ଜୟପୁର: ବସ୍‌ କଣ୍ଡକ୍ଟରର ଔଦ୍ଧତ୍ୟ । ମାତ୍ର ୧୦ ଟଙ୍କା ଭଡ଼ା ପାଇଁ ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କୁ ମାଡ଼ ମାରି ଗୁରୁତର କରି ପକାଇଛି କଣ୍ଡକ୍ଟର । ରାଜସ୍ଥାନର ରାଜଧାନୀ ଜୟପୁରରେ ଏଭଳି ଏକ ଘଟଣାକୁ ନେଇ ଚହଳ ସୃଷ୍ଟି ହୋଇଛି ।  ଜୟପୁର ସିଟି ଟ୍ରାନ୍ସପୋର୍ଟ ସିର୍ଭିସେସ୍‌ ଲିମିଟେଡ୍‌(ଜେସିଟିଏସଏଲ) ଦ୍ବାରା ପରିଚାଳିତ ବସ୍‌ରେ ଏଭଳି ଅଶୋଭନୀୟ କାଣ୍ଡ ଘଟିଥିବା ବେଳେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଆର.ଏଲ. ମୀନାଙ୍କୁ ବସ୍‌ କଣ୍ଡକ୍ଟର ମାଡ଼ ମାରିଛି । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂର୍ବତନ ଆଇଏଏସ୍‌ ଅଧିକାରୀ । ଘଟଣାଟି ଜାନୁଆରୀ ୧୦ (ଶୁକ୍ରବାର)ରେ ଘଟିଥିଲା ବୋଲି ଜଣାପଡ଼ିଛି । 

ମିଳିଥିବା ସୂଚନା ଅନୁସାରେ ୭୫ ବର୍ଷୀୟ ମୀନା ଯେଉଁଠି ଓହ୍ଲାଇବାର ଥିଲା ସେଠାରେ ସମ୍ପୃକ୍ତ ବସ୍‌ର କଣ୍ଡକ୍ଟର ଗାଡ଼ିକୁ ଅଟକାଇ ନଥିଲେ । ମୀନା ନାୟଲାରେ ଓହ୍ଲାଇବାର ଥିଲା କିନ୍ତୁ କଣ୍ଡକ୍ଟର ବସ୍‌କୁ ତା’ଆଗ ଷ୍ଟପ୍‌ କାନୋଟା ନେଇଯାଇଥିଲେ । ଯେହେତୁ ବସ୍‌ ଆଗ ଷ୍ଟପ୍‌କୁ ଯାଇଥିଲା ତେଣୁ କଣ୍ଡକ୍ଟର ମୀନାଙ୍କୁ ଅଧିକ ୧୦ ଟଙ୍କା ଭଡ଼ା ମାଗିଥିଲେ । ସେ ଏଥିରେ ରାଜି ନହୋଇ କଣ୍ଡକ୍ଟର ଉପରେ ବିରକ୍ତ ହୋଇଥିଲେ ।  ଭିଡିଓରୁ ଦେଖିବାକୁ ମିଳିଛି, ପୂର୍ବତନ ଆଇଏଏସ୍‌ ଅଧିକାରୀ ମୀନା ସଂପୃକ୍ତ କଣ୍ଡକ୍ଟରଙ୍କ ଉପରେ ବିରକ୍ତ ହେବା ସହ ଅନ୍ୟ ଏକ ଯାତ୍ରୀଙ୍କୁ ଏନେଇ ଅଭିଯୋଗ କରୁଛନ୍ତି । ଏହା ପରେ କଣ୍ଡକ୍ଟର ଜଣକ ଉତକ୍ଷିପ୍ତ ହେବା ସହ ମୀନାଙ୍କ ଗାଲକୁ ଚାପୁଡ଼ା ମାରୁଛନ୍ତି । ମୀନା ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ କଣ୍ଡକ୍ଟର ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଉଛନ୍ତି । କଣ୍ଡକ୍ଟର ତାଙ୍କୁ ଗୋଇଠା, ବିଧା ମାରି ତଳେ ପକାଇ ଦେବା ପରେ ଅନ୍ୟ କେତେକ ଯାତ୍ରୀ ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲେ । 

ଘଟଣା ସଂପର୍କରେ ଜଣାପଡ଼ିବା ପରେ  ଜେସିଟିଏସଏଲ ଅଭିଯୁକ୍ତ କଣ୍ଡକ୍ଟର ଘନଶ୍ୟାମ ଶର୍ମାକୁ ନିଲମ୍ବନ କରିଛି । ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର କରିବା ଏବଂ ମାଡ଼ ମାରିବା ଅଭିଯୋଗରେ ଘନଶ୍ୟାମକୁ ନିଲମ୍ବନ କରାଯାଇଥିବା ନେଇ ଜେସିଟିଏସଏଲ୍‌ ପକ୍ଷରୁ କୁହାଯାଇଛି । ଏହା ସହ ଘନଶ୍ୟାମ ବିରୋଧରେ ତଦନ୍ତ ହେବ ବୋଲି ଜଣାପଡ଼ିଛି ।