକାଲ୍ ଅଧିକ୍ଷକ ପ୍ରଫେସର ଡ.ଲାଲମୋହନ ନାୟକ ଲିପିଙ୍କ ତତ୍ତ୍ୱାବଧାନରେ ଲିପିଙ୍କ ଚିକିତ୍ସା ଚାଲିଥିଲା । ଲିପିଙ୍କ ପାଇଁ ରକ୍ତ ଆବଶ୍ୟକ ହେବାରୁ ପ୍ରମେୟ ନ୍ୟୁଜ-୭ ସମ୍ବଲପୁର ବ୍ୟୁରୋ ଚିଫ୍ ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମରେ ସମାଜସେବୀ ଲକ୍ଷ୍ମୀପ୍ରସାଦ ମହାପାତ୍ର, ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ୪ ୟୁନିଟ୍ ରକ୍ତଦାନ କରିଥିଲେ । ଆଶା ଥିଲା ଲିପି ନିଶ୍ଚୟ ସୁସ୍ଥ ହୋଇଯିବେ । ହେଲେ ସମସ୍ତଙ୍କ ପ୍ରଚେଷ୍ଟା ସତ୍ତେ୍ୱ ଆଖିବୁଜିଛନ୍ତି ଲିପି । ଘଟଣା ଜଣାପଡ଼ିବା ପରେ ହସ୍ପିଟାଲ୍ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।