ବ୍ରହ୍ମପୁର, ୨୯/୦୭ : ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଖାଇ ଷଣ୍ଢ ମୃତ। ବ୍ରହ୍ମପୁର ସଦର ଥାନା ଲାଞ୍ଜିଆ ଗ୍ରାମରେ ଘଟିଛି ଏଭଳି ଘଟଣା। ଗ୍ରାମବାସୀ ଦୁଇ ଜଣଙ୍କୁ ଶିକାରୀ ସନ୍ଦେହରେ କାବୁ କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଶିକାରରେ ବ୍ୟବହୃତ ତାର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଲାଞ୍ଜିଆ ଗ୍ରାମର ଶାଗୁଣା ସାହିକୁ ଲାଗି ରହିଥିବା ପାହାଡ଼ରେ ଜୋର୍ରେ ଶବ୍ଦ ହୋଇଥିଲା। ଆଖପାଖ ଲୋକେ ଘଟଣାସ୍ଥଳକୁ ଯାଇ ଦେଖିବା ବେଳକୁ ଏକ ଷଣ୍ଢ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ଦେଖିଥିଲେ। କିଛି ସମୟ ପରେ ଷଣ୍ଢଟିର ମୃତ୍ୟୁ ହୋଇଥିଲା। ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଖାଇ ଷଣ୍ଢଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଶିକାରୀ ସନ୍ଦେହରେ ଗ୍ରାମବାସୀ ୨ ଜଣଙ୍କୁ କାବୁ କରି ବନ ବିଭାଗକୁ ଡାକିଥିଲେ। ଘଟଣାସ୍ଥଳରେ ବନ ବିବାଗ ପହଞ୍ଚି ୨ ଜଣଙ୍କୁ ଜିମା ନେବା ସହ ତଦନ୍ତ ଚଳାଇଛି।