ଭୁବନେଶ୍ୱର, ୧୬/୦୪: ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ପାଦେର୍ମା ଗାଁ ନିକଟରେ ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରା.ଉଦୟଗିରି ଥାନା ମେଣ୍ଟିଆମ୍ବ ଗାଁର ନରେନ୍ଦ୍ର ମଣ୍ଡଳ । କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । 

ସୂଚନା ମୁତାବକ, ବିକ୍ରାନ୍ତ ନାମକ ଏକ ଘରୋଇ ବସ୍‌ ରାମଗିରିରୁ ବ୍ରହ୍ମପୁର ଯାଉଥିଲା । ଏହି ସମୟରେ ବିପରୀତ ଦିଗରୁ ନରେନ୍ଦ୍ର ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ । ଫେରିବା ବେଳେ ପାଦେର୍ମା ଗାଁ ନିକଟରେ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ କ୍ଷତିପୂରଣ ଦାବିରେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏନେଇ ଖବର ପାଇବା ପରେ ମୋହନା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା ସହ ତଦନ୍ତ କରୁଛି ।