ଭୁବନେଶ୍ୱର, ୨୮/୦୩: ରାୟଗଡ଼ା ମୁକୁନ୍ଦପୁର ଘାଟିରେ ଗୁରୁବାର ଦିନ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଥିଲା । ଗୁରୁତର ଆବସ୍ଥାରେ ୩ ଜଣଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିବା ବେଳେ ଶୁକ୍ରବାର ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବିନିଶ ଗ୍ରାମର ରାମସିଂହ କୁଳସିକା ।

ମୁକୁନ୍ଦପୁର ଘାଟିରେ ଓଲଟିଲା ବସ୍‌, ୩ ଗୁରୁତର

ସୂଚନା ମୁକାବକ, ଗଞ୍ଜାମ ଜିଲ୍ଲାର ହିଞ୍ଜିଲିକାଟୁରୁ ତୁଫାନ୍‌ ନାମକ ଏକ ଘରୋଇ ବସ୍‌ ୪୫ ଜଣ ଯାତ୍ରୀଙ୍କୁ ନେଇ ଟିକିରି ଅଭିମୁଖେ ଆସୁଥିଲା । ଓଡିଶା ଆଦର୍ଶ ବିଦ୍ୟାଳୟରେ ଗୁରୁବାର ପରୀକ୍ଷା ଥିବାରୁ ଏହି ବସ୍‌ରେ ଛାତ୍ରଛାତ୍ରୀ କୋଲନରା ଆସୁଥିଲେ । ଭୋର୍‌ ସାଢ଼େ ୪ଟାରେ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୨୩ଜଣ ଆହତ ହୋଇଥିଲେ ।  ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତମାନଙ୍କୁ  ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗମ୍ଭୀର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ ସ୍ଥାନାନ୍ତର କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି ।