ନୂଆଦିଲ୍ଲୀ, ୦୧/୦୨ : ସମୟ ବଦଳିବା ସହ ବଜେଟ୍କୁ ନେଇ ହୋଇଛି ବହୁ ପରିବର୍ତ୍ତନ। ଏହାରି ମଧ୍ୟରେ ଆଜି ପୁଣିଥରେ ସଂସଦରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ତେବେ ବଜେଟ୍ର ଇତିହାସ ଦେଖିଲେ ସମୟ ସହ ଏଥିରେ କରାଯାଇଛି ବହୁ ପରିବର୍ତ୍ତନ। ମୋଦି ସରକାରଙ୍କ କାର୍ଯ୍ୟକାଳରେ ବହୁ ପୁରୁଣା ପରମ୍ପରା ଉପରେ ଲାଗିଛି ବ୍ରେକ୍। ଯେପରିକି ରେଳ ବଜେଟ୍।
୨୦୧୭ ପୂର୍ବରୁ ଭାରତୀୟ ରେଲୱେ ପାଇଁ ଅଲଗା ଉପସ୍ଥାପନ କରାଯାଉଥିଲା ରେଳ ବଜେଟ୍। ଏହି ପରମ୍ପରା ଥିଲା ବହୁ ବର୍ଷ ପୁରୁଣା। ୧୯୨୪ ମସିହାରୁ ଅଲଗା ଉପସ୍ଥାପନ ହେଉଥିଲା ରେଲୱେ ବଜେଟ୍। ଏହି ବଜେଟ୍ ଉପସ୍ଥାପନ ହେବାର ଦିନକ ପରେ ଉପସ୍ଥାପନ ହେଉଥିଲା ସାଧାରଣ ବଜେଟ୍। ହେଲେ କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଏହି ପରମ୍ପରା ଉପରେ ଲାଗିଥିଲା ବ୍ରେକ୍। ୨୦୧୬ରେ ଏହି ନିୟମ ଭାଙ୍ଗିବାକୁ ଆରମ୍ଭ ହେଲା ପ୍ରସ୍ତୁତି ଏବଂ ସାଧାରଣ ବଜେଟ୍ ସହ ରେଳ ବଜେଟ୍ ମିଶାଇ ଉପସ୍ଥାପନ କରିବାକୁ ଘୋଷଣା କଲେ ମୋଦି ସରକାର। ଏହାପରେ ୨୦୧୭ରେ ସାଧାରଣ ବଜେଟ୍ ସହ ରେଲୱେ ବଜେଟ୍ ଉପସ୍ଥାପନ କରାଗଲା। ଏହିଠାରୁ ୯୨ ବର୍ଷର ପରମ୍ପରା ଭାଙ୍ଗିଥିଲା ଏବଂ ସେବେଠାରୁ ଏହି ନିୟମ ଚାଲିଆସୁଛି। ତତ୍କାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରେଳ ବଜେଟ୍ ଏବଂ ସାଧାରଣ ବଜେଟ୍ ଏକାସାଙ୍ଗରେ ପଢିଥିଲେ।
ଏହି ଖବରଟିକୁ ପଢନ୍ତୁ-୩୪ବର୍ଷ ତଳର ସେ ବଜେଟ୍ ; ଦେଶର ଅର୍ଥନୀତିକୁ ଦେଇଥିଲା ବଳ, ବଦଳିଥିଲା ଆର୍ଥିକ ସ୍ଥିତି
ନୀତି ଆୟୋଗ ମଧ୍ୟ ଦଶନ୍ଧି ପୁରୁଣା ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲା। ବହୁ ବିଚାର ବିମର୍ଶ ଏବଂ ଭିନ୍ନଭିନ୍ନ କର୍ତ୍ତୃପକ୍ଷଙ୍କ ସହ ମାନସମନ୍ଥନ ପରେ ସରକାର ବଜେଟ୍ରେ ରେଳ ବଜେଟ୍ ମିଶାଇବାକୁ ନିଷ୍ପତ୍ତି ନେଲେ। ଏହାପରେ ବ୍ରିଟିଶ ଶାସନକାଳରୁ ଚାଲି ଆସୁଥିବା ରେଳ ବଜେଟ୍ ପରମ୍ପରାରେ ବ୍ରେକ୍ ଲାଗିଥିଲା।